Odisha Link
Bridging the Missing Links in Odisha

ଫୁଟବଲ ଗୋଲକିପରରୁ କ୍ରିକେଟ ଦୁନିଆର ‘କ୍ୟାପଟେନ୍‌ କୁଲ୍’, ଆଜି ତାଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କ୍ୟାପେଟନ୍‌ କୁଲ ଭାବେ ଜଣାଶୁଣା ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ଜନ୍ମଦିନ। ଆଜି ୩୯ ବର୍ଷରେ ପାଦ ଥାପିଲେ କ୍ରିକେଟ ପ୍ରେମୀଙ୍କ ପ୍ରିୟ ଖେଳାଳି ମାହି। ଭାରତୀୟ ଟିମର ସବୁଠାରୁ ସଫଳ ଅଧିନାୟକ ସେ। ଦିନିକିଆ ଓ ଟେଷ୍ଟ ହେଉ ଅବା ଟି-ଟ୍ୱେଣ୍ଟି, ଅନେକ ସମୟରେ ନିଜର ଦମଦାର ଖେଳ ଦ୍ଵାରା ପ୍ରତିପକ୍ଷଙ୍କଠାରୁ ମ୍ୟାଚ୍‌ ଛଡ଼ାଇ ଆଣିବାରେ ସେ ମାହିର୍। ମାହିଙ୍କ ଜନ୍ମଦିନ ଅବସରରେ ମାହିଙ୍କୁ ଶୁଭେଚ୍ଛାର ସୁଅ ପଠାଇଛନ୍ତି ତାଙ୍କ ଅଗଣିତ ଫ୍ୟାନ୍।

ଧୋନି ଅଧିନାୟକତ୍ଵରେ ଦୀର୍ଘ ୨୮ ବର୍ଷ ପରେ ଭାରତ ଦିନକିଆ ବିଶ୍ବକପ୍ ଜିତିଥିଲା। ଏହା ସହ ସେ ଭାରତକୁ ଟି-୨୦ ଓ ଟେଷ୍ଟରେ ମଧ୍ୟ ୧ ନମ୍ବର ଦଳ କରାଇଛନ୍ତି। ଧୋନିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା।

୩୯ ବର୍ଷ ତଳେ ଜୁଲାଇ ୭, ୧୯୮୧ ମସିହାରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ ଧୋନି। ଧୋନିଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲ୍‌ରେ ରୁଚି ରଖୁଥିବା ଧୋନି ଆଜି ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ।

ଧୋନିଙ୍କ ପୈତୃକ ଗାଁ ହେଉଛି ଉତ୍ତରାଖଣ୍ଡର ଲାୱଲି। ପିତାଙ୍କ ଚାକିରି ଯୋଗୁଁ ସେମାନ ରାଞ୍ଚିରେ ରହିଯାଇଥିଲେ। ଧୋନିଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତି ଅଛନ୍ତି। ଧୋନି ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଛୋଟବେଳେ ପାଠ ପଢ଼ୁଥିଲେ। ମାହିଙ୍କୁ ଛୋଟବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲରେ ଅଧିକ ରୁଚି ଥିଲା। ମାହି ଫୁଟବଲ ଟିମର ଗୋଲକିପର ଥିଲେ। ଧୋନିଙ୍କୁ କ୍ରିକେଟ ଖେଳିବା ଲାଗି ତାଙ୍କ ସ୍କୁଲ କୋଚ ଉତ୍ସାହିତ କରିଥିଲେ। ତାଙ୍କର ୱିକେଟ କିପିଙ୍ଗ ସମସ୍ତଙ୍କୁ ପ୍ରଭାବିତ କଲା।
ଏହାପରେ ଧୋନି ଆଉ ପଛକୁ ଚାହିଁନାହାନ୍ତି। ୧୯୯୭ ରେ ନିଜ ସ୍କୁଲ ପକ୍ଷରୁ ଧୋନି ୨୩୧ରନ କରିଥିଲେ। ୧୯୯୭-୯୮ରେ ଧୋନିଙ୍କୁ ୧୬ ବର୍ଷରୁ କମ ଦଳରେ ପରିଚୟ ମିଳିଥିଲା। ୨୦୦୪ରେ ତାଙ୍କୁ କେନିୟା ଗସ୍ତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମଧ୍ୟ ମିଳିଥିଲା।

୨୦୦୪ ମସିହା ଡିସେମ୍ବର ୩ ତାରିଖରେ ଧୋନି ଟିମ୍‌ ଇଣ୍ଡିଆରେ ପ୍ରଥମ ଥର ପାଇଁ ଡେବ୍ୟୁ କରିଥିଲେ। ପରେ ୨୦୦୫ରେ ସେ ପାକିସ୍ତାନ ବିପକ୍ଷରେ ୧୪୮ ରନ କରିଥିଲେ। ୨୦୦୫ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ସେ ୧୮୩ ରନର ପାରି ଖେଳିଥିଲେ, ଯାହା ବ୍ୟକ୍ତିଗତ ଭାବେ ତାଙ୍କର ସବୁଠାରୁ ଅଧିକ ସ୍କୋର। ୨୦୦୫ ଶେଷ ବେଳକୁ ଆଇସିସି ରାଙ୍କିଙ୍ଗରେ ଧୋନି ଏକ ନମ୍ବର ଥିଲେ।

ପରେ ପରେ ୨୦୦୭ ବିଶ୍ଵକପରେ ଖରାପ ପ୍ରଦର୍ଶନ ଯୋଗୁଁ ସେ ଅନେକ ସମାଲୋଚନାର ଶିକାର ହୁଅନ୍ତି। ୨୦୦୭ରେ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା। ୨୦୦୮ରେ ଆଇସିସି ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାରରେ ସମ୍ମାନିତ କରିଥିଲା। ଏହି ସମ୍ମାନ ପାଇବାରେ ଧୋନି ପ୍ରଥମ ଭାରତୀୟ ଖେଳାଳି। ୨୦୦୯ରେ ସେ ପାଇଲେ ପଦ୍ମଶ୍ରୀ ପୁରସ୍କାର। ୨୦୧୧ରେ ଧୋନିଙ୍କ ନେତୃତ୍ବରେ ୨୮ ବର୍ଷ ପରେ ଦେଶକୁ ଦିନିକିଆ ବିଶ୍ବକପ୍‌ ଦେଇଥିଲା ଟିମ୍‌ ଇଣ୍ଡିଆ। ଏହା ପରେ ଟେଷ୍ଟ କ୍ରିକେଟରେ ଭାରତକୁ ଏକ ନମ୍ବର କରିଥିଲେ ଧୋନି।

ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ଵ କରି ୩ଥର ଚାମ୍ପିଅନ୍ କରାଇଛନ୍ତି। ଧୋନିଙ୍କ ଜୀବନୀ ଉପରେ ବଲିଉଡ ଏକ ଫିଲ୍ମ ମଧ୍ୟ ହୋଇଛି। ଫିଲ୍ପଟିର ନାମ ହେଉଛି ‘ଏମ୍‌ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’। ଧୋନି ସାକ୍ଷୀଙ୍କୁ ବିବାହ କରିଛନ୍ତି, ତାଙ୍କର ଏକ ଝିଅ ଅଛି ‘ଜିଭା’। ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନି ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ଅଧିନାୟକ ପଦ ଛାଡ଼ିଦେଇଥିଲେ। ଫଳରେ ବିରାଟ ଭାରତୟୀୟ ଦଳର ଅଧିନାୟକ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

Comments are closed.