Odisha Link
Bridging the Missing Links in Odisha

ଜ୍ଞାନର ଦେଉଳ ଗଢ଼ିଥିବା ଜଣେ ଅପାଠୁଆ ବୁଢ଼ାର କାହାଣୀ

ସୃଷ୍ଟିର ବହୁ ବିଚିତ୍ର, ଦଇବବନ୍ତ ବହୁ ପ୍ରେରଣାର ଅଭିବ୍ୟକ୍ତି ଭିତରୁ ଏ ନିର୍ଜନ ପଲ୍ଲୀର ଦାଶରଥି ପଟ୍ଟନାୟକଙ୍କ ଅନୁଷ୍ଠାନ ଅନ୍ୟତମ। ଏହାକୁ ଦର୍ଶନ କଲେ, ଏକ ବିଶେଷ ଆବିଷ୍କାରର ଆନନ୍ଦ ମିଳେ। ମନେହୁଏ, ଉତ୍ସାହ ଓ ପ୍ରେରଣା ଥିଲେ ବାସ୍ତବିକ ବହୁ ଅସମ୍ଭବ ପ୍ରାୟ ସ୍ଵପ୍ନ ବାସ୍ତବ ହୋଇଯାଏ।

ଓଡ଼ିଶା ସାରା ଦାଶିଆ ଅଜା ନାମରେ ପରିଚିତ ଦାଶରଥି ପଟ୍ଟନାୟକଙ୍କ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ପରିଦର୍ଶକ ଅଭିବ୍ୟକ୍ତି ଭାବେ ଏ କଥା ଲେଖିଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସ।

କେବଳ ମନୋଜ ଦାସ ନୁହନ୍ତି, ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ପ୍ରତିଷ୍ଠିତ ଲେଖକ, ବୁଦ୍ଧିଜୀବୀ, ରାଜନେତା ଓ ଗବେଷକ ଦାଶିଆ ଅଜାଙ୍କ ଅନୁଷ୍ଠାନ ପରିଦର୍ଶନ କରି ଅଭିଭୂତ ହୋଇଛନ୍ତି। ଲେଖକ ଓ ଗବେଷକ ଜଗନ୍ନାଥ ପ୍ରସାଦ ଦାସଙ୍କ ଭଳି ଅନେକେ ଦାଶିଆ ଅଜାଙ୍କ ଅନୁଷ୍ଠାନରେ ବହୁଦିନ ରହି ନିଜର ଗବେଷଣା ଉପଯୋଗୀ ତଥ୍ୟ ଯୋଗାଡ଼ କରିଛନ୍ତି। କାଲିଫର୍ଣିଆ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଜୋନା ଉଇଲିଅମ୍ସଙ୍କ ସମେତ ବହୁ ବିଦେଶୀ ଗବେଷକ ମଧ୍ୟ ଏ ଅନୁଷ୍ଠାନରେ ପାଦ ଦେଇଛନ୍ତି।

