Odisha Link
Bridging the Missing Links in Odisha

୨୫ଶହ ବର୍ଷ ରଥଯାତ୍ରା ଇତିହାସରେ ପ୍ରଥମ, ଭକ୍ତଙ୍କ ବିନା ଗଡ଼ିବ ରଥ

ପୁରୀ: ଆଜି ହେଉଛି ପବିତ୍ର ରଥଯାତ୍ରା ବା କୋଟି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି। ଏଥିପାଇଁ ଚଳଚଞ୍ଚଳ ପୁରୀ ବଡ଼ଦାଣ୍ଡ।

ହେଲେ ୨୫ଶହରୁ ଉର୍ଦ୍ଧ୍ବ ବର୍ଷ ଧରି ପାଳିତ ହେଉଥିବା ରଥଯାତ୍ରାରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ହେବ ରଥଯାତ୍ରା। କାହିଁକି ନା କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି। କେବଳ ନିର୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଫଳରେ ଭକ୍ତ ମାନେ ଘରେ ରହି ଟେଲିଭିଜନରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖି ପାରିବେ।

ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି। ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି। ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା। ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର। ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି। ସମସ୍ତେ ଅନେଇ ରହିଛନ୍ତି କେତେବେଳେ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ ଓ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବାର ସମୟ ଆସିବ।

ଏହାପରେ ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ମଦନ ମୋହନ ବିଜେ, ସାଢ଼େ ୧୦ଟାରୁ ୧୧ଟା ଚିତା ଲାଗି,୧୧ଟାରୁ ସାଢ଼େ ୧୧ଟା ଭିତରେ ବେଶ ଶେଷ, ତାପରେ ଚାରମାଳ ଫିଟା, ଘୋଡ଼ଲାଗି ଓ ସାରଥୀ ଲାଗିବା ଓ ଛେରା ପହଁରା ଅନୁଷ୍ଠିତ ହେବ। ଏହାପରେ ରଥଟଣା ଆରମ୍ଭ ହେବ।

Comments are closed.