Odisha Link
Bridging the Missing Links in Odisha

ଅମାନୁଷିକ: ସପୁରୀ ଭିତରେ ବାଣ ଦେଇ ଗର୍ଭବତୀ ହାତୀକୁ ହତ୍ୟା

ଗତ ସପ୍ତାହରେ ହାତୀଟିଏ ପାଣି ଭିତରେ ଠିଆ ହୋଇ ଜୀବନ ହାରିଦେଲା। ତା ସହ ତା’ ଗର୍ଭରେ ଥିବା ସନ୍ତାନର ଜୀବନ ବି ଚାଲିଗଲା। ଏ ଦୁଇଟି ଜୀବନ ମଉଳି ଯିବା ପଛର କାରଣ, ଇତିହାସରେ ପଶୁ-ଅତ୍ୟାଚାରର ଅନ୍ୟତମ ବିଭତ୍ସ ଓ କରୁଣତମ ଘଟଣା। ଗୋଟିଏ ସୁପରୀ ଭିତରେ ବିଷ୍ଫୋରକ ଦେଇ ହାତୀ ଓ ତା୩ର ସନ୍ତାନକୁ ହତ୍ୟା କରିଥିଲେ କିଛି ନୃଶଂସ ଅସାମାଜିକ ମଣିଷ।

ଜଣେ ଜଙ୍ଗଲ କର୍ମଚାରୀ ଏ ଘଟଣା ବାବଦରେ ସାମାଜିକ ଗଣମାଧ୍ୟମରେ ଲେଖିବା ପରେ ଘଟଣାଟି ସାମନାକୁ ଆସିଛି। ପାଲଖଡ଼ ଜିଲ୍ଲାର ସାଇଲେଣ୍ଟ ଭାଲିରେ ରହୁଥିବା ଏହି ଜଙ୍ଗଲୀ ହାତୀଟି ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ଗାଁକୁ ଯାଇଥିଲା। ସେ ରାସ୍ତାରେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଗୋଟିଏ ସପୁରୀ ଖାଇବାକୁ ଦେଇଥିଲେ। ଭୋକ ବିକଳରେ ତାକୁ ଗିଳିବାକୁ ବସିଥିବା ବିଚାରା ହାତୀ ଜାଣି ନଥିଲା ମଣିଷର ଫନ୍ଦିଫିକର; ସେ ଜାଣି ନଥିଲା ସପୁରୀ ଭିତରେ ବାଣଟିଏ ରହିଛି।

ସପୁରୀଟି ପେଟକୁ ଯିବା ଆଗରୁ ତା’ର ପାଟି ଭିତରେ ହିଁ ଭୀଷଣ ଶବ୍ଦ କରି ଫୁଟି ଯାଇଥିଲା। ତା’ର ପାଟି ଆଉ ଜିଭ ଛିଣ୍ଡି ଯାଇଥିଲା। ଯନ୍ତ୍ରଣା ଆଉ ଭୋକରେ କଲବଲ ହାତୀଟି ଗାଁରେ ଏଣେ ତେଣେ ଦଉଡ଼ିଥିଲା। ଖାଦ୍ୟ ମିଳିଥିଲେ ବି ତାକୁ ଖାଇବାକୁ ତା’ର ସାମର୍ଥ୍ୟ ନଥିଲା। ପାଖରେ ଥିବା ଭେଲିୟାର୍‌ ନଦୀକୁ ହାତୀଟି ଚାଲି ଯାଇଥିଲା ଓ ସେଇଠି ପାଣି ଭିତରେ ଠିଆ ହୋଇ ରହିଥିଲା; ଯନ୍ତ୍ରଣାରୁ ଉପଶମ ପାଇଁ ପାଟି ଆଉ ଶୁଣ୍ଢକୁ ପାଣିରେ ବୁଡ଼ାଇ ଚାଲିଥିଲା।

ଜଙ୍ଗଲ କର୍ମଚାରୀମାନେ ଆଉ ଦୁଇଟି ହାତୀ ସାହାଯ୍ୟରେ ଆହତ ମା’ ହାତୀଟିକୁ ନଦୀରୁ ବାହାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ସେଇଠି ବହୁ ଘଣ୍ଟା ପାଣି ଭିତରେ ଠିଆ ହୋଇ ରହିବା ପରେ ମେ’ ୨୭ ତାରିଖ ଅପରାହ୍ଣ ୪ଟାରେ ହାତୀଟିର ମୃତ୍ୟୁ ଘଟିଥିଲା। ତାକୁ ଟ୍ରକ୍‌ ସାହାଯ୍ୟରେ ନେଇ ପରେ ଜଙ୍ଗଲରେ ପୋତିଦେଇଥିଲେ କର୍ମଚାରୀ।

କେରଳ ଜଙ୍ଗଲ ବିଭାଗର ସେକ୍ସନ୍‌ ଫରେଷ୍ଟ ଅଫିସର ମୋହନ କୃଷ୍ଣନ୍‌ ଫେସବୁକରେ ମେ’ ୩୦ ତାରିଖରେ ହାତୀଟିର ଫଟୋ ଛାଡ଼ି ମାଲାୟଲମ ଭାଷାରେ ଲେଖିଛନ୍ତି, “ହାତୀଟି ସମସ୍ତଙ୍କୁ ଭରସା କରିଥିଲା। ସପୁରୀ ବିଷ୍ଫୋରଣ ହେବା ବେଳେ ନିଜ ଯନ୍ତ୍ରଣା କଥା ଭାବି ନୁହେଁ, ବରଂ ଆଗାମୀ ୧୮-୨୦ ମାସରେ ତା ଉଦରରୁ ଜନ୍ମ ନେବାକୁ ଥିବା ଛୁ୍ରା କଥା ଭାବି ସେ ଭୟ ପାଇଥିବ ନିଶ୍ଚୟ। ଭୀଷଣ ଯନ୍ତ୍ରଣାରେ ଏଣେ ତେଣେ ଦୌଡ଼ୁଥିବା ବେଳେ ସେ ଗୋଟିଏ ବି ମଣିଷକୁ ଆଘାତ କରିନାହିଁ, ସେ ଗୋଟିଏ ବି ଘର ଦଳିଚକଟି ନାହିଁ। ସେଥିପାଇଁ ମୁଁ କହୁଛି, ତା’ ଭିତରେ ଈଶ୍ବରୀୟ ସତ୍ତା ଭରି ରହିଥିଲା। ଆମେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲୁ। ତା’ର ଷଷ୍ଠେନ୍ଦ୍ରୀୟ କାମ କରୁଥିଲା କି କ’ଣ! ସେ ଆମକୁ କିଛି ବି କରିବାକୁ ଦେଲାନାହିଁ। ସେଇଠି ଠିଆ ଠିଆ ଜୀବନ ହାରିଦେଲା।”

Comments are closed.