Odisha Link
Bridging the Missing Links in Odisha

ରାଜ୍ୟ ସଂଗୀତକୁ ନେଇ ସରକାରଙ୍କ ଭ୍ରମ

କରୋନା ସଂକ୍ରମଣ ଭଳି କଠିନ ସମୟରେ, ଗଣମାଧ୍ୟମ ବ୍ୟବସାୟ ପ୍ରାୟ ଧରାଶାୟୀ ହୋଇ ଯାଇଥିବା ବେଳେ ସରକାରୀ ବିଜ୍ଞାପନ ସବୁ ଖବ ଖବରକାଗଜ ପାଇଁ କୋରାମିନ୍ ପାଲଟିଛି। ଆଜି ସେଭଳି ଗୋଟିଏ ବିଜ୍ଞାପନ ଓଡ଼ିଶାରେ ଖବରକାଗଜମାନଙ୍କର ପୃଷ୍ଠାମଣ୍ଡନ କରିଛି; ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡ଼ିଶାବାସୀଙ୍କୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ।

ପ୍ରଥମରୁ କହିରଖେ ମୁଁ ଏ ଆହ୍ୱାନକୁ ସମର୍ଥନ କରୁଛି ଓ ସବୁ ଓଡ଼ିଆ ଏଥିରେ ସାମିଲ ହେବାକୁ ଅନୁରୋଧ ରଖୁଛି। ପଛରେ କାରଣ ଯାହା ବି ଥାଉ, କିଛି ବର୍ଷ ହେଲା ରାଜ୍ୟ ସରକାର ‘ଉତ୍କଳ ଦିବସ’କୁ ‘ଓଡ଼ିଶା ଦିବସ’ରେ ପରିଣତ କରିବାର ଯେଉଁ ଚକ୍ରାନ୍ତ ଆରମ୍ଭ କରିଥିଲେ ଏବଂ ବିଜୁ ଜନତା ଦଳ ଭିତରର ନେତା ଯେଭଳି ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ଆସୁଥିଲେ, ସେଥିରେ ଏକପ୍ରକାର ଯବନିକା ଟାଣିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ କିଛି ବିଛିନ୍ନତାବାଦୀ ତାଙ୍କୁ ଭବିଷ୍ୟତରେ ରାଜନୈତିକ କ୍ଷତି ଦେଇ ପାରନ୍ତି। ତଥାପି ସାହସିକ ପଦକ୍ଷେପ ନେଇଛନ୍ତି ଶ୍ରୀ ପଟ୍ଟନାୟକ। (ଏ ଲେଖକକ ପୂର୍ବରୁ ‘ଉତ୍କଳ’ ଶବ୍ଦ ପ୍ରସଙ୍ଗରେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।)

ଏବେ ଆସିବା ଆଜି ଖବରକାଗଜ ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନ ପ୍ରସଙ୍ଗକୁ। ‘ପାଦ୍ରୀ ଓଡ଼ିଆ’ ଭାଷା ବାବଦରେ ଆପଣ ଜାଣନ୍ତି କି? ଓଡ଼ିଆରେ ଅନୂଦିତ ବାଇବଲର ଭାଷାକୁ ପାଦ୍ରୀ ଓଡ଼ିଆ କହନ୍ତି। ଏହାକୁ ସବୁ ଓଡ଼ିଆ ପାଠକ ବୁଝିପାରନ୍ତି ସତ, କିନ୍ତୁ ପଢ଼ିବାକୁ ବେଶ୍‌ ଭିନ୍ନ ମନେହୁଏ। ଓଡ଼ିଆ ଭାଷାର ସାବଲୀଳତା ଏଥିରେ ନ ଥାଏ, ପଢ଼ିବା ବେଳେ ଅଖାଡ଼ୁଆ ଲାଗେ। (ଏ ଲେଖକ ନିଜର ପ୍ରଥମ ଉପନ୍ୟାସ ୨୦୧୦ ମସିହାରେ ପାଦ୍ରୀ ଓଡ଼ିଆ ଭାଷାରେ ଲେଖିବାର ଚେଷ୍ଟା କରିଥିଲା) ମୋତେ ଲାଗେ, ବାଇବଲକୁ ଜଣେ ଅଧିକ ସାବଲୀଳ ଓ ନିରୁତା ଓଡ଼ିଆରେ ପୁଣି ଲେଖିପାରନ୍ତା।

