Odisha Link
Bridging the Missing Links in Odisha

ଅମ୍ପାନ୍: ଦମକଳ ଗାଡ଼ିରେ ସନ୍ତାନ ପ୍ରସବ

କେନ୍ଦ୍ରାପଡ଼ା: ମହାବାତ୍ୟା ଅମ୍ପାନ୍‌ ଏବେ ଓଡ଼ିଶାରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ତାଣ୍ଡବ ଆରମ୍ଭ ହୋଇଯାଇଛି। ତେବେ ଏଭଳି ଅସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। ବାତ୍ୟା କାରଣରୁ ଘରୁ ବାହାରିବାକୁ ଅସମର୍ଥ ଜଣେ ଗର୍ଭବତୀ ମହିଳା ଶେଷରେ ଦମକଳ ଗାଡ଼ି ଭିତରେ ସନ୍ତାନ ପ୍ରସବ କରିଛନ୍ତି।

ମହାକାଳପଡ଼ା ଥାନା ଜହ୍ନରା ଗାଁର ହାତିମ ସେଠୀଙ୍କ ପତ୍ନୀ ଜାନକୀ ସେଠୀ (୨୦) ଆଜି ସକାଳ ୯ଟାରେ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ମହାବାତ୍ୟା ଅମ୍ପାନ୍‌ ଯୋଗୁଁ ତାଙ୍କ ଘର ସମ୍ମୁଖ ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କୁ ଡାକ୍ତରଖାନା ନେବା ଅସମ୍ଭବ ହୋଇ ପଡ଼ିଥିଲା। ଘର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ବି ଭୀଷଣ ବର୍ଷା ଓ ଗଛ ପଡ଼ି ରାସ୍ତା ଅବରୋଧ ହେତୁ ଆମ୍ବୁଲାନ୍ସ ଆସି ପାରି ନଥିଲା। ଏଣୁ ଗ୍ରାମବାସୀ ତୁରନ୍ତ ଏ ନେଇ ମହାକାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେବା ସହ ସହାୟତା ଭିକ୍ଷା କରିଥିଲେ।

ଖବର ପାଇ ମହାକାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟର ଦୁଇଟି ଦଳ ତୁରନ୍ତ ଜାନକୀଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଜହ୍ନରା ଗାଁରେ ପହଞ୍ଚିବା ପୂର୍ବରୁ ରାସ୍ତାରୁ ୨୨ଟି ଗଛକୁ ହଟାଇ ସେମାନେ ଅବରୋଧଶୂନ୍ୟ କରିଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ ଜାନକୀଙ୍କ ପରିବାର ଲୋକେ ତାଙ୍କୁ ଦମକଳ ଗାଡ଼ିରେ ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ। ମହାକାଳ ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ଆଗରୁ ମଝି ରାସ୍ତାରେ ଜାନକୀ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଉଭୟ ମା’ ଓ କନ୍ୟାକୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଉଭୟେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

Comments are closed.