Odisha Link
Bridging the Missing Links in Odisha

ଆରମ୍ଭ ହେବ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା

ଝାରସୁଗୁଡ଼ା: ଖୁବ ଶୀଘ୍ର ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବାକୁ ଯାଉଛି। ବିମାନସେବା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଝାରସୁଗୁଡା ବିମାନ ବନ୍ଦରର ନିର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି। ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା ନେଇ ଗ୍ରୀନ ସିଗନାଲ ମିଳିଛି। ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଆରମ୍ଭ କରିବାକୁ ସ୍ଲଟ୍ ଏଲୋକେସନ ପାଇଁ କରାଯାଇଥିବା ଆବେଦନ ଉପରେ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ସବୁଜ ସଂକେତ ଦେଇଛନ୍ତି। ଏ ଦିଗରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଅନୁମତି ହାସଲ ପରେ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ବିମାନ ବନ୍ଦରର ନିର୍ଦେଶକ କହିଛନ୍ତି। ବାଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନସେବା ଆରମ୍ଭ ହେଲେ ଏହା ପଶ୍ଚିମ ଓଡ଼ିଶା ସହ ଭାରତର ପ୍ରମୁଖ ସହରକୁ ଏୟାର କନେକ୍ଟିଭିଟି ହୋଇ ପାରିବ। ଏହି ଦୁଇ ସହର ଝାରସୁଗୁଡ଼ା ସହ ଯୋଡ଼ି ହେଲେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ପାଇଁ ବଡ଼ ସୁବିଧା ହୋଇ ପାରିବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖ ଦିନ ଉଦଘାଟିତ ହେବା ସହ ବିମାନସେବା ଆରମ୍ଭ ହେବା ପରଠାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଦାବି ହୋଇ ଆସୁଥିଲା। ସ୍ପାଇସଜେଟ୍ ପକ୍ଷରୁ ବିଧିବଦ୍ଧ ଭାବେ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ହିଁ ବିମାନସେବା ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଆଦି ସହରକୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏଲାୟନ୍ସ ଏୟାରର ବିମାନସେବା ଭୁବନେଶ୍ୱର, ରାୟପୁର, କୋଲକାତା ଆଦିକୁ ଆରମ୍ଭ ହୋଇଥିଲା। ଲକଡାଉନ ସମୟରେ କିଛି ସମୟ ଧରି ବିମାନସେବା ବନ୍ଦ ରହିବା ପରେ ପୁଣିଥରେ କଟକଣା ଭିତରେ ବିମାନସେବା ଆରମ୍ଭ ହୋଇଛି।

Comments are closed.