ଛାଡ଼ନ୍ତୁ ସେ କଥା, ଆମେ ବିଜ୍ଞାପନ ପ୍ରସଙ୍ଗକୁ ଆସିବା। ୮-୧୦ ବର୍ଷ ତଳେ କୋଣାର୍କ ସଦୃଶ NALCO ମୁଖ୍ୟ କାର୍ଯ୍ୟାଳୟ ଉପରଭାଗର ଫଟୋ ସମ୍ବଳିତ ଏକ ବିଜ୍ଞାପନ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଘନ ଘନ (ବାରମ୍ବାର ବା ତୁହାକୁ ତୁହା) ଛପା ହେଉଥିଲା। ସେଥିରେ ବ୍ୟବହୃତ ଓଡ଼ିଆରେ ୩-୪ଟି ତ୍ରୁଟି ରହି ଯାଇଥିଲା। ମୁଁ ସେତେବେଳେ ଏ ନେଇ ନାଲକୋରେ କାର୍ଯ୍ୟରତ ଜଣେ ବନ୍ଧୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ତଥାପି ବିଜ୍ଞାପନର ଭାଷା ଅପରିବର୍ତ୍ତିତ ଥିଲା। ସଂଯୋଗକ୍ରମେ ୨୦୧୨ ମସିହାରେ ମୋ ସଂପାଦିତ ମାସିକ ‘ସମକାଳ’ ପତ୍ରିକାକୁ ନାଲକୋ ପକ୍ଷରୁ ସମାନ ବିଜ୍ଞାପନଟି ମିଳିଲା। ବିଜ୍ଞାପନଟି କରେଇ ଦେଇଥିବା ଅଧିକାରୀଙ୍କୁ ଭେଟି ମୁଁ କହିଥିଲି- ତ୍ରୁଟିପୂର୍ଣ୍ଣ ବିଜ୍ଞାପନ ମୁଁ ଛାପି ପାରିବି ନାହିଁ। ସେ କହିଲେ- ନିଜେ ସଂଶୋଧନ କରିଦିଅ। ମୁଁ ଭାଷାଗତ ତ୍ରୁଟି ସୁଧାରି ବିଜ୍ଞାପନଟି ପତ୍ରିକାରେ ଛାପିଥିଲି।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞାପନରେ ଆଖି ପକେଇବା ବେଳେ, ନାଲକୋର ତ୍ରୁଟି ଆଉ ବାଇବଲର ଅଖାଡ଼ୁଆ ଓଡ଼ିଆ ଭାଷା, ଉଭୟ ମନେ ପଡ଼ିଗଲେ। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ ଘୋଷା ଭିନ୍ନ ୬ଟି ପଦ ରହିଛି। ପ୍ରତି ପଦରେ ୪ଟି ପାଦ ରହିଛି। ଗୀତର ୬ଟି ପଦରେ ପ୍ରଥମ ପାଦ ହେଉଛି ୧୧ ଅକ୍ଷର ବିଶିଷ୍ଟ। ତେବେ ବିଜ୍ଞାପନରେ ଛପା ଯାଇଥିବା ଗୀତର ଦ୍ବିତୀୟ ପଦର ପ୍ରଥମ ପାଦଟିରେ ୧୩ ଅକ୍ଷର ରହିଛି। ‘ଘନ’ ବଦଳରେ ‘ଘନ ଘନ’ ବ୍ୟବହାର କରାଯାଇଛି। ଏ ତ୍ରୁଟି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସଂଗୀତଟି (audio-visual)ରେ ମଧ୍ୟ ରହିଛି। ଅନ୍ୟ ବହୁ ସଂଗୀତଜ୍ଞ ମଧ୍ୟ ବର୍ଷ ବର୍ଷ ଧରି ସେଇ ତ୍ରୁଟିକୁ ରଟି ଚାଲିଛନ୍ତି। ଓଡ଼ିଆ ଭାଷାରେ ‘ଘନ’ର ଅର୍ଥ ଘଞ୍ଚ, ଗାଢ଼, ବହଳ ଇତ୍ୟାଦି। ଅନୁରୂପ ଭାବେ ‘ଘନ ଘନ’ର ଅର୍ଥ ବାରମ୍ବାର, ବାର ବାର, ତୁହାକୁ ତୁହା, ଥରକୁ ଥର ଇତ୍ୟାଦି। କବି ତାଙ୍କ ଗୀତରେ ‘ଘନ ବନଭୂମି’କୁ ଘଞ୍ଚ ଅରଣ୍ୟ ଅର୍ଥରେ ବ୍ୟବହାର କରିଛନ୍ତି। ପିଲାବେଳେ ଯେଉଁ ଛାପା ଗୀତ ଆମ ଆଖିରେ ପଡ଼ିଥିଲା ସେଥିରେ ‘ଘନ’ ଥିବାର ମୋର ମନେଅଛି। ଓଡ଼ିଶା ସରକାରଙ୍କ ପୁରୁଣା ନଥିରେ ମଧ୍ୟ ‘ଘନ ବନଭୂମି ରାଜିତ ଅଙ୍ଗେ’ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ସରକାର ନିଜର ପୁରୁଣା ନଥି ଅଣ୍ଡାଳିଳେ ପ୍ରମାଣ ଅବଶ୍ୟ ପାଇବେ। ପାଠକମାନଙ୍କ ପାଇଁ ଇଣ୍ଟରନେଟରେ magazines.odisha.gov.in (Odisha Annual Reference 2014 ପୃଷ୍ଠା-୬) ଦ୍ରଷ୍ଟବ୍ୟ। ରାଜ୍ୟ ସରକାର ‘ଓଡ଼ିଶା-୨୦୧୮’ ନାମରେ ଗୋଟିଏ ପୁସ୍ତକ ପ୍ରକାଶ କରିଛନ୍ତି ଓ ସେଥିରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତରେ’ ଘନ ଶବ୍ଦ ଗୋଟିଏ ଥର ବ୍ୟବହୃତ ହୋଇଛି। ସବୁଠୁ ବଡ଼ କଥା ହେଲା କବିଙ୍କ ପୁସ୍ତକ ‘କାନ୍ତ ସାହିତ୍ୟମାଳା’ରେ ମଧ୍ୟ ‘ଘନ ବନଭୂମି ରାଜିତ ଅଙ୍ଗେ’ ବୋଲି ଉଲ୍ଲେଖ ରହିଛି।

