Odisha Link
Bridging the Missing Links in Odisha

ଫନୀର ବର୍ଷେ ପରେ ପୁଣି ଲଘୁଚାପ: ମେ’ ୧ରେ ରଚିପାରେ ତାଣ୍ଡବ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ଏହି ଅଧିକ ସକ୍ରିୟ ହେବ । ଓଡ଼ିଶା ଉପରେ ଏହାର ପ୍ରଭାବ ଏଯାଏଁ ଆକଳନ ହୋଇପାରି ନାହିଁ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଗତକାଲି ଠାରୁ ଏଥିଲାଗି ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି।

ଗତବର୍ଷ ମେ ୩ ତାରିଖରେ ଓଡ଼ିଶା ଉପକୂଳରେ ମହାବାତ୍ୟା ଫନୀ ତାଣ୍ଡବ ରଚିଥିବା ବେଳେ ଠିକ ସେହି ସମୟରେ ଆଉ ଏକ ଲଘୁଚାପ ଦେଖାଦେବ। ଏପ୍ରିଲ ୨୯ରେ ଲଘୁଚାପ ଡିପ୍ରେସନ୍‌ ହେବା ବେଳେ ୩୦ ତାରିଖରେ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବ। ଏହା ପରେ ଯାଇ ଏହାର ପ୍ରଭାବ ବିଷୟରେ ପୂର୍ବାନୁମାନ କରିହେବ ବୋଲି ପାଣିପାଗ ବିଭାଗ ଜଣାଇଛନ୍ତି। ତେବେ ଯଦି ଏହାର ପ୍ରଭାବ ରହିଲା ମେ ୧ରୁ ୩ ତାରିଖ ମଧ୍ୟରେ ହୁଏତ ଏହା ବାତ୍ୟାର ରୂପ ଧାରଣ କରିପାରେ।

ତେବେ ବର୍ତ୍ତମାନ ରାଜ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇଯାଇଛି। ଗତକାଲି ଭୁବନେଶ୍ବରରେ ୪୧ ମିଲିମିଟର ଓ ବାଲେଶ୍ବରରେ ୭୦ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଓ ଯାଜପୁରରେ କିଛି ସ୍ଥାନରେ କୁଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବ। ଏହାଛଡ଼ା ଅବଶିଷ୍ଟ ଜିଲାଗୁଡ଼ିକରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବର୍ଷା ହୋଇପାରେ।

ଆସନ୍ତା ୨୬ରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ଲାଗିରହିବ। ଏଥିସହିତ ସୋନପୁର, ଅନୁଗୋଳ, ବୌଦ୍ଧ, ଢ଼େଙ୍କାନାଳ ଓ କନ୍ଧମାଳରେ ୪୦ରୁ ୫୦କିମି ବେଗରେ ପବନ ବହିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ଦେବଗଡ଼ ଓ ଅନୁଗୋଳରେ କୁଆପଥର ବୃଷ୍ଟି ଏବଂ ପ୍ରବଳ ବର୍ଷା ହେବ।

ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟାନ୍ୟ ଜିଲାରେ ୩୦ରୁ ୪୦କିମି ବେଗରେ ପବନ ଓ ବର୍ଷାର ସମ୍ଭାବନା ରହିଛି। ୨୭ତାରିଖରେ ୫ଟି ଜିଲାରେ ପ୍ରବଳ ବର୍ଷା ଓ ପବନ ସହିତ କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ୨୮ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ଝଡ଼ବର୍ଷା ହେବ।

Comments are closed.