Odisha Link
Bridging the Missing Links in Odisha

କୋଭିଡ୍‌ ଅପରାଧୀ: ସାଂସଦଙ୍କ କାର୍ଯ୍ୟାଳୟରେ ତାଲା, କ୍ଷମା ମାଗି ଖସିଯିବାକୁ ବିଧାୟକଙ୍କ ଉଦ୍ୟମ

ଭୁବନେଶ୍ବର: କୋଭିଡ୍‌ ନିୟମ ଅମାନ୍ୟ କରିବା ଅଭିଯୋଗରେ ସାଧାରଣ ଜନତାଙ୍କ ଉପରେ ପୁଲିସ ପ୍ରଶାସନ ଦାଉ ସାଧୁଥିବା ବେଳେ ରାଜନେତାଙ୍କ ବେଳକୁ ଲାଙ୍ଗୁଡ଼ ଜାକି ଶୋଇବାର ଯଥେଷ୍ଟ ପ୍ରମାଣ ରହିଛି। ରାଜଧାନୀର ଗଳି କନ୍ଦିରେ ସଂଧ୍ୟା ସମୟରେ ଲୁଚିଛପି ପୁଲିସ ତଥାକଥିତ ଅମାନିଆ ଜନତାଙ୍କ ଉପରକୁ ହଠାତ୍‌ ଝାମ୍ପି ପଡ଼ି ସେମାନଙ୍କ ଠାରୁ ଜରିମାନା ଆଦାୟରେ ବ୍ୟସ୍ତ ଥିବା ବେଳେ ରାଜନେତାଙ୍କ ବେଳକୁ ନିରବଦ୍ରଷ୍ଟା ସାଜୁଛି। ତେବେ ବିଳମ୍ବରେ ହେଲେ ମଧ୍ୟ ଆଜି ପ୍ରଶାସନ ଏ ଦିଗରେ ନିଜର ତତ୍ପରତା ପ୍ରକାଶ କରିଛି। ଦୁଇଦିନ ତଳେ କୋଭିଡ୍‌ ନିୟମକୁ ବେଖାତିର କରି ଶୁଭେଚ୍ଛୁଙ୍କ ଗହଣରେ ଜନ୍ମଦିନ ମୁଝରେ ମସଗୁଲ ଥିବା ଭାରତୀୟ ଜନତା ପାର୍ଟି ନେତ୍ରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଆଜି ସିଲ୍ କରିଛନ୍ତି ଭୁବନେଶ୍ବର ମହାନଗର ନିଗମ କର୍ତୃପକ୍ଷ।

ଅନ୍ୟପଟେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନର ଗନ୍ଧ ବାରିପାରି ବିଜୁ ଜନତା ଦଳ ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ତରବରିଆ ଭାବରେ କ୍ଷମାପ୍ରାର୍ଥନା କରିଛନ୍ତି। ସହରରେ ପେଟ୍ରୋଳ ପମ୍ପ ବିସ୍ଫୋରଣରେ ପ୍ରାଣହାନୀ ଘଟିଥିବା ବେଳେ, ବିସ୍ଫୋରଣ ସ୍ଥଳରୁ ବସ୍ତା ବାସ୍ତା ମାଂସଖଣ୍ଡ ମିଳୁଥିବା ବେଳେ ଏ ଦୁଃଖଦ ଘଟଣାର ଠିକ ଗୋଟିଏ ଦିନ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଚଗୀତର ଆସର ନିଶ୍ଚିତ ଭାବରେ ନିନ୍ଦନୀୟ। ତେବେ ବିଧାୟକ ଉମାଙ୍କ ଅପରାଧ ତାହାଠାରୁ ଅଧିକ ଜଘନ୍ୟ ବୋଲି ମନେହୁଏ। ଉମା ନିଜେ କୋଭିଡ୍‌ ପଜିଟିଭ୍‌ ଥିବା ସମୟରେ ଶହ ଶହ ଲୋକଙ୍କ ଜୀବନକୁ ବିପନ୍ନ କରି ସଂଗରୋଧରୁ ବାହାରି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେ ଗହଳି ଭିତରକୁ ଯାଇ କୋଭିଡ୍‌ ନିୟମ ଭାଙ୍ଗିଛନ୍ତି, ନିଜର ସଂକ୍ରମିତ ଥାଇ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ଦ୍ବିତୀୟ ଅପରାଧ କରିଛନ୍ତି ଏବଂ ତାଙ୍କର ତୃତୀୟ ଅପରାଧ ହେଉଛି ମହାରଥୀଙ୍କ ଶେଷକୃତ୍ୟ ପରେ ସେଠାରେ ଉପସ୍ଥିତ ଅନ୍ୟ ବନ୍ଧୁଙ୍କ ଉଦ୍ଦେଶ୍ୟରେ ସେ କେଉଁଠି ବି ସମ୍ଭାବ୍ୟ ସଂକ୍ରମଣ ନେଇ ଚେତାବନୀ ଦେଇନାହାନ୍ତି।

ଉଭୟ ଅପରାଜିତା ଓ ଉମାକାନ୍ତଙ୍କ ବିରୋଧରେ କୋଭିଡ୍‌ ଆଇନ ଭାଙ୍ଗିବା ନେଇ ଏକାଧିକ ମାମଲା ରୁଜୁ ହୋଇଛି।

ଆଜି ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କୋଭିଡ୍‌ ଆଇନ୍‌ ଅନୁସାରେ ତାଙ୍କ ଠାରୁ ବଡ଼ ଅପରାଧୀ ଉମାକାନ୍ତ ସାମନ୍ତରାୟ ଭୁଲ ମାଗି ଖସିଯିବାକୁ ଉଦ୍ୟମ କରୁନାହାନ୍ତି ତ। ଅପରାଜିତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏବେ ପ୍ରଶଂସାର ପାତ୍ର ରାଜ୍ୟ ସରକାର ତହୁଁ ବଡ଼ ଉଲ୍ଲଂଘନକାରୀ ନିଜ ବିଧାୟକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ, ଏପ୍ରିଲ ୮, ୨୦୨୦ରେ ଓଡ଼ିଶା ସରକାର କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେବା ପାଇଁ ଏକ ବିଧେୟକ ଆଣିଥିଲେ। ଏଥିରେ ୧୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଥିଲା।

Comments are closed.