କରୋନା ସମୟରେ ଗଣମାଧ୍ୟମ ପରିଚାଳନା
ଅନ୍ୟ ବ୍ୟାବସାୟିକ କ୍ଷେତ୍ର ଭଳି କରୋନା ମହାମାରୀ ଦ୍ବାରା ଗଣମାଧ୍ୟମ ଶିଳ୍ପ ମଧ୍ୟ ବେଶ୍ ପ୍ରଭାବିତ ହୋଇଛି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ସମ୍ପୂର୍ଣ୍ଣ ଧରାଶୟୀ ହୋଇପଡ଼ିଥିବା ବେଳେ ଖବରକାଗଜଗୁଡ଼ିକ ଆର୍ଥିକ ଓ ବ୍ୟାବସାୟିକ ସଂକଟ ଦେଇ ଗତି କରୁଛନ୍ତି। ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଆଧାର କମିଯାଇଛି। ସାମୟିକ ପତ୍ରିକାଗୁଡ଼ିକ ବନ୍ଦ ହୋଇଯାଇଛି। ଏଭଳି ସମୟରେ ବହୁ ଖବର ଅନୁଷ୍ଠାନ ଏବେ ଖର୍ଚ୍ଚକାଟ ଆରମ୍ଭ କରିଛନ୍ତି। ଦୈନିକ ଖବରକାଗଜ ‘ଧରିତ୍ରୀ’ ବହୁ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ‘ସମ୍ବାଦ’ କର୍ମଚାରୀଙ୍କ ଦରମା କାଟ କରିଛି। ‘ସମାଜ’ ଓ ‘ନିତିଦିନ’ ମଧ୍ୟ କର୍ମଚାରୀଙ୍କ ଦରମା କମ କରିଛନ୍ତି। ଜାତୀୟ ଖବରକାଗଜ ‘ବିଜିନେସ୍ ଷ୍ଟାଣ୍ଡାର୍ଡ’ ଭୁବନେଶ୍ବରରୁ ଏହାର କାର୍ଯ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିସାରିଛି। ଅନ୍ୟ ଖବରକାଗଜ ସଂସ୍ଥାମାନେ ମଧ୍ୟ ଏମାନଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଉପାୟ ଖୋଜୁଛନ୍ତି। ଟିଭି ଚ୍ୟାନେଲଗୁଡ଼ିକରେ କର୍ମଚାରୀ ଛଟେଇ ହୋଇ ନ ଥିଲେ ହେଁ ଆଉଟ୍ଡୋର ସୁଟିଂ ଓ ମୁଭ୍ମେଣ୍ଟ୍ କମ କରାଯାଇଛି। ଅଧିକାଂଶ ସଂସ୍ଥାରେ ନୂଆ ନିଯୁକ୍ତି ବା ଦରମା ବୃଦ୍ଧି ହେବାର ସମ୍ଭାବନା ନାହିଁ। ‘ନନ୍ଦିଘୋଷ’ ଟିଭିକୁ ଛାଡ଼ି କରୋନା ଲକ୍ଡାଉନ୍ ସମୟରେ କୌଣସି ନ୍ୟୁଜ୍ ଚ୍ୟାନେଲ ନୂଆ ନିଯୁକ୍ତି ଦେଇନାହାନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ, ବିଶେଷ କରି ଓଡ଼ିଶାରେ ଗଣମାଧ୍ୟମ ଶିଳ୍ପ ବ୍ୟାପକ ପରିବର୍ତ୍ତନ ଦେଖିଛି। ଓଡ଼ିଶାରେ ଶତାଧିକ ଓଡ଼ିଆ ଖବରକାଗଜ ବାହାରୁଥିବା ବେଳେ ୧୦ଟି ପ୍ରମୁଖ ଓ ବହୁଳ ପ୍ରସାରିତ ଖବରକାଗଜ ରହିଛି। ଏହି ଦଶଟି ମଧ୍ୟରୁ ୪ଟି ଖବରକାଗଜର ପ୍ରସାରଣ ୩ ଲକ୍ଷରୁ ଅଧିକ। ତେବେ ଟିଭି ଚ୍ୟାନେଲ କ୍ଷେତ୍ରରେ ଏହି ୨୦ ବର୍ଷ ଭିତରେ ଓଡ଼ିଶା ଆକାଶ ପାତାଳ ଫରକ ଦେଖିଛି। ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ରାଜ୍ୟରେ ଗୋଟିଏ ବି ସାଟେଲାଇଟ୍ ଚାନେଲ ନଥିଲା। ୧୯୯୮ରୁ ଓ-ଟିଭି କେବୁଲ ଚ୍ୟାନେଲ ଭାବେ ଚାଲୁଥିଲା। ରାଜ୍ୟରେ ପ୍ରଥମେ ଇଟିଭି-ଓଡ଼ିଆ ଏକ ମନୋରଂଜନ ଓ ଖବରଭିତ୍ତିକ ଚ୍ୟାନେଲ ଭାବେ ଆରମ୍ଭ ହେଲା। ଏହା ପରେ ୨୦୦୬ ମସିହାରେ କେବୁଲ ଚ୍ୟାନେଲରୁ ସାଟେଲାଇଟ୍ ଚାନେଲ ରୂପ ନେଲା ଓ-ଟିଭି। ଗତ ୧୦ ବର୍ଷ ଭିତରେ ଆଉ ପ୍ରାୟ ୧୦ଟି ନ୍ୟୁଜ୍ ଚାନେଲ ଓଡ଼ିଶାରେ ଆତ୍ମପ୍ରକାଶ କରିଛି। ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ପାଞ୍ଚଟି ନୂଆ ଟିଭି ଚ୍ୟାନେଲ ସାଙ୍ଗକୁ ଶହେରୁ ଅଧିକ ନ୍ୟୁଜ୍ ଓ୍ବାବ୍ ପୋର୍ଟାଲର ଅଭ୍ୟୁଦୟ ହୋଇଛି।
ରାଜ୍ୟରେ ଗଣମାଧ୍ୟମର ସ୍ଥିତି
ଖବରକାଗଜର ଏକ ବଡ଼ ଆୟ ବିଜ୍ଞାପନରୁ ଆସୁଥିବା ବେଳେ ବିକ୍ରିରୁ ମଧ୍ୟ କିଛି ଲାଭାଂଶ ମିଳିଥାଏ। ଖବରକାଗଜ ଛପାଇ ପାଇଁ ସରକାରଙ୍କ ଠାରୁ ରିହାତି ଦରରେ କାଗଜ ପାଇଥାଆନ୍ତି ଖବରକାଗଜ ସଂସ୍ଥା। ଯେଉଁ ଖବରକାଗଜର ନିଜର ଛପାକଳ ଅଛି ସେମାନେ ସେହି ଛପାକଳରେ ଅନ୍ୟ ଖବରକାଗଜ ଛପାଇ ଅତିରିକ୍ତ ଆୟ କରିଥାଆନ୍ତି। ପ୍ରଚାର ବିଜ୍ଞାପନ ସମେତ ଅଧିକାଂଶ ଜରୁରୀ ସରକାରୀ ଓ ବେସରକାରୀ ବିଜ୍ଞାପନ (ଯଥା- ଟେଣ୍ଟର, ନିଲାମ ନୋଟିସ, ବ୍ୟାଙ୍କ ନୋଟିସ୍, କମ୍ପାନୀ ବାଲାନ୍ସସିଟ୍, ଭୂମିଅଧିଗ୍ରହଣ ନୋଟିସ, ସ୍ପଷ୍ଟୀକରଣ, ନିଯୁକ୍ତି ବିଜ୍ଞାପନ, ଅପରାଧ ସମ୍ବନ୍ଧୀୟ ବିଜ୍ଞପ୍ତି, ନିଖୋଜ ବିଜ୍ଞାପନ, ସରକାରୀ ସଂସ୍ଥାମାନଙ୍କର ଘୋଷଣାପତ୍ର, ବିସ୍ତାର ରିପୋର୍ଟ, ଚଳଚ୍ଚିତ୍ର ବିଜ୍ଞାପନ, ପୁରସ୍କାର ବା ପ୍ରତିଯୋଗିତା ମନୋନୟନ ଘୋଷଣା ଆଦି) କେବଳ ଖବରକାଗଜରେ ପ୍ରକାଶ ପାଇଥାଏ।