ସଦା ହସ ହସ ଦାଶିଆ ଅଜା

ଦାଶରଥି ପଟ୍ଟନାୟକଙ୍କ କଥା ମନେପଡ଼ିଲେ ସହସା ଆଖି ସାମନାକୁ ଆସେ ସେଇ ହସହସ ଉଜ୍ଜ୍ୱଳ ମୁହଁ; ଅଣ୍ଟାରେ ଗେରୁଆ ଧୋତି, ମୁଣ୍ଡରେ ନାଲି ଗାମୁଛାର ଠେକା, କାଖରେ ବହି, ଡାହାଣ ହାତରେ ବାଡ଼ି ଆଉ ବାମ ହାତରେ କଲମ ଓ ଜବକାଚ। ଏଇ ସାଧାରଣ ପରିପାଟୀ ତଳେ ଲୁଚି ରହିଥିଲା ଅସାଧାରଣ ବ୍ୟକ୍ତିତ୍ୱ। ଏଇ ଚେହେରାରେ ସେ ବୁଲୁଥିଲେ ସାରା ରାଜ୍ୟ। ସେ ବିଶେଷ ପାଠ ପଢ଼ି ନଥିଲେ, କିନ୍ତୁ ଏକକ ପ୍ରଚେଷ୍ଠାରେ ଗଢ଼ିଥିଲେ ଓଡ଼ିଶାର ସବୁଠୁ ବଡ଼ ପାଠାଗାର, ପ୍ରଥମ ଗ୍ରାମ୍ୟ ସଂଗ୍ରହାଳୟ ଓ ଏକ ସାହିତ୍ୟ ଅନୁଷ୍ଠାନ; ବାଞ୍ଛାନିଧି ପାାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ। ତାଙ୍କ ପଛରେ କୌଣସି ରାଜନୈତିକ ଆଶୀର୍ବାଦ, ବ୍ୟାପକ ପୁଞ୍ଜି ଅଥବା ଲୋକବଳ କିଛି ବି ନଥିଲା। ପରିଣତି ବୟସରେ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ନିପଟ ମଫସଲ ଗାଁରେ ସେ ପ୍ରତିଷ୍ଠା କରିଥିଲେ ସଂସ୍କୃତିର ମହାଦ୍ରୁମ। ଆଉ ଏଥିପାଇଁ ସେ ଭେଟୁଥିବା ଲୋକଙ୍କ ଠାରୁ ମାତ୍ର ୧୦ ପଇସା ଲେଖାଏଁ ସହଯୋଗ ରାଶି ମାଗୁଥିଲେ।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଉଦୟପୁର ନାମରେ ଏକ ନିପଟ ମଫସଲ ଗାଁରେ ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ଦାଶିଆ ଅଜା। ୪ର୍ଥ ଶ୍ରେଣୀ ଉତ୍ତୀର୍ଣ ହେବା ପରେ ତାଙ୍କ ପାଠ ପଢ଼ାରେ ଡୋର ବନ୍ଧାହେଲା। ୧୯୨୮ ମସିହାରେ ମାସକୁ ୭ ଟଙ୍କା ଦରମାରେ ନୟାଗଡ଼ ରିଜର୍ଭ ପୁଲିସରେ କନେଷ୍ଟବଳ ଭାବେ ସେ ଚାକିରି ଜୀବନ ଆରମ୍ଭ କଲେ। ୧୯୩୩ରୁ ୧୯୩୭ ଯାଏଁ ୮ ଟଙ୍କା ଦରମାରେ ବଲାଙ୍ଗିର ଧୁଳିଆପଦା ପ୍ରାଇମେରି ସ୍କୁଲରେ ଶିକ୍ଷକତା କଲେ। ପୁଣି ୧୯୩୮ ମସିହାରେ ରଣପୁରରେ ମାସକୁ ୧୫ ଟଙ୍କା ଦରମାରେ ଫରେଷ୍ଟର ଚାକିରି କଲେ। ୧୯୪୦ ମସିହାରେ ବିବାହ କଲେ ଓ ୧୯୪୪ରେ ତାଙ୍କ ପିତୃବିୟୋଗ ଘଟିଲା। ୧୯୪୬ରେ ଚାକିରି ଛାଡ଼ି ଜମିଜମା ସର୍ଭେ ଟ୍ରେନିଂ ସ୍କୁଲରେ ପାଠ ପଢ଼ିଲେ। ସେଇଠୁ ଉତ୍ତୀର୍ଣ ହୋଇ କ୍ୟାମ୍ପ ଖୋଲିବା ପାଇଁ ଆଠମଲ୍ଲିକ ଗଲେ। ତେବେ ସେଠାରେ କ୍ୟାମ୍ପ ଚାକିରି ଛାଡ଼ି ୧୯୪୯ରେ ବର୍ତ୍ତମାନର ଅନୁଗୁଳ ଜିଲ୍ଲା କିଶୋରନଗର ଠାରେ ନିଜେ ଏକ ସର୍ଭେ ସ୍କୁଲ ଖୋଲିଲେ ଦାଶିଆ ଅଜା; ଦାଶରଥି ପଟ୍ଟନାୟକ ଶିକ୍ଷାନୁଷ୍ଠାନ। ଏଥିପାଇଁ ଗାଁରେ ତାଙ୍କୁ ଜମି ବିକିବାକୁ ପଡ଼ିଥିଲା। ୧୯୫୪ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ୟାମ୍ପ ଖୋଲି ନିଜ ଅନୁଷ୍ଠାନ ପକ୍ଷରୁ ସହସ୍ରାଧିକ ଛାତ୍ରଙ୍କୁ ଉତ୍ତୀର୍ଣ କରାଇଲେ।

୧୯୫୪ରେ ଗାଁକୁ ଫେରି ଚାଷ କରିବାକୁ ମନ କଲେ ଦାଶରଥି ପଟ୍ଟନାୟକ। ପୈତୃକ ଜମି ବହୁତ କମ। ଏଣୁ ୬-୭ ଏକର ଅନାବାଦୀ ଜମି ଦଖଲକୁ ଆଣି ସେସବୁରୁ ଖୁଣ୍ଟା(ଚେର ଓ ଗଛର ବଳକା ଗଣ୍ଡି) ତାଡ଼ି ଜମିକୁ ଚାଷ ଉପଯୋଗୀ କରାଇଲେ। ତେଣୁ ତାଙ୍କୁ ଏଥିପାଇଁ ସମେସ୍ତ ଖୁଣ୍ଟାତଡ଼ା ରଜା ବୋଲି ଡାକିଲେ। ଗାଁରେ ଥାଇ ‘କଳିଙ୍ଗ’ ଖବର କାଗଜ ପାଇଁ ସେ ସାମ୍ବାଦିକତା ବି କରୁଥିଲେ। ତେବେ ସାମ୍ବାଦିକତା ପାଇଁ ଅନେକଙ୍କ ଅପ୍ରିୟ ପାତ୍ର ହେବାରୁ ପୁଣି ଖୁଣ୍ଟାତଡ଼ାରେ ମନ ଲଗାଇଲେ। ଜଙ୍ଗଲ ସଫା କରି ଆଖପାଖର ଚାଷୀମାନଙ୍କୁ ନେଇ ଚକବନ୍ଦୀ କରାଇଲେ। ପରେ ସରକାର ଯେଉଁ ଚକବନ୍ଦୀ କାମ ହାତକୁ ନେଲେ ତାହା ବହୁ ପୂର୍ବେ ୧୯୫୪ ମସିହାରୁ ସେ କରି ସାରିଛନ୍ତି ବୋଲି ନିଜ ଆତ୍ମକଥାରେ ଲେଖିଛନ୍ତି ଦାଶିଆ ଅଜା।

ଅଜା ଲେଖିଛନ୍ତି-

୧୯୫୯ ଯାଏଁ ସକାଳୁ ଉଠି ଖୁଣ୍ଟା ତାଡେ଼ ଓ ଦ୍ୱିପ୍ରହରେ ଶୁଏ। ମୋର ଗୋଟିଏ ଅଭ୍ୟାସ ଧାଡ଼ିଏ ନ ପଢ଼ିଲେ ଜମା ନିଦ ହୁଏନି କିମ୍ବା ଉପରବେଳା କାମ କରିପାରେନି। ସେତେବେଳେ ଆମ ଘରେ କି ଗାଁରେ ସେମିତି ବହି ନଥିଲା। ଘରେ ଯାହା ବି ଥିଲା ସବୁ ପଢ଼ି ସାରିଥିଲି। ଗାଁରେ ଯାହା ପାଖରେ ଯାହା ଥିଲା ସେସବୁ ମଧ୍ୟ ସରିଲା। ଗାଁ ଆଖପାଖରୁ ତାଳପତ୍ର ପୋଥୀ ମାଗିଆଣି ପଢ଼ିଲି, ସେ ବି ସରିଲା। ନୂଆଗାଁ ଅପର ପ୍ରାଇମେରି ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ତ୍ରିପାଠୀଙ୍କ ପାଖକୁ ଗଲି ବହି ମାଗିବାକୁ। ସେ କହିଲେ, ‘ପଟ୍ଟନାୟକେ ଆଉ ତ ବହି ମିଳିବନି। କ’ଣ କରିବା?’ ମୁଁ ନିରବ ରହିଲି । ସେ ପୁଣି କହିଲେ, ‘ଏଠି ଲାଇବ୍ରେରିଟାଏ କରିବା ।’

