Odisha Link
Bridging the Missing Links in Odisha

ମେଲାଣି ନେଲେ ମା’

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା। ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା’। ଆଜି ମା’ଙ୍କର ଭସାଣ ଉତ୍ସବ। ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଟ୍ବିନ୍‌ ସିଟିରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଭସାଣ ଉତ୍ସବ ନେଇ କମିଶନରେଟ୍‌ ପୁଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, କଟକରେ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କଟକ ସହରରେ ଭସାଉ ଉତ୍ସବ ଅନୁଷ୍ଠିତ ହେବ। ଭସାଣ ଉତ୍ସବ ପାଇଁ ସମସ୍ତ ପୂଜା ମଣ୍ଡପ ସକାଶେ ୪ ପର୍ଯ୍ୟାୟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭସାଣ ଉତ୍ସବ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା, ତୃତୀୟ ପର୍ଯ୍ୟାୟ ଅପରାହ୍ଣ ୨ଟାରୁ ୪ଟା ଏବଂ ଚତୁର୍ଥ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଧାର୍ଯ୍ୟ କରାଯାଇଛି।

କଟକ ସହରରେ ସମସ୍ତ ପୂଜା ମଣ୍ଡପର ମୂର୍ତ୍ତି ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ମଧ୍ୟରେ ଭସାଣ ସରିବ। ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ। ପ୍ରତି ପୂଜା କମିଟିର ୭ଜଣଙ୍କୁ ଭସାଣ ଉତ୍ସବରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ଭସାଉ ଉତ୍ସବ ସମୟରେ ପୂଜାକମିଟି ସଦସ୍ୟମାନେ ଚେଚିସ୍‌ ବଦଳରେ ଡାଲା ଅଟୋ ଏବଂ ପିକ୍‌ଅପ୍‌ ବ୍ୟବହାର ପାଇଁ ଅନୁମତିମିଳିଛି। କଟକ ସହରରେ ଭସାଣ ଉତ୍ସବ ନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଦୁର୍ଗା ପୂଜା ସୂଚାରୁ ରୂପେ ଶେଷ ହୋଇଥିବାରୁ ଡିଜିପି ଟ୍ବିଟ୍ କରି କହିଛନ୍ତି ଯେ, ଆମେ ଓଡିଶାର ଲୋକମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ମୁଖ୍ୟତଃ ଦୁର୍ଗା ପୂଜା ଉତ୍ସବ ସହ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିଥିଲେ। ଏଥସହ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ମୁଁ ହଜାର ହଜାର ପୋଲିସ କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରୁଛି।

Comments are closed.