ଖବର ଟିଭି ଚ୍ୟାନେଲଗୁଡ଼ିକ ପ୍ରାୟତଃ ଗ୍ରାହକଙ୍କ ଠାରୁ କିଛି ପାଇ ନ ଥାଆନ୍ତି। ରାଜ୍ୟରେ ଅଧିକାଂଶ ଖବର ଚ୍ୟାନେଲ ଫ୍ରି-ଟୁ-ଏୟାର, ଅର୍ଥାତ ଲୋକେ ଏହାକୁ ମାଗଣା ଦେଖିବେ। ଓଲଟି ଲୋକଙ୍କୁ ନିଜର ଚ୍ୟାନେଲ ଦେଖାଇବା ପାଇଁ ଟିଭି ଚ୍ୟାନେଲମାନଙ୍କୁ କେବୁଲ ଅପରେଟର୍ ଓ ବେତାର ଆଣ୍ଟେନା ସଂସ୍ଥାକୁ ଟଙ୍କା ଦେବା ସାଙ୍ଗକୁ ସାଟେଲାଇଟ୍ ପ୍ରସାରଣ ପାଇଁ ପ୍ରଚୁର ଖର୍ଚ୍ଚାନ୍ତ ହେବାକୁ ପଡ଼େ। ନ୍ୟୁଜ୍ ଚ୍ୟାନେଲମାନେ ବିଜ୍ଞାପନ ବାବଦରେ, ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଓ ଇଭେଣ୍ଟ୍ ମାଧ୍ୟମରେ ରୋଜଗାର କରିଥାଆନ୍ତି। ଏଥିରେ ମୁଖ୍ୟତଃ ସରକାରୀ ପ୍ରଚାର, ସଚେତନତା ବାର୍ତ୍ତା, ନୂଆ ଘୋଷଣା, ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ ବାହାରିଥାଏ।
ପୋର୍ଟାଲଗୁଡ଼ିକରେ ଖର୍ଚ୍ଚ କମ, ଆୟ ଆଦୌ ନାହିଁ କହିଲା ଚଳେ। ଏକକ ଉଦ୍ୟମରେ ଗୋଟିଏ ପୋର୍ଟାଲ ବର୍ଷକୁ ୧୦-୧୫ ହଜାର ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହୋଇପାରୁଥିବା ବେଳେ କାର୍ଯ୍ୟାଳୟ ଓ କର୍ମଚାରୀ ସମ୍ବଳିତ ଏକ ପେଶାଦାର ଖବର ପୋର୍ଟାଲରେ ମାସକୁ ୧ ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ ହୋଇଥାଏ। ଅତି ଉଚ୍ଚମାନର ଓ ସମାନ୍ତରାଳ ପ୍ରସିଦ୍ଧ ଖବର ସଂସ୍ଥାଗୁଡ଼ିକ ସହ ପ୍ରତିଯୋଗିତା କଲା ଭଳି ଏକ ପୋର୍ଟାଲ ପାଇଁ ମାସକୁ ଅତି କମରେ ୨-୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଓଡ଼ିଶାରେ ଶତାଧିକ ଖବର ପୋର୍ଟାଲ ଥିବା ବେଳେ ଏସବୁ ମଧ୍ୟରୁ ପ୍ରାୟ ୨୫ଟିର ବିଶ୍ବ ମାନ (ର୍ୟାଙ୍କ୍) ୧୦ ଲକ୍ଷ ଭିତରେ ଓ ଭାରତୀୟ ମାନ ୧ ଲକ୍ଷ ଭିତରେ। ଏହି ୨୫ଟି ପୋର୍ଟାଲ ମଧ୍ୟରୁ ପ୍ରାୟ ୧୫ଟି ବିଭିନ୍ନ ପ୍ରମୁଖ ଖବରକାଗଜ ଓ ଟିଭି ଚ୍ୟାନେଲ ଦ୍ବାରା ପରିଚାଳତି। ଏମାନଙ୍କ କ୍ଷେତ୍ରରେ ଖବରର ସୂତ୍ର ଅନ୍ୟମାନଙ୍କ ଠାରୁ ଅଧିକ। ଏମାନଙ୍କର କାର୍ଯ୍ୟାଳୟ ପାଇଁ ପ୍ରାୟତଃ ଅତିରିକ୍ତ ଖର୍ଚ୍ଚ ନ ଥିବା ବେଳେ ଦୃଢ଼ ହୋଷ୍ଟିଂ ଲାଗି ବାର୍ଷିକ ଏକକାଳୀନ ଉଚ୍ଚ ଦେୟ (୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ) ଦେବାକୁ ହୋଇଥାଏ। ଏସ୍ଇଓ, ଗୁଗୁଲ ନ୍ୟୁଜ୍ ଲିଷ୍ଟିଂ ତଥା ତ୍ରୁଟି ସୁଧାରିବା ଆଦି ବୈଷୟିକ କାର୍ଯ୍ୟ ପାଇଁ ଏସବୁ ସଂସ୍ଥାରେ ମୋଟା ଦରମାରେ ଡେଭଲପର ନିଯୁକ୍ତ ହୋଇଥାଆନ୍ତି। ଛୋଟ ସଂସ୍ଥାମାନେ ଏହା ଆଦୌ କରନ୍ତିନାହିଁ କିମ୍ବା କୌଣସି ସଂସ୍ଥାକୁ ସାମୟିକ ଭାବେ ଅର୍ଥ ଦେଇ ଏସବୁ କାମ କରାଇ ନିଅନ୍ତି। ବାକି ୧୦ଟି ପୋର୍ଟାଲ କ୍ଷୁଦ୍ର ଗଣମାଧ୍ୟମ ସଂସ୍ଥା ଦ୍ବାରା ପରିଚାଳିତ, ଯେଉଁମାନଙ୍କର ସ୍ଥାୟୀ କାର୍ଯ୍ୟାଳୟ ଓ ସୀମିତ କର୍ମଚାରୀ ଥାଆନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ସଂସ୍ଥା ପାଖରେ ବାହାରେ ନିୟମିତ ବୁଲି ଖବର ସଂଗ୍ରହ କରିବା ପାଇଁ ପର୍ଯ୍ୟାପ୍ତ ସାମ୍ବାଦିକ ନ ଥିବାରୁ ଏମାନେ ନିଜର ସୂତ୍ର, ପ୍ରେସ୍ ଇସ୍ତାହାର, ସାମାଜିକ ଗଣମାଧ୍ୟମ, ଅନ୍ୟ ପ୍ରସିଦ୍ଧ ଗଣମାଧ୍ୟମକୁ ଆଧାର ଭାବେ ନେଇ ଖବର ସଂଗ୍ରହ କରିଥାଆନ୍ତି। ପୋର୍ଟାଲର ଆୟ କେବଳ ବିଜ୍ଞାପନ ଉପରେ ନିର୍ଭରଶୀଳ। ଇଂରାଜୀ ଭାଷାର ପୋର୍ଟାଲ ଗୁଗୁଲ ବିଜ୍ଞାପନ (ଯେତେ ମାତ୍ରାରେ ପାଠକ ଆସିବେ ସେତେ ଅଧିକ ଆୟ) ପାଉଥିବା ବେଳେ ଓଡ଼ିଆ ପୋର୍ଟାଲମାନେ ନିଜ ଉଦ୍ୟମରେ ଯେତିକି ବିଜ୍ଞାପନ ପାଇଥାଆନ୍ତି ସେଥିରେ ସନ୍ତୁଷ୍ଟ ହେବାକୁ ପଡ଼େ। ନେଟିଭ୍ ଆଡ୍ ନାମରେ ବହୁ ସଂସ୍ଥା ଏବେ ଓଡ଼ିଆ ପୋର୍ଟାଲ ପାଇଁ ବିଜ୍ଞାପନ ଦେଉଥିଲେ ବି ସେଥିରୁ ଆୟ ବେଶ୍ ନଗଣ୍ୟ। ଉଦାହରଣ ସ୍ବରୂପ, ମାସକୁ ୧ ଲକ୍ଷ ୟୁନିକ୍ ଭିଜିଟର ଓ ପ୍ରାୟ ୫ ଲକ୍ଷ ଲିଙ୍କ୍ ଭିୟୁ (click on links) ପାଉଥିବା ଏକ ଇଂରାଜୀ ପୋର୍ଟାଲ ଗୁଗୁଲ ବିଜ୍ଞାପନ ବାବଦରେ ୩୦ରୁ ୬୦ ହଜାର ଟଙ୍କା ଆୟ କରୁଥିବା ବେଳେ ସେହି ସମାନ ସଂଖ୍ୟକ ଭିଜିଟର ଓ ଭିୟୁ ଥିବା ଏକ ଓଡ଼ିଆ ଭାଷାର ପୋର୍ଟାଲ ନେଟିଭ୍ ଆଡ୍ରୁ ମାତ୍ର ୩୦୦ରୁ ୧,୦୦୦ ଟଙ୍କା ଭିତରେ ଆୟ କରିଥାଆନ୍ତି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ମୁଖ୍ୟତଃ ଆଡଭର୍ଟୋରିଆଲ୍ (ବିଜ୍ଞାପନ ଧର୍ମୀ ଖବର), ଶୁଭାକାଂକ୍ଷୀମାନଙ୍କ ଠାରୁ ଆଂଚଳିକ ବିଜ୍ଞାପନ ଓ କେହି କେହି ନିଜ ସମ୍ପର୍କ ଆଧାରରେ ବିଭିନ୍ନ ପିଏସ୍ୟୁ, ନିଗମ, ମେଳା ମଉଛବ, ଶିକ୍ଷାନୁଷ୍ଠାନ ଓ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକଠାରୁ ବିଜ୍ଞାପନ ପାଇଥାଆନ୍ତି। ସରକାରୀ ସ୍ତରରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ୫-୭ଟି ପୋର୍ଟାଲକୁ କିଛି ମାସ ଯାଏଁ ବିଜ୍ଞାପନ ଦେଉଥିଲେ ଯେଉଁଥିରୁ ବହୁ ଯୋଗ୍ୟ ପୋର୍ଟାଲ ବଞ୍ଚିତ ହୋଇଥିଲେ। ଭବିଷ୍ୟତରେ ବିଜ୍ଞାପନରୁ ପୋର୍ଟାଲକୁ ଭାଗ ଦେବାକୁ ଓଡ଼ିଶା ସରକାର ଏବେ ଯୋଜନା କରୁଥିବା ସୂଚନା ମିଳିଛି।
ଓଡ଼ିଶାରେ ଖବର ପତ୍ରିକାଗୁଡ଼ିକ ଚାଲୁନାହିଁ। ଅତୀତରେ ଶତାବ୍ଦୀ, ଦୁର୍ମୁଖ, ସ୍ବଦେଶ, ପ୍ରତିନିଧି, ନୂଆ ନିଆଁଖୁଣ୍ଟା, ବିଭିନ୍ନ ଖବରକାଗଜର ସାପ୍ତାହୀକ ସଂସ୍କରଣ ଆଦି ପ୍ରକାଶ ପାଇ ଅଧିକାଂଶ ବନ୍ଦ ହୋଇଯାଇଛି। କିଛି ସ୍ବାଧୀନ ସାପ୍ତାହିକ, ମାସିକ ଓ ପାକ୍ଷିକ ଡାବଲଏଡ ଅଥବା ପତ୍ରିକା ବହୁ କଷ୍ଟରେ ଅନିୟମିତ ଭାବେ ବାହାରୁଛନ୍ତି। ଏସବୁର ପ୍ରସାରଣ ସଂଖ୍ୟା ବହୁତ କମ (୫୦୦ରୁ ୧୦,୦୦୦ ଭିତରେ)। ପତ୍ରିକା ବିକ୍ରିରୁ ବିଶେଷ ଲାଭ ହୁଏନାହିଁ। ବିଜ୍ଞାପନ ବାବଦରେ ଅଳ୍ପ କିଛି ଆୟ ହୁଏ।
କରୋନା ଓ ଗଣମାଧ୍ୟମ ପରିଚାଳନା
କରୋନା ସମୟରେ ବିଜ୍ଞାପନ ଓ ବ୍ୟବସାୟ ବନ୍ଦ ଅଥବା ବହୁ ପରିମାଣରେ କମି ଯାଇଛି। ଖବରକାଗଜଗୁଡ଼ିକର ବିକ୍ରି ୮୦ ପ୍ରତିଶତ କମିଛି। ଖବର ଟିଭି ଚ୍ୟାନେଲଗୁଡ଼ିକର ଟିଆର୍ପି କମିଥିବା ବେଳେ ମନୋରଂଜନ ଚ୍ୟାନେଲର ବୃଦ୍ଧିପାଇଛି। ଓଡ଼ିଶାର ୨୦-୩୦ ପ୍ରମୁଖ ପୋର୍ଟାଲକୁ ଛାଡ଼ିଦେଲେ ଅଧିକାଂଶ ପୋର୍ଟାଲ ଏବେ ନିୟମିତ ଖବର ଦେଇ ପାରୁନାହାନ୍ତି। ଅବଶ୍ୟ ଏହି କରୋନା ସମୟରେ କିଛି ନୂଆ ପୋର୍ଟାଲର ଅଭ୍ୟୁଦୟ ହୋଇଛି। ଜିଲ୍ଲାସ୍ତରରେ କିଛି ପୋର୍ଟାଲ ନିଜର ଉପସ୍ଥିତି ଜାହିର କରିଛନ୍ତି। ବଡ଼ କଥା ହେଲା ଏ ସମୟରେ ପୋର୍ଟାଲଗୁଡ଼ିକର ଭିୟୁ ଆଶାତୀତ ଭାବେ ବୃଦ୍ଧିପାଇଛି।
କରୋନା ସମୟରେ ପତ୍ରିକା, ଖବରକାଗଜ, ଟିଭି ଚ୍ୟାନେଲ ଓ ପୋର୍ଟାଲମାନେ ଛଟେଇ ବା ସଂସ୍ଥା ବନ୍ଦ ନ କରି କିଭଳି ତିଷ୍ଠି ରହିପାରିବେ, ସେ ନେଇ କେତୋଟି ପରାମର୍ଶ ନିମ୍ନରେ ଦିଆଗଲା। ଏ ଲେଖକ ଠାରୁ ଅଧିକ ଯୋଗ୍ୟ ଓ ଚିନ୍ତାଶୀଳ ବ୍ୟକ୍ତି ଗଣମାଧ୍ୟମ ସଂସ୍ଥାମାନଙ୍କରେ ଅଛନ୍ତି। ଏ ପରାମର୍ଶ ଠାରୁ ସେମାନଙ୍କ ପାଖରେ ଯଥେଷ୍ଟ ଅଧିକ ସମାଧାନର ସୂତ୍ର ଥାଇପାରେ।
