Odisha Link
Bridging the Missing Links in Odisha

ବିହାର ନିର୍ବାଚନ ଓ ଉପନିର୍ବାଚନ ଏକତ୍ର ହେବ

ନୂଆଦିଲ୍ଲୀ : ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ। ଏନେଇ ଆଜି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆୟୋଗ କହିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନ ସମୟରେ ଗୋଟିଏ ଲୋକସଭା ଆସନ ଏବଂ ଦେଶର ୬୫ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଉପ-ନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ଏକାଠି ହେବାର କାରଣ ହେଉଛି ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ରହିବ, କେନ୍ଦ୍ରୀୟ ସାମରିକ ବଳ ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ପରିବହନ ସୁରୁଖୁରୁରେ ହୋଇପାରିବ। ବିହାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ସହିତ ଉପ-ନିର୍ବାଚନ ଉପଯୁକ୍ତ ସମୟରେ ଘୋଷଣା କରାଯିବ ବୋଲି ଆୟୋଗ କହିଛନ୍ତି।

ଆଜି ଉପ-ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ସମୀକ୍ଷା କରାଯାଇଥିଲା। ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୧୫ରେ ଘୋଷଣା କରାଯାଇପାରେ। ତିନୋଟି ପର୍ଯ୍ୟାୟରେ ମତଦାନ ହୋଇପାରେ। ବିଳମ୍ବିତ ମୌସୁମୀ ଯୋଗୁଁ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ସେହି ଅଞ୍ଚଳରେ ଶେଷ ତାରିଖରେ ଭୋଟ୍ ଗ୍ରହଣ କରାଯାଇପାରେ। ଚଳିତ ବର୍ଷ କରୋନା ଯୁଦ୍ଧ ସମୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

Comments are closed.