Odisha Link
Bridging the Missing Links in Odisha

ନୋଟବନ୍ଦୀରୁ କଣ ସୁଫଳ ମିଳିଲା: ରାହୁଲ

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନିଜର ଭିଡିଓ ସିରିଜର ୨ୟ ଭାଗ ଟୁଇଟରରେ ସେୟାର କରି ପୁଣିଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭିଡିଓରେ ରାହୁଲ ନୋଟବନ୍ଦୀ ପ୍ରସଙ୍ଗରେ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ନୋଟବନ୍ଦୀ ହେଉଛି ଭାରତର ଗରିବ କୃଷକ-ଶ୍ରମିକଙ୍କ ଉପରେ ଆକ୍ରମଣ। ୨୦୧୬ ନଭେମ୍ବର ୮ ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦୀ ୫୦୦ ଓ ୧୦୦୦ ନୋଟ୍ ବନ୍ଦ କରିଦେଲେ। ଯାହାଫଳରେ ଜନସାଧାରଣ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ୍‌ କରି ଠିଆ ହେଲେ। ହେଲେ ଏଥିରୁ କଣ ସୁଫଳ ମିଳିଲା। ରାହୁଲ ଆହୁରି କହିଛନ୍ତି ଯେ, ଏହା କରିବା ଦ୍ବାରା କଳାଧନ ଫେରି ଆସିଲା କି? ଜନସାଧାରଣଏଥିରୁ ଉପକୃତ ହୋଇଥିଲେ କି? ବାସ୍‌ ଉତ୍ତର ନା ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ରାହୁଲ କହିଛନ୍ତି ଯେ, ବିମୁଦ୍ରୀକରଣ କେବଳ ଧନୀମାନଙ୍କୁ ଉପକୃତ କରିଛି। ଘରୁ ଟଙ୍କା ଉଠାଇ ଏହାକୁ ବ୍ୟବହାର କରି ଧନୀ ଲୋକଙ୍କ ଋଣ ପରିଶୋଧ କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଦେଶର ଅସଙ୍ଗଠିତ କ୍ଷେତ୍ର ନଗଦ ଟଙ୍କା ଉପରେ କାର୍ଯ୍ୟ କରିଥାଏ। ନୋଟବନ୍ଦୀ ଜରିଆରେ କ୍ୟାସଲେସ୍‌ ଇଣ୍ଡିଆ ଚାହୁଁଥିଲେ। ଯଦି ଏପରି ହୁଏ ଅସଙ୍ଗଠିତ କ୍ଷେତ୍ର ଆଉ ରହିବ ନାହିଁ। ଏପରିକି ନୋଟବନ୍ଦୀ ପାଇଁ କୃଷକ, ଦିନ ମଜୁରିଆ, ଛୋଟ ବ୍ୟବସାୟୀଙ୍କୁ ବହୁତ ଅସୁବିଧାରେ ପକାଇଛି ବୋଲି ରାହୁଲ କହିଛନ୍ତି।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଛୋଟ ବ୍ୟବସାୟୀ ନଗଦ ଟଙ୍କା ​​ବିନା ବଞ୍ଚିପାରିବ ନାହିଁ। ବିମୁଦ୍ରୀକରଣର ଏହି ଆକ୍ରମଣକୁ ଆମକୁ ସ୍ୱୀକାର କରିବାକୁ ପଡିବ ଏବଂ ଦେଶକୁ ଏହା ବିରୋଧରେ ଲଢ଼ିବାକୁ ପଡ଼ିବ ବୋଲି ରାହୁଲ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

Comments are closed.