Odisha Link
Bridging the Missing Links in Odisha

ଭୁବନେଶ୍ବର: ମଲ୍‌ ଓ ମାର୍କେଟ୍‌ କମ୍ପ୍ଲେକ୍ସ ଛାଡ଼ି ଅନ୍ୟ ସମସ୍ତ ଦୋକାନ ଖୋଲା ରହିବ

ଭୁବନେଶ୍ବର: ସହରରେ ଦୋକାନ ଖୋଲିବା ନେଇ ବ୍ୟବସାୟୀଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କିଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସମସ୍ତ ନୀତିନିୟମ ସ୍ପଷ୍ଟ କରିଛନ୍ତି ଶ୍ରୀ ଚୌଧୁରୀ। ସପିଂ ମଲ୍, ମାର୍କେଟ୍‌ କମ୍ପ୍ଳେକ୍ସ, ଏକକ ବା ବହୁ ବ୍ରାଣ୍ଡ ଷ୍ଟୋର୍, ସେଲୁନ୍‌ ଆଦି ବନ୍ଦ ରହିବ ବୋଲି ସେ କହିଛନ୍ତି। ଏହା ଭିନ୍ନ ସମସ୍ତ ଦୋକାନ ଖୋଲା ରହିପାରିବ ବୋଲି ସ୍ପଷ୍ଟ କରିଛନ୍ତି କମିଶନର। ତେବେ ଚା’, ପାନ, ଗୁଟଖା ଦୋକାନ ଓ ସେଲୁନ ଖୋଲିପାରିବନାହିଁ।

ଗୋଟିଏ ଅଟ୍ଟଳିକାରେ ୫ରୁ ଅଧିକ ଦୋକାନ ଥିଲେ ତାହାକୁ ମାର୍କେଟ୍‌ କମ୍ପ୍ଳଷକ୍ସ ଭାବରେ ଗଣାଯିବ। ଲାଗି ଲାଗି ୫ରୁ ଅଧିକ ଦୋକାନ ନଥିବା ବଜାର ଖୋଲା ରହିପାରିବ। ମାର୍କେଟ୍‌ କମ୍ପ୍ଲେକ୍ସରେ ନଥିବା ଲୁଗା ଦୋକାନ ଖୋଲିପାରିବ। ଦୋକାନର ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ। ଯେଉଁ ସବୁ ହାଟ ଓ ବଜାରକୁ ପଡ଼ିଆ, ରାସ୍ତା କଡ଼ ବା ବସ୍‌ଷ୍ଟପ୍‌ ଭଳି ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ସେ ସବୁ ସେହିସ୍ଥାନରେ ହିଁ ବ୍ୟବସାୟ କରିବେ, ପୁରୁଣା ସ୍ଥାନକୁ ଫେରିପାରିବେ ନାହିଁ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ମାର୍କେଟ୍‌ କମ୍ପ୍ଲେକ୍ସରେ ନ ଥିବା ନିର୍ମାଣ ସାମଗ୍ରୀ ଦୋକାନ ଖୋଲାରହିବ। ତେବେ ଏସବୁ ସ୍ଥାନରେ ରାତିରେ ବ୍ୟବସାୟ କରାଗଲେ ଭଲ ବୋଲି କମିଶନର ପରାମର୍ଶ ଦେଇଛନ୍ତି। ଜରୁରୀ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦେକାନ କେବଳ ସକାଳ ୧୦ରୁ ସଂଧ୍ୟା ୬ ଯାଏଁ ଖୋଲା ରହିବ। ବ୍ୟବସାୟୀଙ୍କର ଟ୍ରେଡ୍‌ ଲାଇସେନ୍ସ ସେମାନଙ୍କ ମୁଭ୍‌ମେଣ୍ଟ ପାସ୍‌ ଭାବରେ କାମ ଦେବ, ଅର୍ଥାତ୍‌ ଟ୍ରେଡ୍‌ ଲାଇସେନ୍ସ ଦେଖାଇ ସେମାନେ ରାସ୍ତାରେ ଯାତାୟତ କରିପାରିବେ। କର୍ମଚାରୀମାନଙ୍କୁ ଟ୍ରେଡ୍‌ ଲାଇସେନ୍ସର ନକଲ ମାଲିକ ଅନୁମୋଦନ () କରି ଦେବାକୁ ପରାମର୍ଶ ଦିଆଯାଇଛି। ଜରୁରୀ ସେମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ କାମ କରିବେ।

ଭୁବନେଶ୍ବରରେ ଥିବା ଶିଳ୍ପ ସଂସ୍ଥା ସ୍ବତନ୍ତ୍ର ପରିବେଶରେ ନିଗମ କର୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ଖୋଲିପାରିବେ।

Comments are closed.