Odisha Link
Bridging the Missing Links in Odisha

ଆମଦାନୀ ନେତା ଏବେ ବିଜେଡିର ଗେହ୍ଲାପୁଅ: ନବୀନଙ୍କୁ ଚିଠି ଲେଖିଲେ ଯୁବନେତା

ଭୁବନେଶ୍ବର: ବିଜୁ ଜନତା ଦଳରେ ନବ-ମନୋନୀତ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ନେଇ ଅସନ୍ତୋଷ ଘନେଇବାରେ ଲାଗିଛି। କର୍ମକର୍ତ୍ତା ଚୟନରେ ପ୍ରିୟାପ୍ରୀତି ତୋଷଣ, ପୁରୁଣା ନେତାଙ୍କୁ ଅଣଦେଖା, ଆମଦାନୀ ନେତାଙ୍କୁ ଗୁରୁତ୍ବ ଭଳି ଅଭିଯୋଗ ଉଠିଛି। ଏପରିକି କନିଷ୍ଠ, ଅନଭିଜ୍ଞ ନେତା ଓ ସୁନ୍ଦରୀ ଯୁବତୀଙ୍କୁ ବରିଷ୍ଠ ପଦ ପ୍ରଦାନ କରାଯିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏ ନେଇ ସୋସିଆଲ ମିଡିଆରେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ କଳ୍ପତରୁ ଓଝା ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଦଳରେ ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।

ବିଜୁ ଜନତା ଦଳର ଇଜ୍ଜତ ପାଇଁ ଯେଉଁମାନଙ୍କ ସହ ଦିନେ ଲଢ଼େଇ କରିବାକୁ ପଡ଼ୁଥିଲା ସେମାନେ ଏବେ ଦଳରେ ହିରୋ ବୋଲି ଓଝା ଲେଖିଛନ୍ତି। ଏପରିକି ଯୁବ ବ୍ୟାପାର ଦାୟିତ୍ବରେ ଥିବା ବିଧାୟକ ଜଣକ ଦଳରେ ତାଙ୍କ ଠାରୁ କନିଷ୍ଠ ଓ ଦଳରେ କମ ଦିନର ସଦସ୍ୟ ବୋଲି ସେ ଦାବି କରିଛନ୍ତି। ନୂତନ ଭାବେ ଗଢ଼ା ହୋଇଥିବା ଯୁବ ଓ ଛାତ୍ର କମିଟି ବାବଦରେ ମୁଖ୍ୟମନ୍ତ୍ରୀ ଅବଗତ ନ ଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି କଳ୍ପତରୁ।

ବିଜୁ ଛାତ୍ର ଜନତା ଦଳର ଅନ୍ୟତମ ପୂର୍ବତନ ସାଧାରଣ ସଂପାଦକ ରାକେଶ ମହାନ୍ତି ମଧ୍ୟ ସମାନ ଅଭିଯୋଗ ଉଠାଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି- ଯୋଉ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ “ଅଣ୍ଡାମାଡ଼” କରୁଥିଲେ ସେମାନେ ଆଜି ନିଗମ ଦାୟିତ୍ବରେ, ଯିଏ ନବୀନ ବାବୁଙ୍କୁ “ଛକା” କହି ବିଜେବି କଲେଜ ସମ୍ମୁଖରେ ଆନ୍ଦୋଳନ କରୁଥିଲେ ସେମାନେ ଆଜି ଯୁବ ଛାତ୍ର ଜନତା ଦଳରେ।

ସେହିପରି ବିପିୟୁଟି ଛାତ୍ର ସଂଘର ସଭାପତି କୃଷ୍ଣ ପ୍ରସାଦ ଜେନା ମଧ୍ୟ ସାମାଜିକ ଗଣମାଧ୍ୟମରେ ବିଜେଡି ଉପରେ ନିଜର ଅସନ୍ତୋଷ ଉଦ୍‌ଗାରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ମୁଖ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତୁରନ୍ତ ଏହାର କିଛି ସମାଧାନ କରନ୍ତୁ ନଚେତ୍ ଆଗାମୀ ଦିନରେ ଦଳକୁ ବହୁ ମୂଲ୍ୟ ଦବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

କରୋନା କାଳରେ କେହି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ନ ଥିବାରୁ ସେ ସୋସିଆଲ ମିଡିଆରେ ଖୋଲା ଚିଠି ଲେଖିଲେ ବୋଲି କଳ୍ପତରୁ ଓଝା ଉଲ୍ଲେଖ କରିଛନ୍ତି। ଚିଠି ସହ ୧୫ ବର୍ଷ ତଳର ଏକ ଫଟୋ ଦେଇଛନ୍ତି କଳ୍ପତରୁ, ଯେଉଁଠି ସେ ମୁଖ୍ୟମନ୍ତ୍ରୀ ଓ ଦଳର ଅନ୍ୟ ନେତାଙ୍କ ଗହଣରେ ଅଛନ୍ତି। ପଢ଼ନ୍ତୁ, ତାଙ୍କର ସମ୍ପୂର୍ଣ୍ଣ ଚିଠି।

