Odisha Link
Bridging the Missing Links in Odisha

ବିନା ଭକ୍ତରେ ରଥଯାତ୍ରା ହୋଇପାରିବ: ଗଜପତି

ଭୁବନେଶ୍ବର: ଆଜି ସ୍ନାନ ଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜା କହିଛନ୍ତି ଯେ, ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ନିଷ୍ପତ୍ତି ହୋଇଛି। ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସାହାଣମେଲା ଦର୍ଶନ ବନ୍ଦ ରହିବ।

ବିଧି ଅନୁସାରେ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ରାଜ୍ୟ ସରକାର ଅନୁମତି ଦେବେ ତେବେ ରଥଯାତ୍ରା ହୋଇପାରିବ। କିନ୍ତୁ ଶ୍ରଦ୍ଧାଳୁ ମାନେ କିପରି ପୁରୀକୁ ନ ଆସିବେ ତାହାର ବ୍ୟବସ୍ଥା ସରକାର କରିବେ। ତା ହେଲେ ଯାଇ ରଥଯାତ୍ରା ହୋଇପାରିବ। ଲକଡାଉନର ନୂଆ ନିୟମକୁ ଦେଖି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଯାହା ଅନୁମତି ଦେବେ ତାକୁ ପରିଚାଳନା କମିଟି ମାନିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ସ୍ନାନଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ I & PR ବିଭାଗକୁ ଦିଆଯାଇଛି। ସାରା ଦୁନିଆ ଲୋକେ ଯେଭଳି ଟିଭିରେ ସ୍ବାନ ଯାତ୍ରା ଦେଖି ପାରିବେ ସେ ବ୍ୟବସ୍ଥା କରାଯିବ ବୋଲି ଗଜପତି ମହାରାଜ କହିଛନ୍ତି।

ଏଥିସହିତ ବିଧି ଅନୁସାରେ ଯାତ୍ରା ହେବ ଏବଂ ସୀମିତ ସେବକ ନିଯୁକ୍ତ ହେବେ। ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରାମର୍ଶ ଦେଲେ ଗଜପତି। କୋଭିଡ ଗାଇଡ ଲାଇନ କଟକଣାକୁ ସେବକମାନେ ପାଳନ କରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comments are closed.