Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟରେ ରଥଯାତ୍ରା : ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟ ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସିଜେଆଇ ନାଗପୁରସ୍ଥିତ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ।

ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି। ବିନା ଭକ୍ତରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ଗଜପତିଙ୍କ ପରାମର୍ଶ ଆଧାରରେ ସତ୍ୟପାଠ ଦାଖଲ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସଲିସିଟର ଜେନେରାଲ କହିଛନ୍ତି।

ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାକୁ ବନ୍ଦ କରାନଯାଉ। କେବଳ ନେଗେଟିଭ ଟେଷ୍ଟ ହୋଇଥିବା ସେବାୟତମାନଙ୍କୁ ଏଥିରେ ସାମିଲ କରାଯାଉ ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି। ପୂର୍ବ ଶୁଣାଣୀ ବେଳେ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ରାୟ ଶୁଣାଇଥିଲେ। କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳି ଯାଇଥିବାରୁ ରଥଯାତ୍ରା ହେବାର ସମ୍ଭାବନା ବୃଦ୍ଧି ପାଇଛି।

Comments are closed.