Odisha Link
Bridging the Missing Links in Odisha

ଆଉ ୧୦୦ଟି ଟ୍ରେନ୍‌ ଚଲାଇବ ଭାରତୀୟ ରେଳ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍-୪ କଟକଣା। ସରକାର କରୋନା କାଳ ମଧ୍ୟରେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଫଳରେ ଆସ୍ତେ ଆସ୍ତେ କରୋନା କଟକଣା କହୋଳ ହେଉଛି। ଏସବୁ ମଧ୍ୟରୁ ଦେଶରେ ଆଉ ୧୦୦ ଟି ଅଧିକ ଟ୍ରେନ୍‌ ଚଳାଚଳ କରିବା ନେଇ ପ୍ରସ୍ତୁତି ‌କରୁଛି ଭାରତୀୟ ରେଳ ବିଭାଗ। ଆଗକୁ ଆସୁଛି ପାର୍ବଣର ଋତୁ ଏହାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇ ପାରେ ରେଳ ବିଭାଗ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ବର୍ତ୍ତମାନ କେବଳ ୨୩୦ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ହେଉଛି ତାହା ପୁଣି ସମସ୍ତ ରାଜ୍ୟର ରାଜଧାନୀକୁ ଚଳପ୍ରଚଳ କରୁଛି। ଏହି ସମସ୍ତ ଟ୍ରେନକୁ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଚଳାଚଳ କରାଯାଉଛି। ଯେଉଁ ୧୦୦ଟି ଟ୍ରେନ୍‌ ଚଳାଚଳ ପାଇଁ ପ୍ରସ୍ତୁତି ଚାଲିଛି ସେହି ସବୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଚଳାଚଳ କରିବ। ଏହି ଟ୍ରେନ୍‌ ଗୁଡ଼ିକ ଅନ୍ତଃରାଜ୍ୟ ଓ ରାଜ୍ୟ ବାହାରକୁ ଚଳପ୍ରଚଳ କରିବ ବୋଲି ଜଣା ପଡ଼ିଛି। ସୂଚନା ମୁତାବିକ ରେଳ ମନ୍ତ୍ରଣାଳୟ ଗୃହ ମନ୍ତ୍ରଣାଳୟର ଅନୁମୋଦନକୁ ଅପେକ୍ଷା କରିଛି।

ରେଳ ମନ୍ତ୍ରଣାଳୟ ପର୍ଯ୍ୟାୟକ୍ରମେ ରେଳ ସେବା ଆରମ୍ଭ କରିବା ବିଷୟରେ ଆଲୋଚନା କରିସାରିଛି। ଯାତ୍ରୀଙ୍କ ଚାହିଦା ଏବଂ କରୋନା ଯୋଗୁଁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଅଯାଇଥିଲା ହେଲେ ବାରମ୍ବାର ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଅନଲକ୍‌ ୪ରେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ମେଟ୍ରୋ ରେଳ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଫଳରେ ଶ୍ରମିକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବେ। ଆଗକୁ ପାର୍ବଣର ଋତୁ। ଏହି ସମୟରେ ଟ୍ରେନର ଚାହିଦା ଅଧିକ ରହିଥାଏ।

ମହାମାରୀ କରୋନା ପାଇଁ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ରେଳବାଇର ୧.୭୮ କୋଟିରୁ ଉର୍ଦ୍ଧ୍ବ ଟିକେଟ ରଦ୍ଦ ହୋଇଛି। ଏହି ତଥ୍ୟ ଆରଟିଆଇରୁ ଜଣା ପଡ଼ିଛି। ପିଟିଆଇ ଅନୁସାରେ କରୋନା କାଳରେ ୨,୭୨୭ କୋଟି ଟଙ୍କା ଲୋକଙ୍କ ଫେରସ୍ତ କରାଯାଇଛି। ଭାରତୀୟ ରେଳ କରୋନା ପାଇଁ ମାର୍ଚ୍ଚ ୨୫ ତାରିଖରୁ ଯାତ୍ରୀ ସେବା ଟ୍ରେନ୍‌ ଚଳାଚଳକୁ ସ୍ଥଗିତ କରିଦେଇଥିଲା। ପ୍ରଥମଥର ପାଇଁ ରେଳବାଇରେ ଯେତିକି ଟିକେଟ ବୁକିଂ କରି ଅର୍ଥ ଆମଦାନୀ ହୋଇଥିଲା ତାଠୁ ଅଧିକ ଟଙ୍କା ଯାତ୍ରୀ ମାନଙ୍କୁ ଫେରସ୍ତ କରାଯାଇଛି।

Comments are closed.