ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ଦେଇଛି କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଲକ୍ ଡାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନି (ଡ଼ିସକମ୍) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪ କୋଟି ଟଙ୍କାର ରିହାତି ଫଳରେ ରାଜ୍ୟରେ ବିଦ୍ୟୁତ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ ବୋଲି ଶୁକ୍ରବାର ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଲକ୍ ଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ @MinOfPower ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪ କୋଟି ଟଙ୍କାର ରିହାତି ଫଳରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ ।
— Dharmendra Pradhan (@dpradhanbjp) September 25, 2020
ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି। କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଛି। ଓଡ଼ିଶାରେ କରୋନା ଦ୍ୱାରା ପ୍ରଭାବିତ ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ ବିତରଣ କମ୍ପାନିକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦି ସରକାର ନିରନ୍ତର ସହଯୋଗ ଦେଉଛନ୍ତି।
ବିଦ୍ୟୁତ ଉତ୍ପାଦନ ଓ ସରବରାହ କମ୍ପାନୀ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା ରିହାତି ଦ୍ୱାରା ଅନ୍ତଃରାଜ୍ୟ ବିଦ୍ୟୁତ ସରବରାହ ଚାର୍ଜ ଏବଂ ବିଦ୍ୟୁତ ଚାର୍ଜର ରିହାତି ଉପଭୋକ୍ତାଙ୍କ ପାଖରେ ପହଞ୍ଚିପାରିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନେ ଅଧିକ ଉପକୃତ ହୋଇପାରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶାକୁ ନିରନ୍ତର ବିଦ୍ୟୁତ ଯୋଗାଣ ଏବଂ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇ ଗ୍ରାହକଙ୍କ ଦ୍ୱାରା ହେଉଥିବା ଅତିରିକ୍ତ ବିଦୁ୍ୟତ୍ ଶକ୍ତିର ଚାହିଦାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାର ଫଳସ୍ୱରୂପ ଓଡିଶାର ଅର୍ଥନୀତିରେ ଅଭିବୃଦ୍ଧି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Comments are closed.