Odisha Link
Bridging the Missing Links in Odisha

ଉପନିର୍ବାଚନ: ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ କିପରି ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ଭୋଟ ଦାନ ଓ ଭୋଟ ଗଣତି ଅନୁଷ୍ଠିତ ହେବ ସେଥିପାଇଁ ଭିଡିଓ କନଫରେନ୍‌ସିଂ ଜରିଆରେ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଶ୍ରୀ ଲୋହାନି ଆଲୋଚନା କରିଛନ୍ତି। ଏହି ଉପନିର୍ବାଚନରେ ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ (ଆଇସିଟି ଆପ୍ଲିକେସନ୍‌ସ୍‌) ସମ୍ପର୍କିତ ପ୍ରୟୋଗଗୁଡ଼ିକ ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି।

ବୈଠକ ଆରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଉଭୟ ଜିଲ୍ଲାର ଅଧିକାରୀମାନଙ୍କ ସହ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗ ନେଇ ସମୀକ୍ଷା କରିଥିଲେ। ବୁଥ୍‌ସ୍ତରୀୟ ଅଧିକାରୀମାନେ (ବିଏଲ୍‌ଓ) ୧୪ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଭୋଟର, ଭୋଟର ତାଲିକାରେ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ଭୋଟରମାନଙ୍କୁ ଯୋଗାଯୋଗ କରି ପୋଷ୍ଟାଲ୍‌ ବାଲାଟ୍‌ ଜରିଆରେ ମତଦାନ ପାଇଁ ଉଦ୍ଦିଷ୍ଟ ଆବେଦନ ଫର୍ମ-୧୨(ଘ) ପ୍ରଦାନ କରିବା କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଚାକିରି କରୁଥିବା ଭୋଟରମାନେ ଇ.ଟି.ପି.ବି.ଏସ୍‌ ସେବା ମାଧ୍ୟମରେ କିପରି ସହଜରେ ଭୋଟ ଦେଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ ଯେ, ଚଳିତ ଉପନିର୍ବାଚନରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ପାଇଁ ବିଭିନ୍ନ କ୍ଷେତ୍ରରେ ଅନ୍‌ଲାଇନ୍‌ ଆବେଦନ ଓ ଅନୁମତି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାଇଁ ଅନ୍‌ଲାଇନ୍‌ରେ ସମସ୍ତ ତଥ୍ୟ ପୂରଣ କରିବେ। ଏହାର ଏକକିତା ନକଲକୁ ନୋଟାରାଇଜ୍‌ କରି ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ।

Comments are closed.