Odisha Link
Bridging the Missing Links in Odisha

ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ କୋଭାକ୍ସିନ୍‌ର ପରୀକ୍ଷଣ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ- ୧୯ ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ୍ ଶୀଘ୍ର ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ।

ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍‌ ମେଡିକାଲ୍ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଂଟ୍ରାଲ୍ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ୍‌ ଅର୍ଗାନାଇଜେସନ୍ ପକ୍ଷରୁ ସ୍ୱୀକୃତି ମିଳିଛି ।

ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇସାରିଛି । ଏହି ପ୍ରକ୍ରିୟାରେ ଅନେକ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ୍ ଅନୁଷ୍ଠାନକୁ ଆଇସିଏମ୍‌ଆର୍ ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମନୋନୀତ କରାଯାଇଛି ।

କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା କହିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରିଭେନ୍‌ଟିଭ୍ ଆଣ୍ଡ ଥେରାପିଉଟିକ୍‌ କ୍ଲିନିକାଲ୍ ୟୁନିଟ୍‌ର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ କୋହଳ କରାଯିବ ଏବଂ ସୁସ୍ଥ ସ୍ୱେଚ୍ଛାସେବୀମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇପାରିବେ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ମଧ୍ୟ ଏହି ଟୀକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି। ଟୀକା ପ୍ରୟୋଗ କରାଯାଇଥିବା ସ୍ୱେଚ୍ଛାସେବୀମାନଙ୍କ ଠାରେ କୋଭାକ୍ସିନ୍ ଟୀକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି ଭ୍ୟାକ୍ସିନ୍‌ର ପରୀକ୍ଷଣ ନିମନ୍ତେ ଅନେକ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି।

ଇଛ୍ଛୁକ ସ୍ବେଚ୍ଛାସେବୀମାନେ  www.ptctu.soa.ac  ୱେବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିପାରିବେ ।

Comments are closed.