Odisha Link
Bridging the Missing Links in Odisha

ଦେଢ଼ବର୍ଷର ପୁଅ ପାଇଁ ଔଷଧ କିଣିବାକୁ ସାଇକେଲରେ ୧୩୦ କିଲୋମିଟର ଯାତ୍ରା

ନୟାଗଡ଼: ପ୍ରତି ମାସରେ ଜଣେ ଗରିବ ବାପା ପୁଅର ଔଷଧ କିଣିବାକୁ ୧୩୦ କିଲୋମିଟର ସାଇକେଲରେ ଯିବା ଏବେ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି। ମା’ ଛେଉଣ୍ଡ ଦେଢ଼ବର୍ଷର ପୁଅ ହୃଦରୋଗରେ ପୀଡ଼ିତ। ସର୍ଜରୀ କରିବା ଅଥବା ରାଜ୍ୟ ବାହାରକୁ ଯାଇ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ଲାଗି ଅସମର୍ଥ ଗରିବ ବାପା। ଭୁବନେଶ୍ବରର ଏକ ଡାକ୍ତରଖାନାରେ ପୁଅକୁ ଦେଖାଇଛନ୍ତି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ପୁଅ ପାଇଁ ଆବାଶ୍ୟକ ଔଷଧ ସ୍ଥାନୀୟ ଅଞ୍ଚଳରେ ନ ମିଳିବାରୁ ପ୍ରତି ମାସରେ ଗାଁରୁ ସାଇକେଲ ପେଲି ୬୫ କିଲୋମିଟର ଦୂର ଭୁବନେଶ୍ବର ଯାଉଛନ୍ତି ଓ ପୁଣି ଗାଁକୁ ଫେରୁଛନ୍ତି ବାପା। କରୋନା ମହାମାରୀ ସମୟରେ ଉତ୍କଟ ଦାରିଦ୍ର‍୍ୟ ସାଙ୍ଗକୁ ପୁଅର ଔଷଧ ଖର୍ଚ୍ଚ ବାପାଙ୍କର ଅଣ୍ଟା ଭାଙ୍ଗିଦେଇଛି।

ରଣପୁର ଠାରୁ ୧୦ କିଲୋମିଟର ଦୂର ତାଳକଣି ଗାଁରେ ୪୫ ବର୍ଷୀୟ ମାଗୁଣି ବେହେରାଙ୍କ ଘର। ମାଗୁଣୀଙ୍କର ଦୁଇପୁଅ ଓ ଗୋଟିଏ ଝିଅ। ବଡ଼ପୁଅ +୨ ପାଠ ପଢ଼ୁଥିବା ବେଳେ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଛି। ସାନପୁଅ ରୁଦ୍ର ମାତ୍ର ୬ ମାସ ବୟସରୁ ହୃଦରୋଗରେ ପୀଡ଼ିତ। ରୁଦ୍ରକୁ ମାତ୍ର ୫ ମାସ ହୋଇଥିବା ବେଳେ ମାଗୁଣିଙ୍କ ପତ୍ନୀଙ୍କର ଦେହାନ୍ତ ହେଲା। ଏହାର ଗୋଟିଏ ମାସ ପରେ ରୁଦ୍ରର ହୃଦରୋଗ ବାହାରିଲା। ଭୁବନେଶ୍ବର ଏମ୍‌ସରେ ଦେଖାଇବା ପରେ ଡାକ୍ତର ଅପରେସନ୍‌ ପାଇଁ ପରାମର୍ଶ ଦେଲେ ବୋଲି କହିଛନ୍ତି ମାଗୁଣି। ତେବେ ଏଥିପାଇଁ ଅଧିକ ଅର୍ଥ ଦରକାର ଓ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମାଗୁଣି +୩ ପାଠ ପଢ଼ିଥିଲେ ବି କାମଦାମ ଅଭାବରୁ ଗାଁରେ ପଡ଼ି ରହିଛନ୍ତି। ନିଜର ଚାରିମାଣ ଜମିରେ ଚାଷବାସ ସାଙ୍ଗକୁ ମୂଲ ଲାଗି ଯେତିକି ଆୟ କରୁଛନ୍ତି ସେଥିରେ ୪ ପ୍ରାଣୀ ଚଳିବା କାଠିକର। ଏଣୁ ବଡ଼ପୁଅକୁ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିବା ବେଳେ ଝିଅ ଓ ସାନପୁଅକୁ ନିଜ ସଡ଼ୁଙ୍କ ଘରେ ଛାଡ଼ିଛନ୍ତି ମାଗୁଣି। ନିଜେ ଯାହା କିଛି ରୋଜଗାର କରୁଛନ୍ତି କଷ୍ଟେମଷ୍ଟେ ଏକାକୀ ଚଳି ଯାଉଛନ୍ତି।

ଏଭଳି ଅସୁବିଧା ସମୟରେ ସାନପୁଅ ପାଇଁ ଔଷଧ ଯୋଗାଡ଼ କରିବା ମାଗୁଣିଙ୍କର ସବୁଠୁ ବଡ଼ ଚିନ୍ତା। ସାରା ମାସ ବହୁ ପରିଶ୍ରମ କରି କୌଣସିମତେ ଔଷଧ କିଣିବାକୁ ଟଙ୍କା ଯୋଗାଡ଼ କରୁଥିବା ମାଗୁଣି ବସ୍‌ ବା ଅଟୋରେ ଭୁବନେଶ୍ବର ଯାଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ସାହସ କୁଳାଇ ପାରୁନାହାନ୍ତି। ଏଣୁ ନିଜର ସାଇକେଲକୁ ସାଥୀ କରିଛନ୍ତି ସେ। ମାସରେ ଗୋଟିଏ ଦିନ ସେ ଗାଁରୁ ବଡ଼ି ଭୋରରୁ ବାହାରି ସକାଳ ୧୦ଟା-୧୧ଟା ସୁଦ୍ଧା ଭୁବନେଶ୍ବରରେ ପହଞ୍ଚୁଛନ୍ତି। ପୁଅ ପାଇଁ ଔଷଧ କିଣି ସଂଧ୍ୟା ପୂର୍ବରୁ ଗାଁରେ ପହଞ୍ଚି ଯାଉଛନ୍ତି ମାଗୁଣି। ପ୍ରତି ମାସରେ ଏମିତି ସାଇକେଲକୁ ଆଶ୍ରା କରି ପୁଅର ଜୀବନ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି ଏହି ଗରିବ ବାପା।

ଦାରିଦ୍ର‍୍ୟର ଦାଉରେ ନିତି ଜଳୁଥିବା ମାଗୁଣି ପୁଅ ପାଇଁ ଦିନରାତି ଚିନ୍ତାରେ। ଯଦି ସ୍ଥାନୀୟ ଔଷଧ ଦୋକନରେ ପୁଅ ପାଇଁ ଲୋଡ଼ା ଔଷଧ ମିଳିଯାଆନ୍ତା ତେବେ ତାଙ୍କୁ ଆଉ ୧୩୦ କିଲୋମିଟର ସାଇକେଲରେ ଯିବାକୁ ପଡ଼ନ୍ତା ନାହିଁ। ସେହିପରି ତାଙ୍କ ପୁଅର ଚିକିତ୍ସା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ସହଯୋଗ କରିବା ଉଚିତ ବୋଲି ଗ୍ରାମବାସୀ ମତ ଦେଇଛନ୍ତି।

Comments are closed.