ଏ ତ୍ରୁଟି ଭିନ୍ନ ଆଉ ଦୁଇଟି ବିସଙ୍ଗତି ସେ ସରକାରୀ ବିଜ୍ଞାପନଟିରେ ଦେଖିବାକୁ ମିଳିଛି। ପ୍ରଥମ କଥା ହେଲା ନବୀନ ବାବୁଙ୍କ ଦସ୍ତଖତ, ନବୀନ ବାବୁଙ୍କ ଫଟୋ ଓ ସରକାରଙ୍କ ସଂକେତ ଛପା ହୋଇ ପାରୁଥିବା ଏ ବିଜ୍ଞାପନରେ କେଉଁଠାରେ ଛୋଟ ହରଫରେ ବି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାମ ଉଲ୍ଲେଖ କରିବାକୁ ଉଚିତ ମଣିଲାନାହିଁ ସୂଚନା ଓ ଲୋକସମ୍ପର୍କ ବିଭାଗ। ଦୁଃଖଦ। ଦ୍ବିତୀୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଯେଉଁ ନିବେଦନଟି ଲେଖିଛନ୍ତି, ତାହା ମୋତେ ପାଦ୍ରି ଓଡ଼ିଆର କିଞ୍ଚିତ୍‌ ସ୍ମରଣ କରାଇଲା। ମୁଖ୍ୟମନ୍ତ୍ରୀଙ୍କ ଲେଖାଟି ଅବୋଧ୍ୟ ନୁହେଁ, ଯେ କେହି ପଢ଼ିପାରି ବୁଝିବେ ଅବଶ୍ୟ। କିନ୍ତୁ ତାହା ବଙ୍କାତେଢ଼ା ଓ ଅନେକ ସ୍ଥାନରେ ବିରାମ-ଚିହ୍ନ-ରହିତ, ପଢ଼ିବା ବେଳେ ଆଦୌ ସାବଲୀଳ ମନେ ହେଉନାହିଁ। ସତକଥା ହେଲା, ଲାଗୁଛି, ଓଡ଼ିଆ ନୁହେଁ ଯେମିତି ପ୍ରଥମେ ଇଂରାଜୀରେ ଲେଖି ତାହାକୁ କେହି ଯାହିତାହି (loosely) ଅନୁବାଦ କରିଦେଇଛି। (ବିଜ୍ଞାପନର ନଗଲ ତଳେ ରହିଛି) ମୁଁ ମୋର କ୍ଷୁଦ୍ରବୁଦ୍ଧିରେ ସେଇ ଦୁଇଧାଡ଼ିକୁ ଏଠାରେ ପୁନର୍ଲିଖନ କରୁଛି- “ଓଡ଼ିଶା ମାଟି ସହ ସମ୍ପର୍କିତ ସମସ୍ତ ବ୍ୟକ୍ତି ଓ ଆମର ସାଢ଼େ ଚାରିକୋଟି ଓଡ଼ିଆ ଭାଇଭଉଣୀଙ୍କୁ ମୋର ଅନୁରୋଧ, ସେମାନେ ଦୁନିଆର ଯେଉଁଠାରେ ବି ଥାଆନ୍ତୁ, ମେ’ ୩୦ ତାରିଖ ସଂଧ୍ୟା ୫ଟା ୩୦ରେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରନ୍ତୁ। ଆମର କୋଭିଡ୍‌ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବା ହିଁ ହେଉଛି ଏହାର ଉଦ୍ଦେଶ୍ୟ। ବନ୍ଦେ ଉତ୍କଳ ଜନନୀ।” ଯଦି ମୁଖ୍ୟମନ୍ତ୍ରୀଙ୍କ ଶୈଳୀ ବଦଳାଇ ମୋତେ ଭିନ୍ନ ବାଗରେ ଲେଖିବାକୁ କହାଯାଏ, ତେବେ ମୁଁ ଲେଖିବି- “ପ୍ରିୟ ଓଡ଼ିଆ ଭାଇଭଉଣୀ ଓ ଓଡ଼ିଶା ମାଟି ସହ ସଂପୃକ୍ତ ବନ୍ଧୁଗଣ, ଆପଣମାନେ ବିଶ୍ବର ଯେଉଁ କୋଣରେ ବି ଥାଆନ୍ତୁ, ମେ’ ୩୦ ସଂଧ୍ୟା ୫ଟା ୩୦ରେ ସାମାଜିକ ଦୂରତା ବଜାୟ ରଖି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିବାକୁ ମୋର ବିନମ୍ର ନିବେଦନ। ଆମର କୋଭିଡ୍‌ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାଦ ଦେବା ପାଇଁ ଏଭଳି କରିବାକୁ ଅନୁରୋଧ। ବନ୍ଦେ ଉତ୍କଳ ଜନନୀ।

