୯୧ ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ ଲତା ମଙ୍ଗେଶକର

ଭୁବନେଶ୍ବର: ଭୁବନେଶ୍ବର: ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକରଙ୍କର ଆଜି ଜନ୍ମଦିନ। ଆଜି ସେ ୯୧ ବର୍ଷରେ ପାଦ ଥାପିଛନ୍ତି। ଆଜି ଲତାଙ୍କୁ ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ଭରତ ରତ୍ନ ‘ଲତା ମଙ୍ଗେଶକର ୩୬ ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୧୩ ବର୍ଷ ବୟସରୁ ଲତା ନିଜର ବୃତ୍ତିଗତ ଯାତ୍ରା ଆରମ୍ଭ କରିଥିଲେ। ଗତ ୭ ଦଶକରୁ ଅଧିକ ସମୟ ଧରି ଗୀତ ଗାଇ ଲତା ଦେଶ ବିଦେଶରୁ ଅନେକ ପ୍ରଶଂସା ସାଉଁଟିଛନ୍ତି। ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ପୁରସ୍କାର ତାଙ୍କୁ ୩୦ ବର୍ଷ ପୂର୍ବରୁ ମିଳି ସାରିଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ତାଙ୍କୁ ୨୦୦୧ ମସିହାରେ ସମ୍ମାନିତ କରାଯାଇଛି।
ଲତା ମଙ୍ଗେଶକର ଏତେ ଗୀତ ଗାଇଛନ୍ତି ଯେ, ୧୯୭୪ ରୁ ୧୯୯୧ ପର୍ଯ୍ୟନ୍ତ ଗିନିଜ୍ ବକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରତିବର୍ଷ ସର୍ବାଧିକ ଗୀତ ରେକର୍ଡିଂ ରେକର୍ଡ କରାଯାଇଥିଲା। ତାଙ୍କର ୯୧ ତମ ଜନ୍ମଦିନରେ ଲତାଜୀଙ୍କ ସହ ଜଡିତ କିଛି ବିଶେଷ କାହାଣୀ। ୨୮ ସେପ୍ଟେମ୍ବରରେ ଲତାଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ମରାଠୀ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଦୀନାନାଥ ମଙ୍ଗେଶକର। ତାଙ୍କ ନାମ ପ୍ରଥମେ ‘ହେମା’ ଥିବାବେଳେ ଜନ୍ମର ୫ ବର୍ଷ ପରେ ମାତା ପିତା ତାଙ୍କ ନାମ ବଦଳାଇ ‘ଲତା’ ରଖିଥିଲେ। ଲତା ତାଙ୍କର ସମସ୍ତ ଭାଇ ଭଉଣୀଙ୍କ ମଧ୍ୟରେ ବଡ଼। ମୀନା, ଆଶା ଓ ହୃଦୟନାଥ ସମସ୍ତେ ତାଙ୍କଠାରୁ ଛୋଟ। ଲତାଙ୍କ ପିତା ରଙ୍ଗମଞ୍ଚ କଳାକାର ଓ ଗାୟକ ଥିଲେ। ଲତା ୧୯୪୨ରେ ‘କିଟି ହସାଲ’ ପାଇଁ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ। କିନ୍ତୁ ତାଙ୍କ ବାପାଙ୍କୁ ଏହା ପସନ୍ଦ ଆସି ନ ଥିଲା। ତେଣୁ ସେ ଫିଲ୍ମରୁ ଗୀତ ହଟାଇ ଦେଇଥିଲେ। ତଥାପି ଲତା ଗୀତ ଗାଇବା ଜାରି ରଖିଥିଲେ।