Odisha Link
Bridging the Missing Links in Odisha

କରୋନା ଲଢ଼େଇରେ ମୃତ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ ଶହୀଦ ମର୍ଯ୍ୟାଦା

ଭୁବନେଶ୍ବର: ଯୁଦ୍ଧରେ ସୈନିକର ମୃତ୍ୟୁ ଘଟିଲେ ତାଙ୍କୁ ଶହୀଦ ମାନ୍ୟତା ମିଳୁଥିଲା। କରୋନା ଲଢ଼େଇକୁ ମଧ୍ୟ ପ୍ରଥମ ରାଜ୍ୟ ଭାବରେ ଯୁଦ୍ଧ ଭଳି ମର୍ଯ୍ୟାଦା ଦେଇଛନ୍ତି ଓଡ଼ିଶା ସରକାର। କରୋନା ମହାମାରୀ ବେଳେ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଯଦି ଏହି ଲଢ଼େଇରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କୁ ଶହୀଦର ମର୍ଯ୍ୟାଦା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି।

କରୋନା ଲଢ଼େଇରେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ କର୍ତ୍ତବ୍ୟର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ମୃତ୍ୟୁ ହେଲେ ଶହୀଦ ମାନ୍ୟତା ସହ ସମ୍ପୂର୍ଣ୍ଣ ସରକାରୀ ସମ୍ମାନ ସହ ସେମାନଙ୍କର ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶହୀଦ ଡାକ୍ତରଙ୍କ ପରିବାରବର୍ଗଙ୍କୁ ମଧ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କେହି ଦୁର୍ବ୍ୟବହାର ପ୍ରଦର୍ଶନ କଲେ ଏହାକୁ ଦେଶଦ୍ରୋହ ବିବେଚନା କରି ଜାତୀୟ ସୁରକ୍ଷା ଆଇନ ବଳରେ ସେମାନଙ୍କ ବିରୋଧରେ କଡ଼ା ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସାହସିକ ଓ ନିସ୍ବାର୍ଥପର ସେବା ପାଇଁ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.