Odisha Link
Bridging the Missing Links in Odisha

ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। କରୋନା ଯୁଦ୍ଧ ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଡାକ୍ତର, ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ର ପ୍ରତିନିଧୀଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଯୋଦ୍ଧା ଡାକ୍ତରଙ୍କୁ ସୁରକ୍ଷା ଦେବା ନେଇ ଆଶ୍ବସନା ଦେଇଛନ୍ତି। ଆଜି ଡାକ୍ତରଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ କହିଛନ୍ତି ଯେ, ସରକାର ଡାକ୍ତରଙ୍କ ସହିତ ରହିଛି ଏବଂ ଡାକ୍ତରଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯିବ।

ଏହାରି ମଧ୍ୟରେ ଆଜି ଦେଶର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ନିକଟରେ ହୋଇଥିବା ଆକ୍ରମଣ ଘଟଣାରେ ମେଡିକାଲ କର୍ମଚାରୀ, ଡାକ୍ତର, ଆଶା କର୍ମୀ ଏବଂ ଅନ୍ୟ ସମସ୍ତ ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏପିଡେମିକ୍ ରୋଗ ଅଧିନିୟମ, ୧୮୯୭ରେ ସଂଶୋଧନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶାନାମା ସୂଚନା ଅନୁଯାୟୀ, ଯେଉଁମାନେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବେ କିମ୍ବା ଭେଦଭାବ କରିବେ ସେମାନେ ୩ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହ ୫୦,୦୦୦ରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ। ଯଦି ଘଟଣା ଗୁରୁତର ହୁଏ ତେବେ ଜେଲ ଦଣ୍ଡ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ୧-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି।

ଏହା ସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହା ମଧ୍ୟ କହିଛନ୍ତି ଯେ ଯଦି ଗାଡ଼ି, ମେଡିକାଲ କ୍ଲିନିକ କିମ୍ବା ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ଅନ୍ୟ କୌଣସି ସମ୍ପତ୍ତିର କ୍ଷତି ହୁଏ, ତେବେ ଅଭିଯୁକ୍ତକୁ କ୍ଷତିଗ୍ରସ୍ତ ସମ୍ପତ୍ତିର ବଜାର ମୂଲ୍ୟରୁ ଦୁଇଗୁଣ ମୂଲ୍ୟ ଦେବାକୁ ପଡ଼ିବ।

ସୂଚନାଥାଉକି, ସୋମବାର ଦିନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍(ଆଇଏମଏ) ସାରା ଦେଶରେ ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରତି ହେଉଥିବା ହିଂସା ତଥା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲା। ଯଦି ହେଉଥିବା ହିଂସା ଉପରେ ସରକାର କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାରେ ବିଫଳ ହୁଅନ୍ତି ତେବେ ସାରା ଦେଶରେ ଏପ୍ରିଲ ୨୩କୁ ‘କଳା ଦିବସ’ ଘୋଷଣା କରାଯିବ ବୋଲି ଆଇଏମଏ ପକ୍ଷରୁ କୁହାଯାଇଥିଲା। ଆଜି ଏହି ବିଷୟ ଉପରେ ଆଲୋଚନା କରି କେନ୍ଦ୍ର ସରକାର କଡ଼ା ଆଇନ ପ୍ରଣୟନ କରିଛନ୍ତି। ଫଳରେ କଳା ଦିବସକୁ ବନ୍ଦ କରିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍।

Comments are closed.