Odisha Link
Bridging the Missing Links in Odisha

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଜୟ

ଭୁବନେଶ୍ବର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଜୟ ମହାନ୍ତି। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଛି। ତାଙ୍କର ଶେଷକୃତ୍ୟରେ କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଓଲିଉଡର ବହୁ କଳାକାର ଉପସ୍ଥିତ ମଧ୍ୟ ଥିଲେ।

ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା। ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ବିଜୟ ମହାନ୍ତିଙ୍କ ପରଲୋକରେ ଓଡିଆ ସିନେ ଜଗତରେ ୪୩ ବର୍ଷର ଯାତ୍ରାର ଅବସାନ ଘଟିଛି।

୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ା ପାଣ୍ଡିରିରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ ବିଜୟ।  ମୟୂରଭଞ୍ଜ ବାରିପଦାରେ କଟିଥିଲା ତାଙ୍କ ଶୈଶବ। କଳାରେ ସ୍ନାତକ ପରେ ସେ ଅଭିନୟ ପ୍ରତି ଆଗ୍ରହୀ ହୋଇ ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଭର୍ତ୍ତି ହୋଇଥିଲା।

ନାସିରୁଦ୍ଦିନ ଶାହା, ରାଜ୍ ବବ୍ବର ଏବଂ ଓମ୍ ପୁରୀ ଥିଲେ ତାଙ୍କ ସହପାଠୀ। ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ୧୯୭୭ର ଫିଲ୍ମ ଚିଲିକା ତୀରେରୁ। ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟିଥିଲେ।

୪୩ ବର୍ଷର ଅଭିନୟ ଜୀବନରେ ୧୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ବିଜୟ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ସହିତ ୬ ଥର ରାଜ୍ୟ ଚଳଚିତ୍ର ସମ୍ମାନ ପାଇଥିଲେ ବିଜୟ ମହାନ୍ତି।

Comments are closed.