Odisha Link
Bridging the Missing Links in Odisha

ସାବଧାନ! ଏହି ମାସ ସୁଦ୍ଧା ଦେଶର ଅଧା ଲୋକ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ୍‌କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ କରୋନାକୁ ନେଇ ସରକାରଙ୍କର ଏକ କମିଟିର ଅଧ୍ୟୟନରୁ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମନାକୁ ଆସିଛି। ୨୦୨୧ ଫେବ୍ରୁଆରୀ ସୁଦ୍ଧା ଭାରତର ପାଖାପାଖି ୧୩୦କୋଟି ଜନସଂଖ୍ୟାର ଅଧା କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପାରନ୍ତି ବୋଲି ଅଧ୍ୟୟନରୂୁ ଜଣା ପଡ଼ିଛି।

ଦେଶରେ ଏବେ ସଂକ୍ରମିତ ୭୫ ଲକ୍ଷ ଟପିଛି। ବିଶେଷଜ୍ଞ କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି, ଆମର ଗାଣିତିକ ହିସାବ ଅନୁସାରେ ଦେଶର ୩୦ ପ୍ରତିଶତ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଲେଣି। ଏହି ସଂକ୍ରମିତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। କମିଟିର ଆକଳନ କେନ୍ଦ୍ରର ସେରୋଲୋଜିକାଲ ସର୍ଭେର ଆକଳନଠାରୁ ବହୁତ ଅଧିକ।

ସେରୋଲୋଜିକାଲ ସର୍ଭେ ଅନୁସାରେ ଏବେ ୧୪ ପ୍ରତିଶତ ଭାରତୀୟ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ତେବେ ପ୍ୟାନେଲ ସତର୍କ କରିଦେଇଛି ଯେ, ଆଗକୁ ଯଦି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆନଯାଏ ତେବେ ସଂକ୍ରମଣ ବଢିପାରେ।

ସରକାରୀ ତଥ୍ୟ ମୁତାବିକ ସେପ୍ଟେମ୍ୱର ମାସର ୨ୟ ସପ୍ତାହ ଯାଏଁ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ଦେଖାଦେଇଥିବା ବେଳେ ଦେଶରେ ନୂଆ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଆସିଛି। ବର୍ତ୍ତମାନ ସମୟରେ ୬୧ ହଜାର ନୂଆ କରୋନା ମାମଲା ପ୍ରତିଦିନ ଦେଶରେ ରିପୋର୍ଟ କରାଯାଉଛି ଏବଂ ଏହାର ଟେଷ୍ଟ ହାର ମଧ୍ୟ ଲଗାତାର ବଢ଼ିଚାଲିଛି। ଯାହା ଏକ ଆଶ୍ବସ୍ତିକର ଖବର।

Comments are closed.