Odisha Link
Bridging the Missing Links in Odisha

୧୨ ବର୍ଷରେ ଘର ଛାଡ଼ି ରିଙ୍କୁ ପାଲଟିଥିଲେ ସନ୍ଥ ସୁଶୀଳ ଗିରି

ଓଏଲ ବ୍ୟୁରୋ: ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ରର ପାଲଘର ଭିଡ଼ହତ୍ୟାରେ ୨ ଜଣ ଜୁନାଗଡ଼ ଆଖଡ଼ା ସନ୍ଥ ଓତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏପରିକି ମହାରାଷ୍ଟ୍ର ପାଲଘର ଭିଡ଼ହତ୍ୟା ଘଟଣାକୁ ନେଇ ସନ୍ଥ ସମାଜ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ କରିଛନ୍ତି ସନ୍ଥ ସମାଜ। ଏନେଇ ହିନ୍ଦୁ ଧର୍ମ ଆଚାର ସଭା ପକ୍ଷରୁ ସନ୍ଥମାନେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ ଖୋସିଆରୀଙ୍କୁ ଏକ ଦାବି ପତ୍ର ପଠାଇଛନ୍ତି।

ଏପ୍ରିଲ ୧୬ ତାରିଖରେ ହୋଇଥିବା ପାଲଘର ଭିଡ଼ହତ୍ୟାରେ ସନ୍ଥ ସୁଶୀଲ ଗିରିଙ୍କ ହତ୍ୟା ଖବର ସୋସିଆଲ ମିଡିଆରୁ ତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ। ମୃତ ସନ୍ଥ ସୁଶୀଳ ଗିରି ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା। ସେ ୧୨ ବର୍ଷ ବୟସରୁ ଗୃହତ୍ୟାଗ କରିଥିଲେ। ସେ ଶେଷଥର ପାଇଁ ୨୦୧୯ ନଭେମ୍ବର-ଡିସେମ୍ବର ମାସରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁୁ ନିଜ ଗାଁଁକୁ ଯାଇଥିଲେ।

ହତ୍ୟା ପୂର୍ବରୁ ଭାଇଙ୍କ ସହ କଥା ହୋଇଥିଲେ
ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ର ପାଲଘରର ଗଡ଼ଚିନଚଲେ ଗ୍ରାମରେ ୨ ଜଣ ଜୁନାଗଡ଼ ଆଖଡ଼ା ସନ୍ଥ ଓ ସେମାନଙ୍କ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏଭଳି ଘଟଣା ପୁଣି ଘଟିଥିଲା ପୁଲିସ କର୍ମୀଙ୍କ ଉପସ୍ଥିତିରେ। ଏପରିକି ଅଭିଯୁକ୍ତ ମାନେ ସାଧୁଙ୍କ ସହ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସେହି ଦିନ ବଡ଼ ଭାଇଙ୍କ ସହ ସନ୍ଥ ସୁଶୀଳ ଗିରି ଫୋନ ଯୋଗେ ଶେଷଥର ପାଇଁ କଥା ହୋଇଥିଲେ। ବଡ଼ ଭାଇଙ୍କୁ ସନ୍ଥ କହିଥିଲେ ଯେ, “ଗୁରୁଜୀଙ୍କ ଦେହାନ୍ତ ହୋଇଯାଇଛି। ଆମେ ସୁରଟ ଯାଉଛୁ। ଗୁରୁଜୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ।”

ରିଙ୍କୁରୁ ସନ୍ଥ ସୁଶୀଳ ଗିରି
ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୩୮ କିଲୋମିଟର ଦୂରରେ ଚାନ୍ଦା ସହର ଅବସ୍ଥିତ। ଜୁନାଗଡ଼ ଆଖଡ଼ା ସନ୍ଥ ସୁଶୀଳ ଗିରିିଙ୍କର ଜନ୍ମ ଏହିଠାରେ। ୩୫ ବର୍ଷୀୟ ସୁଶୀଳ ଗିରି ୧୨ ବର୍ଷ ବୟସରେ ଅର୍ଥାତ୍‌ ୧୯୯୭ ମସିହାରେ ଘର ଛାଡ଼ି ପଳାଇଥିଲେ। ସନ୍ନ୍ୟାସ ନେବା ପୂର୍ବରୁ ସନ୍ଥ ସୁଶୀଳ ଗିରିଙ୍କୁ ଲୋକେ ରିଙ୍କୁ ନାମରେ ଜାଣିଥିଲେ। ତାଙ୍କର ପ୍ରକୃତ ନାମ ଶିବନାରାୟଣ ଦୁବେ ଥିଲା। ୬ ଭାଇ ଭଉଣୀଙ୍କ ମଧ୍ୟରେ ସେ ସବୁଠୁ ସାନ ଥିଲେ।

