Odisha Link
Bridging the Missing Links in Odisha

ବୈଜୟନ୍ତଙ୍କ ବାହାମାସ୍‌ ସମ୍ପର୍କ ଓ ଅନୁଭବଙ୍କ ପିଲାଳିଆମୀ

ଭୁବନେଶ୍ବର: ଅଜଣା ସୂତ୍ରରୁ କଳାଧନ ଆଣିବା ନେଇ ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଓଟିଭି ମୁଖିଆ ଜାଗୀମଙ୍ଗତ ପଣ୍ଡାଙ୍କୁ ବିଜୁ ଜନତା ଦଳ ଅକଳରେ ପକାଇଛି। ଏକ ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଫିନଲେ, ମେସିନା ଓ ପିକିକା ନାମରେ ତିନୋଟି ବାହାମାସ୍‌ର କମ୍ପାନୀ ବୈଜୟନ୍ତଙ୍କ ସଂସ୍ଥାକୁ ଅର୍ଥ ଦେବା ପରେ କେଉଁଆଡ଼େ ଉଭାନ୍‌ ହୋଇଗଲେ ବୋଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି। ତେବେ ଏ ମାମଲାରେ ଏନ୍‌ଫୋର୍ସମେଣ୍ଟ୍‌ ଡିରେକ୍ଟୋରେଟ୍, ଆୟକର ବିଭାଗ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାତ୍ର।

ସେହିପରି ବୈଜୟନ୍ତ ପଣ୍ଡା ବ୍ଲାକ୍‌ମେଲ୍‌ କରି ଓ ବେଆଇନ ବ୍ୟାବସାୟିକ ସନ୍ଧି ମାଧ୍ୟମରେ ବ୍ଲାକ୍‌ ମନି ଆଣିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକଟ କରିଛନ୍ତି ରାଜସଭା ସାଂସଦ ଅମର ପଟ୍ଟନାୟକ। ସିବିଆଇ ଓ ଇଡିଙ୍କୁ ଏହା ଠାରୁ ଭଲ ମାମଲା କିଛି ମିଳିବ ନାହିଁ ଏବଂ ଏଭଳି ମାମଲା ପାଇଁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଅନାବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିଜୁ ଜନତା ଦଳର ଏହି ଦୁଇ ସାଂସଦ ସମସ୍ତ ଶାଳୀନତା ବଜାୟ ରଖି ଯୁକ୍ତିନିଷ୍ଠ ତଥ୍ୟ ଓ ଭାବନା ଆଧାରରେ ସାମାଜିକ ଗଣମାଧ୍ୟମରେ ବୈଜୟନ୍ତଙ୍କ ବାହାମାସ୍‌ ଲିଙ୍କ୍‌ ବାବଦରେ ନିଜର ମତ ରଖିଥିବା ବେଳେ ପୁଣି ପାଗଳାମୀ କରିଛନ୍ତି ଦଳର ଲୋକସଭା ସାଂସଦ ଅନୁଭବ ମହାନ୍ତି।

