Odisha Link
Bridging the Missing Links in Odisha

ପ୍ରବାସୀ ଗଣିତ ଭୁଲ: ଓଡ଼ିଶା ଫେରିବାକୁ ଲାଗିବ ୬ ମାସ, କରୋନା ପରୀକ୍ଷା ପାଇଁ ୧୦ ମାସ

ଭୁବନେଶ୍ବର: ବର୍ତ୍ତମାନ ବସ୍, ଟ୍ରେନ୍‌, ବିମାନ ସବୁ ବନ୍ଦ ଥିବା ବେଳେ ପ୍ରବାସୀ ଓଡ଼ିଆ ନିଜ ଉଦ୍ୟମରେ ବା ସରକାରୀ ବ୍ୟବସ୍ଥାରେ ଓଡ଼ିଶା ଆସିବା ପାଇଁ ପ୍ରବନ୍ଧ ଚାଲିଛି। ବିଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୩୦ ହଜାର ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରି ଆସିଲେଣି। ତେବେ ଅନ୍ୟ ରାଜ୍ୟରୁ ସବୁ ପ୍ରବାସୀ ଓଡ଼ିଆଙ୍କୁ ଯଦି ଏହି ହାରରେ ଓଡ଼ିଶା ଅଣାଯାଏ ତେବେ ସମସ୍ତେ ଓଡ଼ିଶା ଫେରିବା ପାଇଁ ଆଉ ବର୍ଷେ ଲାଗିଯିବ ବେସରକାରୀ ଭାବେ ଅନୁମାନ କରାଯାଉଛି। ସେହିପରି ରାଜ୍ୟରେ କରୋନା ପାଇଁ ନମୁନା ପରୀକ୍ଷଣ ଯେଉଁ ହାରରେ ହେଉଛି ଯଦି ତାହା ବଳବତ୍ତର ରହେ, ତେବେ ସମସ୍ତ ପ୍ରବାସୀ ଓଡ଼ିଆଙ୍କ କରୋନା ପରୀକ୍ଷଣ ୧୦ ମାସ ସମୟ ନେବ।

ଗତ ବର୍ଷ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଯେତେବେଳେ ସୁରତ ଗସ୍ତ କରିଥିଲେ, ସୁରତରେ ପ୍ରାୟ ୭ ଲକ୍ଷ ଓଡ଼ିଆ ଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା। ବର୍ତ୍ତମାନ ପାଇଁ ଆମେ ଏହାକୁ ୫ ଲକ୍ଷ ବୋଲି ବିଚାରି ହିସାବ କରିବା। ଅନ୍ୟ ରାଜ୍ୟଗୁଡ଼ିକରେ ଆଉ କେତେ ପ୍ରବାସୀ ଅଛନ୍ତି ତାହାର ସଠିକ ହିସାବ ନଥିଲେ ହେଁ ଅତି କମରେ ୨ ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିବାକୁ ଅନାଇ ରହିଛନ୍ତି। ଆମେ ପ୍ରାୟ ୭ ଲକ୍ଷ ଓଡ଼ିଆ ଏବେ ରାଜ୍ୟକୁ ଫେରିବେ ବୋଲି ହିସାବକୁ ନେବା।

ଯାତ୍ରା ହିସାବ

ବସ୍‌ ଯାତ୍ରା: ଗୋଟିଏ ୫୧ ଆସନ ଥିବା ବସରେ ସାମାଜିକ ଦୂରତା ରଖିଲେ ଥରକେ ସର୍ବାଧିକ ୨୨ ଜଣ ଆସିପାରିବେ। କିନ୍ତୁ ଏବେ ଯେଉଁ ବସ୍‌ ସବୁ ଆସୁଛି ଏଥିରେ ଥରକେ ପ୍ରାୟ ୪୦ ଜଣ ଓଡ଼ିଆ ଫେରୁଛନ୍ତି। ଦିନକୁ ଯଦି ରାଜ୍ୟକୁ ୫୦ଟି ବସ୍‌ ଆସେ ତେବେ ୨୦୦୦ ଜଣ ପ୍ରବାସୀ ଫେରିପାରିବେ। ଯଦି ଏହି ହାରରେ ହିସାବ କରିବା ତେବେ ସବୁ ଶ୍ରମିକ ଆସିବାକୁ ୩୫୦ ଦିନ ବା ପ୍ରାୟ ଗୋଟିଏ ବର୍ଷ ଲାଗିବ।

ଟ୍ରେନ୍‌ ଯାତ୍ରା: ସୂଚନା ଅନୁସାରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ରେ ସର୍ବନିମ୍ନ ୧୨ରୁ ସର୍ବାଧିକ ୨୪ଟି ବଗି ରହିଥାଏ। ଆମେ ସର୍ବାଧିକକୁ ହିସାବକୁ ନେବା। ଗୋଟିଏ ବଗିରେ ୭୨ ଜଣ ଯାତ୍ରୀ ବସି/ ଶୋଇ ଯାଇପାରିବେ। ସାମାଜିକ ଦୂରତା ରଖିଲେ ଏ ସଂଖ୍ୟା ୩୬କୁ କମିଆସିବ। ଆମେ ୭୨କୁ ହିସାବକୁ ନେଲେ ଗୋଟିଏ ୨୪ ବଗି ବିଶିଷ୍ଟ ଟ୍ରେନରେ ସର୍ବାଧିକ ୧୭୦୦ ଯାତ୍ରୀ ଆସିପାରିବେ। ଦିନକୁ ଗୋଟିଏ ଟ୍ରେନ୍‌ ଆସିଲେ ୭ ଲକ୍ଷ ଲୋକ ଆସିବାକୁ ୧୩ ମାସରୁ ଅଧିକ ସମୟ ଲାଗିବ।

