Odisha Link
Bridging the Missing Links in Odisha

କରୋନା: ଦେଶରେ ୯ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୩୫ ହଜାର ପାର ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ପ୍ରତିଦିନ ଭଳି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ ୫୫୩ ଲୋକ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୧୯୯୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଆହୁରି କହିଛିନ୍ତି ଯେ, କୋଭିଡ୍‍ ସଂକ୍ରମଣ ଆରୋଗ୍ୟ ହାର ଗତ ୧୪ ଦିନ ମଧ୍ୟରେ ୧୩ .୦୬% ରୁ ୨୫.୩୭ %କୁ ବୃଦ୍ଧି ପାଇଛି । କୋଭିଡ୍‍-୧୯ କଟକଣା ଲାଗୁ ପୂର୍ବରୁ ପ୍ରତ୍ୟେକ ୩ ଦିନ ଓ ୪ ଘଣ୍ଟାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏଥିରେ ଉନ୍ନତି ଘଟି ୧୧ ଦିନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଉଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫, ୩୬୫ରେ ପହଁଞ୍ଚିଛି। ସେମଧ୍ୟରୁ ୧୧୫୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଏପର୍ଯ୍ୟନ୍ତ ୯୦୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଏକ ଆଶ୍ବସ୍ତିକର ଖବର। ଏଥିସହିତ ୨୫,୧୪୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.