ଖବରକାଗଜ: ଖବରକାଗଜଗୁଡ଼ିକର ଇ-ପେପର୍ ପୂର୍ବରୁ ମଧ୍ୟ ଉପଲବ୍ଧ ହେଉଛି। ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ସମୟରେ ଇ-ପେପର୍ ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗୋଟିଏ ଖବରକାଗଜ ପଢ଼ିବା ପାଇଁ ପାଠକଙ୍କୁ ମାସକୁ ୧୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିବା ବେଳେ ଇ-ପେପର୍ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି। ଆୟ ବୃଦ୍ଧି ପାଇଁ ଖବରକାଗଜମାନେ ଇ-ପେପର ଉପରେ ଏକ ମାସିକ ଦେୟ ଆଦାୟ କରିପାରିବେ। ମାସକୁ ୨୦-୩୦ ଟଙ୍କା ହେଲେ ଯେ କୌଣସି ପାଠକ ଅନାୟାସରେ ଏହା ଦେଇପାରିବେ। ଖବରକାଗଜର ମୂଲ୍ୟ ଅପରିବର୍ତ୍ତିତ ରଖି ପୃଷ୍ଠାସଂଖ୍ୟା କମ କରାଗଲେ ଖର୍ଚ୍ଚକାଟ ହେବ। ପୂର୍ବରୁ ଓଡ଼ିଆ ଖବରକାଗଜର ପୃଷ୍ଠା ସଂଖ୍ୟା ୨୦-୨୪ ଥିବା ବେଳେ ଏବେ ଏହାକୁ ୮ରୁ ୧୨ ମଧ୍ୟରେ ସୀମିତ ରଖାଯାଇ ପାରିବ। ଯେଉଁ ଖବରକାଗଜଗୁଡ଼ିକର ପୋର୍ଟାଲ ନାହିଁ ସେମାନେ ପୋର୍ଟାଲ ମାଧ୍ୟମରେ ମଧ୍ୟ କିଛି ଆୟ କରିପାରିବେ। ରଙ୍ଗୀନ ବଦଳରେ କଳା-ଧଳା ଛପାଇ ଓ କାଗଜର ମାନ କମ କଲେ ମଧ୍ୟ ଖବରକାଗଜର ପ୍ରସ୍ତୁତି ଖର୍ଚ୍ଚ କମିବ। ନିୟମିତ କର୍ମଚାରୀ ମିଟିଂ, ପରିଦର୍ଶନ ଆଦିରେ ଖର୍ଚ୍ଚ ନ କରି ଏସବୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇପାରିବ। କାର୍ଯ୍ୟାଳୟ ସାଜସଜ୍ଜା, ନୂଆ ସାମଗ୍ରୀ କିଣିବା ଆଦି ବନ୍ଦ କରି ଉପଲବ୍ଧ ସୁବିଧାରେ କାର୍ଯ୍ୟାଳୟ ପରିଚାଳନା କରାଯାଇପାରିବ। କାର୍ଯ୍ୟାଳୟ ପରିଚାଳନାରେ ଚିଠି, କାଗଜପତ୍ର କାମ କମାଇ ଇଣ୍ଟରନେଟକୁ ବ୍ୟବହାର କରାଯାଇ ପାରିବ ଓ ଅଫିସ ଷ୍ଟେସନାରୀ ମଧ୍ୟ ଯଥାସମ୍ଭବ କମ କରିହେବ।
