ଓଟିଭି ଏମ୍ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗାଁ ଲୋକେ

ଭୁବନେଶ୍ୱର: ଓଟିଭି ଦୋରାତ୍ମ୍ୟ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଗ୍ରାମବାସୀ। ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସରୁଆ ଗ୍ରାମରେ। କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ଜମି କିଣିଥିଲେ। ସେମାନେ ସେଠାରେ ବଡ଼ ବଡ଼ ଘର, ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କଲେ କିନ୍ତୁ ଗ୍ରାମବାସୀଙ୍କ ଭାତ ହାଣ୍ଡି ଉପରେ ମାଡ ମାରି ଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଗ୍ରାମବାସୀ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି।
ଓଟିଭି ମାଲିକାଣୀ ଜାଗି ପଣ୍ଡାଙ୍କୁ ପ୍ରତିବାଦ କରିବାରୁ ସେ ଗୁଣ୍ଡା ଲଗାଇ ଧମକଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଜମି ଜବରଦଖଲ କରିବାକୁ ମଧ୍ୟ ଧମକ ଦେଉଥିବାରୁ ଗ୍ରାମବାସୀ ଭୟଭୀତ ଅଛନ୍ତି। ସେହି ଭୟରେ ଶାଗ ମାଛ ଦରରେ ଜମି ବିକୁଛନ୍ତି ସ୍ଥାନୀୟ ଲୋକେ। ଜାଗି ପଣ୍ଡାଙ୍କ ବାପା ଓ ଭାଇ ମଧ୍ୟ ଗାଁକୁ ଆସି ଧମକ ଦେଉଥିବା ଗ୍ରାମବାସୀ ଲିଖିତ ଭାବେ ଦର୍ଶାଇଛନ୍ତି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆତ୍ମହତ୍ୟା କରିଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।