ଭାରତରେ ପଙ୍ଗପାଳ ଆତଙ୍କ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ଆତଙ୍କ ସମୟରେ ଭାରତ, ପାକିସ୍ତାନ ଓ ଇରାନ ପାଇଁ ନୂଆ ବିପଦ ଉଭା ହୋଇଛି। ହଠାତ ଏହି ତିନି ଦେଶରେ ପଙ୍ଗପାଳ ଆତଙ୍କ ଆରମ୍ଭ ହୋଇଯାଇଛି। ପାକିସ୍ତାନ ପଟୁ ରାଜସ୍ତାନର ମରୁଭୂମି ଡେଇଁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଭାରତରେ ପ୍ରବେଶ କରିଛନ୍ତି।
ରାଜସ୍ଥାନର ୩୩ ଜିଲ୍ଲାରୁ ୧୬ଟି ଜିଲ୍ଲାରେ ପଙ୍ଗପାଳମାନେ ନିଜର ତାଣ୍ଡବ ରଚିଛନ୍ତି। ବାଟରେ ଯାହା ପଡ଼ୁଛି (ବିଶେଷ କରି ଗଛ ଓ ଖାଦ୍ୟପଦାର୍ଥ) ଖାଇ ଯାଉଛନ୍ତି ପଙ୍ଗପାଳ ଦଳ। ଏବେ ଏମାନେ ପ୍ରବଳ ବେଗରେ ଦିଲ୍ଲୀ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି।
ମରୁଭୂମି ପଙ୍ଗପାଳ (desert locust) ଭାବେ ପରିଚିତ ଏହି ପୋକ ଏବେ ଦକ୍ଷିଣ ଏସିଆ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। ଏହାର ସମାଧାନ ପାଇଁ ଇରାନ ଓ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଛି ଭାରତ। ଏହି ଦୁଇ ଦେଶକୁ ଭାରତ ପକ୍ଷରୁ କୀଟନାଶକ ଯୋଗାଇ ଦିଆଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ଇରାନ ଏଭଳି ପ୍ରସ୍ତାବକୁ ସ୍ବାଗତ କରିଥିବା ବେଳେ ପାକିସ୍ତାନ ଏ ନେଇ ସହଯୋଗ କରୁ ନଥିବା ଜଣାଯାଇଛି।
ଗୋଟିଏ ମରୁଭୂମି ପଙ୍ଗପାଳ ଦୈନିକ ନିଜ ଓଜନର ଖାଦ୍ୟ (୨ ଗ୍ରାମ) ଖାଇଥାଏ। ଏକ ବର୍ଗ କିଲୋମିଟର ପଙ୍ଗପାଳ ଦଳରେ ପ୍ରାୟ ୪ କୋଟି ପୋକ ଥାଆନ୍ତି ଓ ଏମାନେ ଥରକେ ୩୫ ହଜାର ଲୋକଙ୍କର ଦିନକର ଖାଦ୍ୟ ଖାଇ ଦେଇଥାଆନ୍ତି। ୨୦୨୦ରେ ମରୁଭୂମି ପଙ୍ଗପାଳ ଭାରତ ଓ ଅନ୍ୟ ଦେଶରେ କୃଷି ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରାଯାଉଛି।
ଗତ ଡିସେମ୍ବର ମାସରୁ ଭାରତ ପଙ୍ଗପାଳ ଦମନ ପାଇଁ ସଂଘର୍ଷ କରି ଆସୁଛି ଓ ଅନେକ ସଫଳତା ବି ପାଇଛି। ତେବେ ମୌସୁମୀ ସମୟରେ ଏହା ପୁଣି ସମସ୍ୟା ସୃଷ୍ଟି କରିପାରେ। ରାଜସ୍ଥାନରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ୩୩ ପ୍ରତିଶତ ଚାଷଜମିରେ ଫସଲହାନୀ ଘଟିଛି।
https://www.facebook.com/OdishaLink/videos/652819432232002