ଖବର ଚ୍ୟାନେଲ: ଟିଭି ଚ୍ୟାନେଲଗୁଡ଼ିକ ଫ୍ରି-ଟୁ-ଏୟାର ବଦଳରେ ଦର୍ଶକଙ୍କ ଠାରୁ ମାସକୁ କିଛି ଦେୟ ନେଇପାରିବେ। ୫-୧୦ ଟଙ୍କା ଭିତରେ ହେଲେ ତାହା ବାଧିବନାହିଁ। ଲାଇଭ୍ କାର୍ଯ୍ୟକ୍ରମରେ ଅଯଥା ଓବି ଭ୍ୟାନ୍ ବ୍ୟବହାର, ଅତିଥିଙ୍କୁ ଷ୍ଟୁଡିଓକୁ ଆଣିବା, ଅନ୍ୟ ସ୍ଥାନରେ ଥିବା ଅତିରିକ୍ତ ଷ୍ଟୁଡିଓ ବ୍ୟବହାର କରିବା ଆଦି ନ କରି ଫୋନ୍ରେ ମତାମତ କିମ୍ବା ଭିଡିଓ କନଫରେନ୍ସିଂରେ ଆଲୋଚନା କରାଯାଇ ପାରିବ। ସଂସ୍କୃତି, ପରମ୍ପରା ଓ ଅନ୍ୟ ଉତ୍ସାହପ୍ରଦ ଘଟଣାକୁ ଲାଇଭ୍ ନ କରି ଡେଫର୍ଡ ଲାଇଭ୍ କରାଯାଇପାରିବ। ସବୁ ସମୟରେ କ୍ୟାମେରାମ୍ୟାନ୍, କ୍ୟାମେରା, ଲାଇଟ୍, ଟ୍ରାଇପଡ୍ ଓ ଅନ୍ୟାନ୍ୟ ସୁଟିଂ ସାମଗ୍ରୀ ଗାଡ଼ିରେ ବୋହି ନ ନେଇ ମୋବାଇଲ ଫୋନ ମାଧ୍ୟମରେ ମଧ୍ୟ ସୁଟିଂ କରିହେବ। ଅଣପ୍ରାଇମଟାଇମ୍ କାର୍ଯ୍ୟକ୍ରମୁଡ଼ିକରେ ଟିମ୍ ବାହାରକୁ ନ ପଠାଇ କିଭଳି ଉପଲବ୍ଧ ଭିଡିଓ ଓ ଇଣ୍ଟରନେଟରୁ ସଂଗୃହିତ ତଥ୍ୟକୁ ମିଶାଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିହେବ ସେ ବାବଦରେ ଚିନ୍ତା କରାଯାଇ ପାରିବ। ହୋଟେଲ, ସଭାକକ୍ଷ ବା ଖୋଲା ସ୍ଥାନରେ ସଭାସମିତି, ଆଲୋଚନା ଏବେ ବନ୍ଦ ଥିବାରୁ ଓ୍ବେବିନାର୍ (online meeting or discussion) ମାଧ୍ୟମରେ ଇଭେଣ୍ଟ ଆୟୋଜନ କରି ବିଜ୍ଞାପନ ସଂଗ୍ରହ କରିହେବ।
ପୋର୍ଟାଲ: କରୋନା ସମୟରେ ଖବର ପରସିବାରେ ସର୍ବାଗ୍ରେ ଥିଲେ ବି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜ୍ୟର ପୋର୍ଟାଲ ସମୁହ। ଅଳ୍ପ କେତୋଟି ବଡ଼ ଗଣମାଧ୍ୟମ ଗ୍ରୁପକୁ ଛାଡ଼ି ବାକି ଅନୁଷ୍ଠାନଗୁଡ଼ିକର ଅବସ୍ଥା ଅସମ୍ଭାଳ। ତେବେ ଏହି ତିରୋଟ ସମୟରେ ପୋର୍ଟାଲକୁ ମଧ୍ୟ ବଞ୍ଚାଇ ହେବ। ହୋଷ୍ଟିଂ ଡେଭେଲପମେଣ୍ଟ ଓ ଡିଜାଇନ ପରିବର୍ତ୍ତନରେ ଆଦୌ ଏବେ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ। ସର୍ବନିମ୍ନ ହୋଷ୍ଟିଂ ପ୍ଲାନ୍ରେ ପୋର୍ଟାଲ ଚାଲିପାରିବ। ବିଦେଶ ଭଳି ଦେଶର ବଡ଼ ପୋର୍ଟାଲ ଯଥା ହିନ୍ଦୁ, ଟାଇମ୍ସ ଅଫ୍ ଇଣ୍ଡିଆ ଆଦି ଏବେ ପାଠକଙ୍କୁ ଗ୍ରାହକ ଦେୟ (subscription) ମାଗିଲେଣି। ଓଡ଼ିଆ ପୋର୍ଟାଲମାନେ ସମାନ ଧରଣର ଅନୁରୋଧ ନିଜ ପାଠକଙ୍କୁ ମାଗିପାରିବେ। କିଛି