Odisha Link
Bridging the Missing Links in Odisha

ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ କଥା ହେବେ ନବୀନ

ଭୁବନେଶ୍ବର: ୨ ଦିନରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ବିଶେଷ କରି ରାଜ୍ୟ ପାଇଁ ଅଡ଼ୁଆ ହୋଇଛି ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନଙ୍କ ପାଇଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି।

ରାଜ୍ୟ ସରକାର ଗତ ଦୁଇଦିନ ତଳେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାପରେ ଆସନ୍ତାକାଲି ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି କୋଭିଡ୍‌-୧୯ ପରିଚାଳନାରେ ସହଯୋଗ ଲୋଡ଼ିବେ।

ରାଜ୍ୟର ସୀମାବର୍ତ୍ତୀ ସମସ୍ତ ସ୍ଥଳଭାଗକୁ ସିଲ୍ କରିବା ସମ୍ଭବପର ନଥିବାରୁ ରାଜ୍ୟ ସରକାର ଏବେ ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ବାହାର ରାଜ୍ୟରୁ ଆସିଥିବା ଅବା ଆସିବାକୁ ଥିବା ଲୋକମାନଙ୍କ ଉପରେ ନଜର ରଖି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସୀମା ୪ଟି ରାଜ୍ୟ ସହ ରହିଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପୁଲିସ ମୁତୟନ କରି ଗାଡ଼ିଗୁଡ଼ିକର ପ୍ରବେଶ ଉପରେ ନଜର ରଖାଯାଇ ପାରିବ, କିନ୍ତୁ ସମସ୍ତ ସ୍ଥଳଭାଗ ଉପରେ ନଜର ରଖିବା ସମ୍ଭବପର ନୁହେଁ।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ମଧ୍ୟରାତ୍ରିରୁ ଓଡ଼ିଶାରେ ୧୧,୭୪୮ଟି ନମୂନା କୋଭିଡ-୧୯ ପରୀକ୍ଷା କରାଯାଇଛି। ଏବେସୁଦ୍ଧା ସମୁଦାୟ ୭୯ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ୨୯ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

Comments are closed.