ହେ ନବୀନ ବାବୁ ମୁଁ ତୁମ ଫ୍ୟାନ। ୨୦୦୪ ରୁ ୨୦୨୦ ଆଜି ପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କର୍ମୀ। ବିଜେବି କଲେଜରୁ ବାଣୀ ବିହାର ପର୍ଯ୍ୟନ୍ତ। କଲେଜ ଇଲେକ୍ସନ ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ପର୍ଯ୍ୟନ୍ତ ସବୁଠି ମୁଁ ମୋର ବହୁ ମୁଲ୍ୟ ସମୟ ଦେଇଛି। ପ୍ରତି ବର୍ଷ ଦଳର ସମ୍ମାନ ପାଇଁ କଲେଜ ଇଲେକ୍ସନରେ କ୍ୟାମ୍ପସରେ ପ୍ରାର୍ଥୀକୁ ଜିତାଇବା ପାଇଁ ଦଳର ନିର୍ଦେଶ। ମୁଁ ଏବଂ କିଛି ଛାତ୍ର ନେତା ଦଳରେ ଅଲୋଡ଼ା କାହିଁକି ? ଦଳ ପାଇଁ କେସ ଖାଇଛୁ, ଦୁଇ ଦୁଇ ଥର ଜେଲ ମଧ୍ୟ ଯିବାକୁ ପଡ଼ିଛି। ଦଳ ଦେଉଛି କଣ? ମୁଁ ବିଜେବି କଲେଜର ସାଧାରଣ ସଂପାଦକ ହେବା ଠାରୁ ଆରମ୍ଭ କରି ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ସୁଚାର ରୁପେ ତୁଲାଇବା ପରେ ମଧ୍ୟ ଯଦି ଆମର ଏ ଅବସ୍ଥା ତେବେ ଅନ୍ୟ ଜିଲ୍ଲା ଯୁବ ଛାତ୍ର ନେତାମାନଙ୍କ ଅବସ୍ଥା କଣ ହେଉଥିବ ତାହା ଏଥିରୁ ଅନୁମେୟ। ଆମ ଦଳର ଇଜ୍ଜତ ପାଇଁ ଯେଉଁମାନଙ୍କ ସହ ଲଢ଼େଇ କରିବାକୁ ପଡୁଥିଲା ସେମାନେ ଆମ ଦଳରେ ବର୍ତ୍ତମାନର ହିରୋ। ଆମଦାନୀ ଛାତ୍ର ନେତା ମାନେ ଦଳର ଏବେକାର ଗେହ୍ଲାପୁଅ। ଏମାନଙ୍କ ମଧ୍ୟରୁ କିଏ କର୍ପୋରେସନ୍ ତ ଆଉ କିଏ ଡାଇରେକ୍ଟର୍ ତ ପୁଣି କିଏ ଛାତ୍ର (ଜନତା ଦଳ)ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ସଭାପତି ଭଳି ଉଚ୍ଚ ପଦରେ ଥଇଥାନ। ସେମାନଙ୍କର ଦଳ ପ୍ରତି ଆନୁଗତ୍ୟ କ’ଣ? ସେମାନଙ୍କ ଠାରେ କ’ଣ ଏମିତି ଦକ୍ଷତା ଅଛି ଯେ ଆମ ପାଖେ ନାହିଁ। ଯିଏ ଗୁରୁ ଏବଂ ବିଜୁ ଜନତା ଦଳକୁ ଆଣିଥିବା ଲୋକର ନୁହଁ ସେ କାହାର ନୁହଁ। ଏ ଦଳରେ ତାଙ୍କର ସ୍ୱାର୍ଥ ପୂରଣ ନ ହେଲେ ଅଲଗା ଦଳକୁ ପଳେଇବେ। ବାରଘରିଆଙ୍କ ପାଇଁ ସବୁ ସମ୍ଭବ। ଆମେ ଯେତେ ଥର ଜିନ୍ଦାବାଦ ପକେଇଛୁ , ସେମାନେ ନବୀନ ବାବୁ ଆଉ ଆମ ଦଳର ମୁର୍ଦାବାଦ ସହସ୍ର ଅଧିକ ପକାଇଛନ୍ତି। ତାହା ହେଲେ ଆମର ଭୁଲ କେଉଁଠି? (ରାଜ୍ୟ ସଭାପତି ଓ ମହେଶ ପ୍ରସାଦ ଭଳି ଛାତ୍ର ନେତା ବି ଏ ଦଳରେ ଅଲୋଡ଼ା) ଦଳ ପାଇଁ ବହୁ ମୂଲ୍ୟ (ଦେବା) ସହ ଯୌବନ ବି ନଷ୍ଟ କରିଛୁ। ଯେଉଁ କଲେଜ୍‌ରୁ ପାସ୍ କରିଛୁ ଯଦି ଆମେ ଚାହିଁଥା’ନ୍ତୁ (ସେଠାରେ) ପିଅନ ଚାକିରି କରିପାରିଥାନ୍ତୁ। ଦୀର୍ଘ ସମୟ ପାର୍ଟିରେ କାମକରି କ’ଣ ମିଳିଲା ଏଠି? ଦଳରେ ଅଭିଜ୍ଞତା, ସିନିୟର, ଜୁନିୟର ଏବଂ କଠିନ ପରିଶ୍ରମର କିଛି ମୂଲ୍ୟ ନ ଥାଏ। ଚାଟୁକାର କେତେ ଦିନ ଚାଲିବ। ଯୁବ ବ୍ୟାପାର ଦାୟିତ୍ୱରେ ଥିବା ମାନ୍ୟବର ବିଧାୟକ ମୋ ଠାରୁ ବିଜୁ ଜନତା ଦଳରେ କମ ଦିନର ସଦସ୍ୟ। ଭୁବନେଶ୍ୱରରେ କେତେଜଣ ସ୍ଥାନୀୟ ଛାତ୍ର ନେତାଙ୍କ ସହ ସମ୍ପର୍କ ଅଛି? “ନୂତନ ଭାବେ ଗଢା ହୋଇଥିବା ଯୁବ ଏବଂ ଛାତ୍ର କମିଟି ବାବଦରେ ଆମଦଳର ମାନ୍ୟବର ସଭାପତି ଅବଗତ ତ?” ମୋତେ କାହିଁ ସନ୍ଦେହ ହେଉଛି। ଯେହେତୁ କୋରୋନା ସମୟ କେହି ଭେଟୁନାହାନ୍ତି ତେଣୁ ସୋସିଆଲ ମିଡିଆରେ ଲେଖିବାକୁ ବାଧ୍ୟ ହେଲି।

