Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶ: କନ୍ୟାଶ୍ରମରେ ୫୭ ନାବାଳିକା କରୋନା ଆକ୍ରାନ୍ତ, ୭ ଗର୍ଭବତୀ, ଜଣକୁ ଏଡ୍‌ସ

କାନପୁର: ଏକ ସରକାରୀ କନ୍ୟାଶ୍ରମରେ ୫୭ ନାବାଳିକାଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ଏହି ପରୀକ୍ଷା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି। ଏମାନଙ୍କ ଛଡ଼ା ଆଉ ଦୁଇଜଣ ଅନ୍ତେବାସୀ ମଧ୍ୟ ଗର୍ଭବତୀ ଅଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଏଚ୍‌ଆଭି ପଜିଟିଭ୍‌ ବୋଲି ଜଣାପଡ଼ିଛି।

କାନପୁରର ସ୍ବରୂପ ନଗରରେ ଥିବା ଏହି କନ୍ୟାଶ୍ରମକୁ ସ୍ଥାନୀୟ ପ୍ରଶାସନ ସିଲ୍‌ କରିଥିବା ବେଳେ କର୍ମଚାରୀ ଓ ଅନ୍ୟ ଅନ୍ତେବାସୀଙ୍କୁ ସଂଗରୋଧରେ ରଖାଯାଇଛି। ଗର୍ଭବତୀ ଘଟଣାକୁ ନେଇ ପ୍ରଶାସନ ଚିନ୍ତିତ ଥିବା ବେଳେ ଏ ନେଇ ରାଜ୍ୟ ପ୍ରଶାସନକୁ ରିପୋର୍ଟ ପଠାଯାଇଛି। ଅନ୍ୟପଟେ ଗର୍ଭବତୀଙ୍କ ମଧ୍ୟରୁ ୫ ଜଣ କନ୍ୟାଶ୍ରମକୁ ଆସିବା ଆଗରୁ ଗର୍ଭବତୀ ଥିଲେ ବୋଲି କର୍ତୃପକ୍ଷ ସଫେଇ ଦେଇଛନ୍ତି।

କନ୍ୟାଶ୍ରମକୁ ଆସିବା ପରେ କେହି ବି ଗର୍ଭବତୀ ହୋଇନାହାନ୍ତି ବୋଲି କାନପୁର ଏସ୍‌ଏସ୍‌ପି ଦିନେଶ କୁମାର କହିଛନ୍ତି। କିଛିଦିନ ଧରି ଅନ୍ତେବାସୀମାନଙ୍କ ଠାରେ କରୋନା ଲକ୍ଷଣ ନେଇ ସନ୍ଦେହ ଉପୁଜିବାରୁ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା।

ଦେଢ଼ବର୍ଷ ତଳେ ଉତ୍ତରପ୍ରଦେଶର ଦେଓରିଆରେ ଥିବା ଏକ କନ୍ୟାଶ୍ରମରେ ବଡ଼ ଧରଣର ଯୌନ ଉତ୍ପୀଡ଼ନ ସାମନାକୁ ଆସିଥିଲା। ସେଠାରେ ୫ରୁ ୧୫ ବର୍ଷର ନାବାଳିକାଙ୍କୁ କାରରେ ବାହାରକୁ ବିଭିନ୍ନ ଗ୍ରାହକମାନଙ୍କ ପାଖକୁ ପଠାଯାଉଥିଲା। ଏ ଘଟଣା ସେତେବଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଡ଼ୁଆରେ ପକାଇଥିଲା। ପରେ ଏହାର ତଦନ୍ତ ଦାୟିତ୍ବ ସିବିଆକୁ ହସ୍ତାନ୍ତର କରାଯାଇଥିଲା।

Comments are closed.