ଯଦି ଟ୍ରେନ୍‌ ଓ ବସ ଉଭୟ ନିୟୋଜିତ ହୁଏ ତଥାପି ମଧ୍ୟ ୬ ମାସରୁ ଅଧିକ ସମୟ ଲାଗିବ। ଯଦି ଦିନକୁ ୪ଟି ଟ୍ରେନ୍‌ ଚାଲେ ତାହେଲେ ୩ ମାସରୁ ଅଧିକ ସମୟ ଲାଗିବ।

ପରୀକ୍ଷା ହିସାବ

ଏବେ ରାଜ୍ୟରେ ଦିନକୁ ହାରାହାରି ୨,୫୦୦ କରୋନା ପରୀକ୍ଷା ହେଉଛି। ଏହି ହାରରେ ପରୀକ୍ଷା କରାଗଲେ ୭ ଲକ୍ଷ ଲୋକଙ୍କର ପରୀକ୍ଷା ପାଇଁ ପ୍ରାୟ ୧୦ ମାସ ସମୟ ଲାଗିଯିବ। ଦିନକୁ ଯଦି ୫,୦୦୦ ହଜାର ପରୀକ୍ଷା କରାଯାଏ ତେବେ ପ୍ରାୟ ୫ ମାସ ସମୟ ଲାଗିବ। ଅବଶ୍ୟ ଭବିଷ୍ୟତରେ ଦିନକୁ ୧୫,୦୦୦ ପରୀକ୍ଷା କରାଯିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗତକାଲି ସ୍ବାସ୍ଥ୍ୟ ବିଭାଗ ଜଣାଇଛି। ଯଦି ଦିନକୁ ୧୫,୦୦୦ ଲୋକଙ୍କର ନମୁନା ପରୀକ୍ଷା କରାଯାଏ ତଥାପି ମଧ୍ୟ ମଧ୍ୟ ସମସ୍ତ ପ୍ରବାସୀଙ୍କ ପରୀକ୍ଷା ପାଇଁ ଦେଢ଼ ମାସରୁ ଅଧିକ ଦିନ ଲାଗିବ। ସମସ୍ୟା ହେଉଛି ଦେଢ଼ ମାସ ଭିତରେ ୭ ଲକ୍ଷ ଲୋକ ଓଡ଼ିଶା ଫେରି ପାରି ନଥିବେ। ଏଣୁ ଫେରିବା ପାଇଁ ଯେତିକି ଦିନ ଲାଗୁଛି, ପରୀକ୍ଷା କ୍ଷୀପ୍ର ହେଲେ ମଧ୍ୟ ସେତିକି ଦିନ ନିଶ୍ଚୟ ଲାଗିବ।

ତେବେ ଏ ସମସ୍ୟାର ସମାଧାନ ପାଇଁ ଏଯାଏଁ ସେଭଳି କୌଣସି ସରଳ ସାମାଧାନର ସୂତ୍ର କେହି ଜଣାଇନାହାନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଗୁଜରାଟ ବା ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ସେଠାରେ ପରୀକ୍ଷା କରି ଅଣାଯାଏ, ହୁଏତ ତାହା କିଛି ମାତ୍ରାରେ ସମସ୍ୟା ସମାଧାନରେ ସହାୟକ ହେବ। ଭିନ୍ନ ଭିନ୍ନ ରାଜ୍ୟର ପରୀକ୍ଷା କେନ୍ଦ୍ରଗୁଡ଼ିକର ସହଯୋଗରେ ସରକାର ଦୈନିକ ପରୀକ୍ଷା ସଂଖ୍ୟା ବୃଦ୍ଧି କରିପାରିବେ। କିମ୍ବା ପ୍ରବାସୀ ଓଡ଼ିଆ ରହୁଥିବା ଅଞ୍ଚଳରେ ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ର ଖୋଲାଯାଇ ତ୍ବରିତ ପରୀକ୍ଷଣ କରାଯାଇ ପାରିବ ଓ ପରୀକ୍ଷାରେ ନେଗେଟିଭ୍‌ ବ୍ୟକ୍ତିଙ୍କୁ ଓଡ଼ିଶା ଫେରାଇ ଆଣି ହେବ। ତେଣିକି ଯେତେ ଦିନ ଲାଗୁଛି ଲାଗୁ, ଚିନ୍ତା ନାହିଁ। ଯଦି କେହି ପଜିଟିଭ ବାହାରନ୍ତି, ସେମାନଙ୍କୁ ସଂପୃକ୍ତ ରାଜ୍ୟ୍ୟର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା କରାଯାଇ ପାରିବ।

Comments are closed.