ମୋର ଏହି ଦାବିଟିକୁ ଦଳର ସଭାପତି ଗୁରୁତ୍ୱ ଦେଇ ପୁର୍ନବାର ବିଚାର କରିବେ କି? ଦଳ ଭିତରେ ବଡ଼ ଏବଂ ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ରହୁ। ପୁରୁଣା କର୍ମୀଙ୍କୁ ଉଚିତ ସମ୍ମାନ ମିଳୁ। ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ, ଏହା କାହା ପୈତୃକ ସମ୍ପତି ନୁହଁ। ଯିଏ ଯେମିତି ଚାହିଁବ ସେମିତି ଚୟନ କରିବ (ଗୁରୁଙ୍କ ସମ୍ମାନ ପାଇଁ ଚୁପ ଥିଲି, ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି )। ନିରବତା ଆମ ଦୁର୍ବଳତା ଭାବିବା ଭୁଲ। ଅନ୍ୟ ଛାତ୍ର ଏବଂ ଯୁବ ନେତା ମାନେ ସତ୍ୟକୁ ସାମନା କରନ୍ତୁ ଏବଂ ନିଜର ହକ ଜାହିର କରନ୍ତୁ। ଯେଉଁ ଭଳି ବରିଷ୍ଠ ଯୁବ- ଛାତ୍ର ନେତାମାନଙ୍କୁ ଉପେକ୍ଷା କରାଯାଉଛି ଯଦି ଏହାର ପୁନର୍ବିଚାର କରାନଯାଏ, ଆଗାମୀ ଦିନରେ ଓଡ଼ିଶାର କୋଣ ଅନୁକୋଣରେ ଯୁବ-ଛାତ୍ର ନେତାଙ୍କ ପ୍ରତିବାଦର ସ୍ୱର ଉଠିବ। ମୁଁ ରାଜଧାନୀ ପିଲା, ଚାଟୁକାର କି ଭୟ କରିବା ମୋ ବାପା ମୋତେ ଶିଖେଇ ନାହାଁନ୍ତି।

#ମୋର ବ୍ୟକ୍ତିଗତ ୩ଟି ପ୍ରଶ୍ନ?

୧- ଆମର ଯୁବ ଏବଂ ଛାତ୍ର ସଭାପତି କିଏ?
୨- କେଉଁ ଆଧାରରେ ଯୁବ-ଛାତ୍ର କର୍ମକର୍ତ୍ତା ଚୟନ କରାଯାଇଛି?
୩- ଦଳ ଭିତରେ ଅଭିଜ୍ଞତା ଏବଂ ସାନବଡ଼ର ତାରତମ୍ୟ ଅଛି ନା ନାହିଁ?

Comments are closed.