ଦାଶରଥି ପଟ୍ଟନାୟକଙ୍କ ପ୍ରତିଷ୍ଠିତ ବାଞ୍ଛାନିଧି ପାଠାଗାର

ଉପରୋକ୍ତ ଘଟଣାର ତିନି ଚାରିଦିନ ପରେ ହେଡ଼ମାଷ୍ଟର ଆସି ଗୋଟିଏ ପୁରୁଣା ଟିଣ ଟ୍ରଙ୍କ୍‍ ଓ ୫ ଖଣ୍ଡ ବହି ଦେଇ ଚାଲିଗଲେ। ୫ ଖଣ୍ଡ ବହି କହିଲେ ଭାଗବତ ଏକାଦଶ ସ୍କନ୍ଦ, ଗୁରୁବାର ମାଣବସା ବହି, ଜହ୍ନି ଓଷା ବହି, ଖୁଦୁରୁକୁଣି ଓଷା ବହି ଓ ଆଚାର୍ଯ୍ୟ ମହାଶୟଙ୍କ ଗୀତା। ବାସ ସେଇ ପାଞ୍ଚ ଖଣ୍ଡ ବହିରୁ ଦାଶିଆ ଅଜାଙ୍କର ପାଠାଗାର ଆରମ୍ଭ ହୋଇ ଲକ୍ଷାଧିକ ବହିର ଗନ୍ତାଘର ପାଲଟିଲା। ୧୯୫୯ରେ ଗଢ଼ାହେଲା ବାଞ୍ଛାନିଧି ପାାଠାଗାର।

ଏକା ଏକା ରାଜ୍ୟ ସାରା ବୁଲି ବହି ସଂଗ୍ରହ କରୁଥିଲେ ଦାଶିଆ ଅଜା। ରାଜ୍ୟ ଓ ଦେଶବାହାରେ ଥିବା ଲୋକଙ୍କ ଠାରୁ ବି ବହି ଆଣୁଥିଲେ। ଦାଶିଆ ଅଜା ସାରା ବର୍ଷ ବୁଲୁଥିଲେ। ତାଙ୍କର ବଡ଼ ଗୁଣ ହେଲା ଦୈନିକ ସେ ଲେଖକମାନଙ୍କୁ ପୋଷ୍ଟକାର୍ଡ ଲେଖୁଥିଲେ। ଲେଖା ପଢ଼ି ଉତ୍ସାହିତ କରୁଥିଲେ ଓ ଅଚାନକ ସେମାନଙ୍କ ଘରେ ବି ପହଞ୍ଚି ଯାଉଥିଲେ। ଯାହାକୁ ଭେଟୁଥିଲେ ତାଙ୍କ ଠାରୁ ସହଯୋଗ ଅର୍ଥ ଭାବେ ମାଗୁଥିଲେ ମାତ୍ର ୧୦ ପଇସା। ଏକକ ପ୍ରଚେଷ୍ଟାରେ ୫୦ ହଜାରରୁ ଅଧିକ ବହି ଓ ୬୫ ହଜାରରୁ ଅଧିକ ପତ୍ରିକାରେ ସମୃଦ୍ଧ ହେଲା ବାଞ୍ଛାନିଧି ପାାଠାଗାର। ଏଠାରେ ରହିଛି ବିଭିନ୍ନ ଭାଷାର ଅଭିଧାନ, ୩ ହଜାର ବିରଳ ବହି ଓ ୧୯୫୯ରୁ ୧୯୯୭ ପର୍ଯ୍ୟନ୍ତ ବହୁ ଦୈନିକ ଖବରକାଗଜ।

ଦାଶରଥି ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ

୧୯୭୩ରେ ସେହି ଉଦୟପୁର ଗାଁରେ ଦାଶିଆ ଅଜା ପ୍ରତିଷ୍ଠା କଲେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ। ୫୦୦୦ରୁ ଅଧିକ ତାଳପତ୍ର ପୋଥୀ, ପୁରାତନ ଯୁଗରୁ ଏଯାବତ ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚେରମୂଳି, ବିଶିଷ୍ଠ ବ୍ୟକ୍ତିଙ୍କ ବ୍ୟବହୃତ ଦ୍ରବ୍ୟ, ପୂରାତନ ଦସ୍ତାବିଜ୍‍, ଫସିଲ, ବିଭିନ୍ନ ସଭ୍ୟତାର ବେଶପୋଷାକ ଓ ଅଳଙ୍କାର, ଡାକଟିକଟ, ସଂଗୀତ ଯନ୍ତ୍ର, ମୂଲ୍ୟବାନ ପଟ୍ଟଚିତ୍ର ଆଦି ୩୯ଟି ବିଭାଗରେ ବିଭିନ୍ନ ଦୁର୍ଲଭ ପଦାର୍ଥ ରହିଛି ଏହି ସଂଗ୍ରହାଳୟରେ।