ଏ ଅବସରରେ ଶିବ ରଥ ସାମାନ୍ୟ ଭିନ୍ନ ଶୈଳୀରେ ଗାଇଥିବା ‘ବନ୍ଦେ ଉତ୍କଳ ଜନନୀ’ର ଗୀତ ପ୍ରାସଙ୍ଗିକ ମନେହୁଏ। (ତଳେ ଭିଡିଓଟି ଦିଆଯାଇଛି) ଏଥିରେ ସେ ଦ୍ବିତୀୟ ପଦର ପ୍ରଥମ ପାଦ ଗାଇବା ବେଳେ ‘ଘନ’ ଗୋଟିଏ ଥର ବ୍ୟବହାର କରିଛନ୍ତି। ଇ-ଟିଭି ଓଡ଼ିଆର କାର୍ଯ୍ୟକ୍ରମ ସନ୍ଧିକ୍ଷଣଗୁଡ଼ିକରେ ଏ ଗୀତଟି ବାଜି ଏକଦା ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲା। ଶିବ ରଥଙ୍କ ଭିନ୍ନ ଅନ୍ୟ କେତେ ଜଣ ମଧ୍ୟ ‘ଘନ ବନଭୂମି’ ବୋଲି ଗାୟନ କରିଛନ୍ତି। ଦ୍ବିତୀୟରେ ୨୦୦୬ ମସିହାରେ ତତ୍‌କାଳୀନ ବିଧାନସଭା ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’ ସୀମିତ ସମୟରେ ଗାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମୁଖଡ଼ା ପରେ ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ଗାଇବା ଲାଗି ଏଠାରେ ସ୍ଥିର ହୋଇଥିଲା। ‘ଘନ’ ଶବ୍ଦ ବିଶିଷ୍ଟ ଦ୍ବିତୀୟ ପଦଟି ଏଥିରେ ନ ଥିଲା। ପରେ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଏହାକୁ ଅନୁସରଣ କରାଯାଇଥିଲା। ୨୦୧୨ ମସିହାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ‌କାଳୀନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପସ୍ଥିତିରେ ଚେନ୍ନାଇ ଠାରେ ଉତ୍କଳ ଦିବସ ପାଳନ ଅବସରରେ ଯେଉଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ସେଥିରେ ଏହି ୩ ପଦ ହିଁ ରହିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ମହତ, ଏଥିରେ ଦ୍ବିମତ ନାହିଁ। ତେବେ ତରବରିଆ ଭାବରେ ଓ ଉପଯୁକ୍ତ ବ୍ୟକ୍ତିଙ୍କର ପରାମର୍ଶ ନ ନେଇ ନିଷ୍ପତ୍ତି ନେଲେ ତ୍ରୁଟି ରହିବା ସ୍ବାଭାବିକ। ପୂର୍ବରୁ କେତେକ ବିଜ୍ଞାପନରେ ମଧ୍ୟ ଅନୁରୂପ ତ୍ରୁଟିମାନ ଦେଖିବାକୁ ମିଳିଛି। କାନ୍ତକବି ସାହିତ୍ୟରେ ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇ ସରକାର ଗୀତଟି ସ୍ଥିର କରିପାରିଥାଆନ୍ତେ। ଅନୁରୂପ ଭାବେ ଏହି ଦୁଇଧାଡ଼ି ଓଡ଼ିଆ ଲେଖିଦେବା ପାଇଁ ମାଗଣାରେ ମୋ ଠାରୁ ଯଥେଷ୍ଟ ଅଧିକ ଯୋଗ୍ୟ ବ୍ୟକ୍ତି ଆଗେଇ ଆସିଥାଆନ୍ତେ ବୋଲି ମୋର ମନେହୁଏ।

ଏବେ ବି ସମୟ ଅଛି। ଅନ୍ତତଃ ସରକାର ସଂଧ୍ୟା ପୂର୍ବରୁ ଗୀତଟିର ତ୍ରୁଟିକୁ ସୁଧାରି ନିଜର ବଡ଼ପଣ ଦେଖାଇ ପାରିବେ। ତିନି ପଦ କ’ଣ, ପୂରା ଗୀତକୁ ତିନି ଥର ବି ଗାଇବା ପାଇଁ ଆମେ ପ୍ରସ୍ତୁତ।

୩୦ ମେ’ ୨୦୨୦ରେ ଖବରକାଗଜରେ ପ୍ରକାଶିତ ସରକାରୀ ବିଜ୍ଞାପନ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନା ସମଗ୍ରକୁ ନେଇ ପ୍ରସ୍ତୁତ ‘କାନ୍ତ ସାହିତ୍ୟମାଳା’ରେ “ବନ୍ଦେ ଉତ୍କଳ ଜନନୀ”

ଶିବ ରଥଙ୍କ ଗାୟନ ଶୁଣନ୍ତୁ

Comments are closed.