Odisha Link
Bridging the Missing Links in Odisha

ପୁନଃନିଯୁକ୍ତି ଦାବିରେ ‌ଗଞ୍ଜାମରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତିବାଦ

ଖଲ୍ଲିକୋଟ: ‌ଗଞ୍ଜାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ବାହାର କରାଯାଇଥିବା ଶତାଧିକ ପାରାମେଡିକାଲ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦେଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କରୋନା ସମୟରେ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୫ଶହରୁ ଉର୍ଦ୍ଧ୍ବ ଏଏନଏମ, ଜିଏନଏମ, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କୁ ୩ ମସିଆ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ଏହି କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ବ୍ଲକରେ ନିୟୋଜିତ ହୋଇ ସ୍ବାବ୍ ସଂଗ୍ରହ, ଥର୍ମାଲ ସ୍କ୍ରିନିଂ, ପୋଲିଅକ୍ସିମିଟର ଯାଞ୍ଚ ସମେତ କୋଭିଡ୍ ଡାକ୍ତରଖାନାରେ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣ କମିବା ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି।

ସ୍ବାସ୍ଥ୍ୟକର୍ମୀଙ୍କ କହିବା ଅନୁସାରେ ଯେତେବେଳେ କେହି ଆସୁନଥିଲେ ସେମାନଙ୍କୁ ଚୁକ୍ତିଭିତ୍ତିକରେ ରଖାଯାଇଥିଲେ କିନ୍ତୁ ଏବେ ସେମାନଙ୍କୁ ଅବହେଳା କରି ଛଟେଇ କରିଦିଆଯାଇଛି। ତେବେ ଏ ନେଇ ଜିଲ୍ଲାପାଳଙ୍କଠାରୁ କୌଣସି ସଠିକ୍ ଉତ୍ତର ନମିଳିବା ପର୍ଯ୍ୟନ୍ତ ଏହି ଧାରଣ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

Comments are closed.