Odisha Link
Bridging the Missing Links in Odisha

ଦେହଜୀବୀଙ୍କୁ କରୋନା ଭତ୍ତା

କରୋନା ଭୂତାଣୁ ସଂକ୍ରମଣ କାରଣରୁ ପ୍ରାୟ ବିଶ୍ବର ଅଧିକାଂଶ ସ୍ଥାନରେ ଜନସାଧାରଣଙ୍କ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିବା ବେଳେ ଜାପାନରେ ଦେହଜୀବୀମାନେ ବେଶ୍‌ କ୍ଷତି ସହିଛନ୍ତି। ଦିନକୁ ୪-୫ ଗ୍ରାହକ ଯୋଗାଡ଼ କରିପାରୁଥିବା ଦେହଜୀବୀ ଏବେ କରୋନା ଲକ୍‌ଡାଉନ୍‌ କାରଣରୁ ଗୋଟିଏ ବି ଗ୍ରାହକ ପାଉନାହାନ୍ତି। ଫଳରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କରୋନା ଜନିତ ଆର୍ଥନୈତିକ ଅବନତି କାରଣରୁ ସେମାନଙ୍କୁ ଅନ୍ୟକାମ ପାଇଁ ମଧ୍ୟ କେହି ନେବାକୁ ରାଜି ନାହାନ୍ତି। ଏଭଳି ସମୟରେ ଦେହଜୀବୀଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଜାପାନ ସରକାର।

ଜାପାନରେ ଜନତାଙ୍କ କ୍ଷତି ଭରଣା ପାଇଁ ସରକାର ୧୦୮ ଟ୍ରିଲିଅନ୍‌ ଜାପାନିଜ୍‌ ୟେନ୍‌ ଅର୍ଥବରାଦ କରିଛନ୍ତି, ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୭୧ ହଜାର କୋଟି ଟଙ୍କା ଅଧିକ। ତେବେ ଏହି ସହାୟତାର ହିତାଧିକାରୀ ତାଲିକାରେ ଦେହଜୀବୀଙ୍କୁ ମଧ୍ୟ ସାମିଲ କରିଛନ୍ତି ଜାପାନ ସରକାର। ତେବେ ଏହାକୁ ସ୍ଥାନୀୟ ସାମାଜିକ କର୍ମୀ ବିରୋଧ କରିଛନ୍ତି। ଜାପାନରେ ମୁଣ୍ଡପିଛା ୧ ଲକ୍ଷ ୟେନ୍‌ (ପ୍ରାୟ ୭୧ ହଜାର ଟଙ୍କା) ଦେବା ପାଇଁ ଆପାତତଃ ସ୍ଥିର ହୋଇଛି।

ଜାପାନରେ ଦେହ ବ୍ୟବସାୟ ୧୯୫୬ ମସିହାରୁ ନିଷିଦ୍ଧ ହୋଇଥିଲେ ହେଁ ହଜାର ହଜାର ସଂଖ୍ୟାରେ ‘ଫୁଜୋକୁ’ (ଦେହ ବ୍ୟବସାୟ କେନ୍ଦ୍ର) ଏବେ ବି ରହିଛି। ଟୋକିଓର ରେଡ୍‌ଲାଇଟ୍‌ ଅଞ୍ଚଳରେ ୩,୫୦୦ରୁ ଅଧିକ ଫୁଜୋକୁ ରହିଛି। ଆଇନରେ ତ୍ରୁଟି ଥିବାରୁ ଏହାର ଫାଇଦା ନେଇ ଫୁଜୋକୁମାନ ଗଢ଼ି ଉଠିଛି।

ଜାପାନରେ ଆଜି ସୁଦ୍ଧା ୧୫,୪୭୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୭୭ ଜଣଙ୍କର ମୃତ୍ୟୁ ହେଲାଣି। ଜାପାନର ମୋଟ ଜନସଂଖ୍ୟା ମାତ୍ର ୧୩ କୋଟି।

Comments are closed.