୨୪ ଡିସେମ୍ବର ୧୯୮୮ରେ ପ୍ରଗତିବାଦୀ ଖବରକାଗଜରେ ପ୍ରକାଶିତ ଦାଶରଥି ପଟ୍ଟନାୟକଙ୍କ ଇଚ୍ଛାପତ୍ର

୧୯୭୫ ମସିହାରେ ସେଠାରେ ଯଦୁମଣି ସାହିତ୍ୟ ସଂସଦ ନାମରେ ଏକ ସାରସ୍ଵତ ଅନୁଷ୍ଠାନ ପ୍ରତିଷ୍ଠା କଲେ ଦାଶିଆ ଅଜା। ତାଙ୍କ ମୃତ୍ୟୁ ଯାଏଁ ପ୍ରତିବର୍ଷ ଏଠାରେ ଏକ ସାରସ୍ଵତ କୁମ୍ଭମେଳା ହେଉଥିବା ବେଳେ ତାଙ୍କ ଅନ୍ତେ ଏବେ ସେଥିରେ ଭଟ୍ଟା ପଡ଼ିଛି।

୧୯୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ୯୦ ବର୍ଷ ବୟସରେ ପ୍ରାଣତ୍ୟାଗ କଲେ ଦାଶିଆ ଅଜା। ତେବେ ତାଙ୍କର ତିନୋଟି ଅନୁଷ୍ଠାନ ତାଙ୍କୁ ଚିରଦିନ ଅମର କରିଦେଇଛି। ସରକାରୀ ପ୍ରୋତ୍ସାହନରେ ଦାଶିଆ ଅଜାଙ୍କ ସ୍ଵପ୍ନ ଓ ସଂଘର୍ଷ ଏବେ ଏକ ବିଶାଳ ଅନୁଷ୍ଠାନର ରୂପ ନେଇଛି। ତିନୋଟି ଯାକ ଅନୁଷ୍ଠାନକୁ ମିଶାଇ ଦାଶରଥୀ ପଟ୍ଟନାୟକ ଫାଉଣ୍ଡେସନ୍‍ ଟ୍ରଷ୍ଟ ଗଠନ କରାଯାଇଛି। ଦାଶିଆ ଅଜାଙ୍କ ନାତି ଦୀପକ ଏହାର ପରିଚାଳନା କରୁଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଏହାର ଟ୍ରଷ୍ଟି ଅଛନ୍ତି। ଦୁଃଖର କଥା ଏବେ ଅର୍ଥର ଅଭାବ ନଥିବା ସତ୍ତ୍ୱେ ଦାଶିଆ ଅଜା ଜୀବିତ ଥିବା ବେଳେ ଅନୁଷ୍ଠାନ ଯେଭଳି ଚଳଚଂଚଳ ଥିଲା ତାହା ଆଉ ଦେଖିବାକୁ ମିଳୁନାହିଁ।

ଅଜା ହିନ୍ଦୁ ଶ୍ରାଦ୍ଧ ରୀତିକୁ ମାନୁ ନଥିଲେ। ସେ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉନଥିଲେ ଓ ତାଙ୍କ ପାଇଁ ନଦେବାକୁ ମନା କରିଯାଇଥିଲେ। ମୁଁ ଯେଉଁ ସ୍ଥାନରେ ମରିବି ମୋତେ ସେଇଠି ସମାଧି ଦେବ ବୋଲି ଲେଖି ଯାଇଥିଲେ।

ମୃତ୍ୟୁ ପରେ ତାଙ୍କୁ ଅନୁଷ୍ଠାନ ପରିସରରେ ଅଜାଙ୍କୁ ସମାଧି ଦିଆଯାଇଛି। ଅନୁଷ୍ଠାନ ପ୍ରବେଶ ଦ୍ୱାର ଆଗରେ ରହିଛି ତାଙ୍କର ପ୍ରତିମୂର୍ତି ଓ ତା ତଳକୁ ଝଟକୁଛି ଅଜାଙ୍କ କଲମରୁ ଝରି ଆସିଥିବା ସେହି ଚିର ଅମଳିନ ଦାର୍ଶନିକ ବକ୍ତବ୍ୟ-

ମଣିଷ ଆପଣା ଧନ ପର,
ଯେତେ ପାରୁଛ ମଣିଷ ଧର।

Comments are closed.