Odisha Link
Bridging the Missing Links in Odisha

ବାହୁଡ଼ିଗଲେ ବିଜୟ ମିଶ୍ର

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ପରଲୋକ ଗମନ କରିଛନ୍ତି ନାଟ୍ୟକାର ବିଜୟ ମିଶ୍ର। ଓଡ଼ିଆ ମଞ୍ଚ ଜଗତର ଅନ୍ୟତମ ସମର୍ଥ ବିନ୍ଧାଣୀ, ନାଟ୍ୟକାର ଓ ସିନେମା ସଂଳାପକାର ଶ୍ରୀ ମିଶ୍ର ୮୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।‌ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ସେ ବହୁ ନାଟକ, ସିନେମା ଓ ଧାରବାହିକ ପାଇଁ ସଂଳାପ ରଚନା କରି ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତି ସୃଷ୍ଟି କରି ପାରିଥିଲେ।

୧୯୩୬ ମସିହା ଜୁଲାଇ ୧୬ ତାରିଖରେ ବାଲେଶ୍ବର ଜିଲ୍ଲା ନୀଳଗିରି ଅନ୍ତର୍ଗତ ସନ୍ତରାଗଡିଆରେ ଜନ୍ମଗ୍ରହଣ କରିଥିଲେ ବିଜୟ ମିଶ୍ର। ୬୦ରୁ ଅଧିକ ନାଟକ, ୫୫ଟି ଚଳଚ୍ଚିତ୍ରର କାହାଣୀ/ସଂଳାପ, ୭ଟି ଧାରାବାହିକର ଲେଖକ ସ୍ବର୍ଗତ ମିଶ୍ର ନାଟକ ପୁସ୍ତକ ବାନପ୍ରସ୍ଥ ପାଇଁ ୨୦୧୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୯୭୮ ମସିହାରେ ନାଟକ ଯାଦୁକର ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ୧୯୬୦ ମସିହାରେ ଜନନୀ ନାଟକ ଥିଲା ତାଙ୍କର ପ୍ରଥମ ସୃଷ୍ଟି। ଏହାପରେ ଏକାକୀ, ଅଶାନ୍ତ ଗ୍ରହ, ତିମିର ତୀର୍ଥ, ପ୍ରତୀକ୍ଷା, ଆର୍ତ୍ତନାଦ, ହେ ସ୍ଵର୍ଗ ବିଦାୟ, ଯାଯାବର, ସାଗର ତୀରେ, ଅସତ୍ୟ ସହର, ଚନ୍ଦ୍ର ଚୋରି, ଲଗ୍ନ, ଆହ୍ବାନ, ମଲାଜହ୍ନ, ଜୟଦେବ, ଯାଦୁକର, ତଟ ନିରଞ୍ଜନା, ସାକ୍ଷୀ ଇତିହାସ, ଧର୍ମାବତ୍ତାର, ପାଣୁ ନାୟକର ଜମାନବନ୍ଦୀ, ଭୋକ, ଅପବାଦ ଭଳି ବହୁ ନାଟକ ସୃଷ୍ଟି କରିଥିଲେ। ୨୦୧୧ ମସିହାରେ ବ୍ୟଙ୍ଗ କଥାକାର ଫତୁରାନନ୍ଦଙ୍କ ଉପନ୍ୟାସ ନାକଟା ଚିତ୍ରକରର ନାଟ୍ୟରୂପ ବିଜୟ ମିଶ୍ରଙ୍କର ଶେଷ ନାଟକ ଥିଲା।

ପିତା ହରିହର ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ଜନ୍ମିତ ବିଜୟ ମିଶ୍ରଙ୍କ ଗ୍ରାମ ସନ୍ତରାଗାଡ଼ିଆଠାରେ ଏକ ନାଟ୍ୟ ଦଳ ରହିଥିଲା ଓ ସେମାନେ ତାଙ୍କରି ଘରେ ନାଟକ ଅଭ୍ୟାସ କରୁଥିଲେ। ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ବିଜୟ ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ୍ କରି ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ। ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ। ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା ପଞ୍ଚଜନ୍ୟ ପତ୍ରିକାରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ।

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ, ସେ ନିଜର ପ୍ରଥମ ନାଟକ ‘ଜନନୀ’ ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରି ନ ଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳ ଦ୍ୱାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ସଫଳତାର ସହ ମଞ୍ଚସ୍ଥ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ଚଳଚ୍ଚିତ୍ରର ରୂପ ନେଇଥିଲା। ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ସିନେମା ଆକାରରେ ମୁକ୍ତିଲାଭ କରିଥିଲା। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଅକ୍ଷୟ ମହାନ୍ତି ଓ ହେମନ୍ତ ଦାସଙ୍କ ସହ ମିଶି ତ୍ରିମୁର୍ତ୍ତୀ ନାମରେ ସେ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ନାଟକ, ସାହିତ୍ୟ ଓ ଚଳଚ୍ଚିତ୍ର ଜଗତର ବହୁ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

Comments are closed.