Odisha Link
Bridging the Missing Links in Odisha

ଆଜିଠୁ ବାହାର ଲୋକଙ୍କୁ ପୁରୀ ମନା

ପୁରୀ: ସରିଲା ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। ଏହାସହ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି।

କୋଣାର୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କୋଣାର୍କ ମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦେବା ଉଚିତ ହେବ ନାହିଁ ବୋଲି ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି। ଆଗାମୀ ୬ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା। ଏହାର ଠିକ୍‌ ଗୋଟିଏ ଦିନ ପରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଜିଲାପାଳ ସେଥିରେ ରୋକ୍‌ ଲଗାଇଛନ୍ତି।

Comments are closed.