ପରିବାର ଲୋକଙ୍କ କହିବା ମୁତାବକ, ରିଙ୍କୁ ଯେତେବେଳେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ ତାଙ୍କ ପିତା ତାଙ୍କୁ ଗାଳି କରିଥିଲେ। ସେ ରାଗିଯାଇ ଘରୁ ବାହାରି ପ୍ରତାପଗଡ଼ ପଳାଇଥିଲେ। ଯେଉଁଠାରେ ତାଙ୍କ ସମ୍ପର୍କୀୟଙ୍କ ରହୁଥିଲେ। ପରେ ସେଠାରେ କାହାକୁ କିଛି ନ ଜଣାଇ ଟ୍ରେନ ଯୋଗା ମୁମ୍ବାଇ ପଳାଇଥିଲେ। ସେଠାରେ ଜୁନାଗଡ଼ ଆଖଡ଼ା ସନ୍ଥଙ୍କ ସହିତ ତାଙ୍କର ସାକ୍ଷାତ ହୁଏ। ତା’ ପରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ। ରାମଗିରି ମହାରାଜଙ୍କ ନିକଟରୁ ସେ ଦୀକ୍ଷା ଗ୍ରହଣ କରିଥିଲେ।

ପିଲା ଦିନର ସାଙ୍ଗ ବୁଝାଇଥିଲେ ବି ଘରକୁ ଫେରି ନଥିଲେ
ସୁଶୀଳ ଗିରିଙ୍କ ଭାଇ ଶେଷ ନାରାୟଣ ଦୁବେଙ୍କ କହିବା ମୁତାବକ, ୨୦୦୫ ମସିହାରେ କାନପୁରରେ ଆୟୋଜିତ ଏକ ସତସଙ୍ଗ କାର୍ଯ୍ୟରେ ଯୋଗ ଦେଇଥିଲେ ସୁଶୀଳ ଗିରି। ସେଠାରେ ତାଙ୍କ ପିଲା ଦିନର ସାଙ୍ଗ ଜ୍ବାଳା ଦୁବେଙ୍କ ସହ ସାକ୍ଷାତ ହୋଇଥିଲା। ତାଙ୍କ ସାଙ୍ଗ ବହୁ ବୁଝାସୁଝା କରିବା ପରେ ସୁଶୀଳ ଘରକୁ ଫେରିଥିଲେ। ହେଲେ କିଛିଦିନ ରହିବା ପରେ ସେ ପୁଣି ପଳାଇଥିଲେ। ଏହାପରେ ସେ ମଝିରେ ମଝିରେ ଘରକୁ ଯିବା ଆସିବା କରୁଥିଲେ ବୋଲି କହିଛନ୍ତି ତାଙ୍କ ଭାଇ। ସେ ଶେଷଥର ପାଇଁ ୨୦୧୯ ନଭେମ୍ବର-ଡିସେମ୍ବର ମାସରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁୁ ଗାଁକୁ ଆସିଥିଲେ।

ଅନ୍ତିମ ସଂସ୍କାର ସାମିଲ ହୋଇ ପାରିଲେନି ପରିବାର
ସନ୍ଥ ସୁଶୀଳ ଗିରିଙ୍କ ୨ ଭାଇ ମୁ୍ମ୍ବାଇରେ ରହୁଛନ୍ତି। ହେଲେ ଲକ୍‌ଡାଉନ୍‌ ପାାଇଁ ସନ୍ଥଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରି ନ ଥିଲେ। ସୁଶୀଳଙ୍କ ମୃତ୍ୟ ପରେ ତାଙ୍କର ପରିବାର ଏବଂ ଗାଁ ଲୋକ ଗଭୀର ଶୋକରେ ଅଛନ୍ତି। ଏପରିକି ଅଭିଯୁକ୍ତଙ୍କୁ କଠିନରୁ କଠିନ ଦଣ୍ଡ ଦେବା ପାଇଁ ସମସ୍ତେ ମିଶି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ଦାବି କରିଛନ୍ତି।

Comments are closed.