Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁରୋଧ କରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରୁ ଅହ୧ଦବାଦ ଏବଂ ସୁରତ ସମେତ ୩ଟି ସ୍ଥାନକୁ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି।

ଓଡ଼ିଶାର ଆବଶ୍ୟକତାକୁ ପ୍ରାଥମିକତା ଦେଉଥିବାରୁ ଏବଂ ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧକୁ ରଖିଥିବାରୁ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେପ୍ଟେମ୍ବର ୧୨ ତାରିଖରୁ ଓଡ଼ିଶାରୁ ତିନି ଯୋଡ଼ା ସ୍ପେଶାଲ ଟ୍ରେନ୍‌ ପୁରୀରୁ ଅହମ୍ମଦବାଦ, ପୁରୀରୁ ଗାନ୍ଧିଧାମ ଏବଂ ପୁରୀରୁ ଓଖାକୁ ରେଳସେବା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି ସୁବିଧା ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ ଏବଂ ନିରାପଦରେ ସେମାନେ ଯାତ୍ରା କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।

ପ୍ରକାଶ ଯେ, ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ଦେଶର ଅର୍ଥନୀତିର ପୁନଃରୁଦ୍ଧାର ଏବଂ ପ୍ରବାସୀଙ୍କ ତୁରନ୍ତ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଓଡ଼ିଶାର ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’ ଚାଲୁ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡିଆମାନେ ଗୁଜୁରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ
ଅସୁବିଧା ହେଉଥିବା ସେମାନେ ଦର୍ଶାଇଥିଲେ। ସାରା ଦେଶରେ ଲକ୍ ଡାଉନକୁ ପ୍ରତ୍ୟାହାର କରାଯାଉଥିବା ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି। ବର୍ତମାନ ମୌସୁମି ପରିସ୍ଥିତିରେ ସଡକ ପଥ ମାଧ୍ୟମରେ ଦୂର ବାଟ ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ ।

Comments are closed.