ନିଜର ପିଲାଳିଆମୀ ଓ ଅଦୂରଦର୍ଶୀ ମନ୍ତବ୍ୟ ପାଇଁ ପୂର୍ବରୁ ଏକାଧିକ ବାର ସମାଲୋଚନାର ଶୀକାର ହୋଇଥିବା ଅନୁଭବ ଏହି ବୈଜୟନ୍ତଙ୍କ ବାହାମାସ୍‌ ଲିଙ୍କ୍‌ ମାମଲାରେ ବି ନିଜର ଅସଲ ରୂପ ପଦାରେ ପକାଇଛନ୍ତି। ଅକ୍ଟୋବର ୨୬-୨୭ ରାତି ପ୍ରାୟ ୧ଟା ବେଳେ ଉଭୟ ଫେସବୁକ୍‌ ଓ ଟ୍ବିଟରରେ ଏ ଘଟଣା ନେଇ ଅନୁଭବ ପୋଷ୍ଟ୍‌ କରିଛନ୍ତି। ଅନ୍ୟ ସାଂସଦଙ୍କ ଭଳି ଅନୁଭବଙ୍କ ପୋଷ୍ଟ୍‌ରେ କୌଣସି ଆଧାର, ତଥ୍ୟ ନାହିଁ। ବରଂ ଏହା ଏକ ଟ୍ରଲିଂ ଭଳି ପ୍ରତୀୟମାନ ହେଉଛି। ପୂର୍ବରୁ ରାଗ ରଖି ଜଣକୁ ଖତେଇ ହେବା ଭଳି ଅନୁଭବ ଅତ୍ୟନ୍ତ ପିଲାଳିଆମୀ ପୋଷ୍ଟଟିଏ କରିଛନ୍ତି। ମହିଳାଙ୍କୁ ସମ୍ମାନ ଦେଉଥିବା ଦାବି କରୁଥିବା ଅଭିନେତା ଅନୁଭବ ତାଙ୍କ ପୋଷ୍ଟରେ ଜଣେ ମହିଳାଙ୍କ ପ୍ରତି ମଧ୍ୟ ଅତ୍ୟନ୍ତ ରୁଚିହୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମାଲୋଚିତ ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀ ମାସରେ ସେତେବେଳର ବିଜୁ ଜନତା ଦଳ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗକୁ ଏକ ଅଭିଯୋଗ ଆସିଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ ଯେ ବୈଜୟନ୍ତ, ତାଙ୍କ ପତ୍ନୀ ଜାଗୀମଙ୍ଗତ ଓ ତାଙ୍କର ନିବିଡ଼ ସହଯୋଗୀ ମଂଜୁଳା ଦେବୀ ଶ୍ରଫ୍‌ ପ୍ରିଭେନ୍ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ, ବ୍ଲାକ୍‌ ମନି ଆକ୍ଟ ଓ ଆୟକର ଆଇନର ଉଲ୍ଲଂଘନ କରିଛନ୍ତି। ସେମାନେ ଭାରତ ବାହାରୁ କିଛି ଅଜଣା ଛାୟା କମ୍ପାନୀ ଠାରୁ ୧୭.୭୨ କୋଟି ଟଙ୍କା ଆଣିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏ ନେଇ ୨୦୧୯ ଫେବ୍ରୁଆରୀ ମାସରେ ଦ ଇଣ୍ଡିଆନ୍‌ ଏକ୍ସପ୍ରେସରେ ଏକ ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା।

ଅନ୍ୟପଟେ ବ୍ୟାବସାୟିକ କାରଣରୁ ଏକଦା ଏକାଠି ହୋଇଥିବା ବୈଜୟନ୍ତ ଓ ଅନୁଭବ ଏବେ ରାଜନୈତିକ କାରଣରୁ ପରସ୍ପରର ପ୍ରତିପକ୍ଷ ପାଲଟିଛନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ନିଜର ଚଟୁଳ ଓ ତରବରିଆ ପୋଷ୍ଟ ପାଇଁ ବାରମ୍ବାର ସମାଲୋଚିତ ହୋଇଛନ୍ତି ଅନୁଭବ। ପୂର୍ବରୁ ସଲମାନ ଖାନଙ୍କୁ ଲାଇକ୍‌ ଭିକ୍ଷା କରି ଓ ପ୍ରଦୀପ ମହାରଥୀଙ୍କୁ ଆଗୁଆ ମୃତ ଘୋଷଣା କରି ସେ ହଟହଟା ହୋଇଥିଲେ। କହିବା ବାହୁଲ୍ୟ, ଏ ସମସ୍ତ ପୋଷ୍ଟ ଅନୁଭବ ରାତି ଅଧରେ ହିଁ କରିଥିଲେ।

Comments are closed.