ସାଧାରଣ ଖବର ପଢ଼ିବା ପାଇଁ ସର୍ବସାଧାରଣଙ୍କୁ ଅନୁମତି ଦେବା ବେଳେ ବିଶେଷ ପାଠଗୁଡ଼ିକ କେବଳ ଗ୍ରାହକ ପଢ଼ିପାରିବା ଭଳି ବ୍ୟବସ୍ଥା କରିବେ। ମାସକୁ ୧୦-୩୦ ଟଙ୍କା ଗ୍ରାହକ ଦେୟ ଆଦାୟ କରାଯାଇ ପାରିବ। ନିଜର ଉପଲବ୍ଧ କର୍ମଚାରୀଙ୍କୁ ବ୍ୟବହାର କରି ଅଧିକରୁ ଅଧିକ ଆଡଭର୍ଟୋରିଆଲ୍ ପାଠ ପ୍ରସ୍ତୁତ କରିହେବ। କରୋନା ମାଡ଼ରେ ବ୍ୟାବସାୟିକ ସଂସ୍ଥାମାନେ ମଧ୍ୟ ଏବେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ତେବେ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇଁ ସାମାନ୍ୟ କିଛି ଅର୍ଥ (ଧରନ୍ତୁ ୨,୦୦୦ରୁ ୫,୦୦୦ ଟଙ୍କା) ବିନିମୟରେ ସାମାନେ ନିଜର ବିଜ୍ଞାପନ କରାଇବାକୁ ରାଜି ହୋଇପାରନ୍ତି। କାର୍ଯ୍ୟାଳୟ ଖର୍ଚ୍ଚ କମାଇବା ପାଇଁ କର୍ମଚାରୀଙ୍କୁ ଘରେ କାର୍ଯ୍ୟ କରିବା (work from home) ସୁବିଧା ଦିଆଯାଇପାରେ।
ପତ୍ରିକା: ବର୍ତ୍ତମାନ ପରିସ୍ଥିତିରେ ପତ୍ରିକା ବାହାରିବା, ବିକ୍ରି ହେବା ଓ ବିଜ୍ଞାପନ ପାଇବା ଦୁରୁହ ବ୍ୟାପାର। ଖର୍ଚ୍ଚକାଟ କରିବା ପାଇଁ ପତ୍ରିକାଗୁଡ଼ିକ ଅନ୍ଲାଇନ୍ ସଂସ୍କରଣ ପ୍ରକାଶ କରିପାରିବେ ଅଥବା ପୋର୍ଟାଲକୁ ପରିବର୍ତ୍ତିତ ହୋଇପାରିବେ। ପତ୍ରିକା ଛପା ନ ହେଲେ ଦୁଇ ତୃତୀୟାଂଶ ଖର୍ଚ୍ଚ କମିଯିବ। ପୂର୍ବରୁ ମିଳୁଥିବା ବିଜ୍ଞାପନର ଏକ ତୃତୀୟାଂଶ ପାଇଲେ ମଧ୍ୟ ପତ୍ରିକାଟିଏ ଚାଳିପାରିବ, କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିବ ନାହିଁ। ପୋର୍ଟାଲ ଭଳି ପତ୍ରିକାମାନେ ମଧ୍ୟ ଆଡଭର୍ଟୋରିଆଲ ମାଧ୍ୟମରେ ଆୟ କରିପାରିବେ।
ଏ ସମ୍ଭାବ୍ୟ ପରାମର୍ଶଗୁଡ଼ିକ ମଧ୍ୟରୁ କିଛି କିଛିର ପ୍ରୟୋଗ ମଧ୍ୟ ଓଡ଼ିଆ ଗଣମାଧ୍ୟମରେ ଦେଖିବାକୁ ମିଳିଲାଣି। ଆଶା ଆମର ଗଣମାଧ୍ୟମ ସଂସ୍ଥାମାନେ ଛଟେଇ ନ କରି, ଅନୁଷ୍ଠାନ ବନ୍ଦ ନ କରି ସାମାନ୍ୟ କଷ୍ଟ ସହି, ସୀମିତ ବ୍ୟବସ୍ଥା ମଧ୍ୟରେ ଯଦି କିଛି କାଳ ଚଳାଇ ନେଇ ପାରିବା, ତେବେ ଭଲ ସମୟ ଆସିବାକୁ ଆଦୌ ବେଶି ଡେରିନାହିଁ ବୋଲି ଭାବିବାକୁ ହେବ।
Comments are closed.