Odisha Link
Bridging the Missing Links in Odisha

ଅଭୁଲା ଅକ୍ଟୋବର ୨୯, ମନରୁ ଲିଭିନି ପ୍ରକୃତିର କରାଳ ପ୍ରକୋପ

ଭୁବନେଶ୍ବର: ୨୯ ତାରିଖ..ଓଡ଼ିଶାବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ। ଆଜି ବି ଅକ୍ଟୋବର ୨୯ କଥା ମନେ ପଡ଼ିଲେ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଯାଉଥିବ ନିଶ୍ଚୟ। ଏସବୁ ମଧ୍ୟରେ ୧୯୯୯ ମହାବାତ୍ୟାକୁ ପୁରିଛି ୨୧ ବର୍ଷ। ସେଦିନ ପ୍ରଳୟଙ୍କାରୀ ବାତ୍ୟା ରଚିଥିଲା ତାଣ୍ଡବ ଲୀଳା। ଉଜୁଡି ଯାଇଥିଲା ଜନଜୀବନ। ସେଦିନ କଥା ମନେ ପଡିଲେ ଏବେ ବି ଛାତି ଥରି ଉଠେ। ଆଖି ଆଗରେ ନାଚି ଯାଏ ସେହି ବିଭତ୍ସ ରୂପ। ରାଜ୍ୟ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଛି ହେଲେ ୧୯୯୯ ମହାବାତ୍ୟାରେ ଛାରଖାର ହୋଇ ଯାଇଥିଲା ଉପକୂଳ ଓଡ଼ିଶା। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିଲା ମହାବାତ୍ୟା। ସେଦିନ କିନ୍ତୁ ବାତ୍ୟାର କେନ୍ଦ୍ର ସ୍ଥଳ ଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ।

୧୯୯୯ ମସିହା ଅକ୍ଟୋବର ମାସ ୨୮ ତାରିଖ। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହେଲା ଯେ, ଓଡ଼ିଶାରେ ମହାବାତ୍ୟା ହେବ। ଯାହାଶୁଣି ସମସ୍ତଙ୍କ ମନରେ ଭୟଭୀତ ଉଠିଥିଲା। ବାସ କେଇ ଘଣ୍ଟାର ସମୟ ପରେ ୨୯ ତାରିଖ ସକାଳୁ ପ୍ରକୃତିର କରାଳ ରୂପରେ ଛାରଖାର ହୋଇଗଲା ଅନେକ ପରିବାର। ମହାବାତ୍ୟା ତାର କରାଳ ରୂପ ଦେଖାଇ ବିଦାୟ ନେଇଗଲା ହେଲେ ଧ୍ବସଂସ୍ତୁପରେ ପରିଣତ ହେଲା ଘରଦ୍ବାର, ଲୋକଙ୍କ ଆଖିରେ ଛାଡ଼ିଗଲା ଲୁହ।

ବାତ୍ୟାର କରାଳ ପ୍ରକୋପରେ ନିମିଷକ ମଧ୍ୟରେ ଧୁଳିସାତ ହୋଇ ଗଲା ଅନେକ ଧନ ଜୀବନ। ଧ୍ବସଂସ୍ତୁପରେ ପରିଣତ ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ। ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଦିନର ଲୋମ ହର୍ଷଣକାରୀ ଦୃଶ୍ୟ ଅଙ୍ଗେ ନିଭାଇଥିବା ଲୋକଙ୍କ ମନରେ ଏବେବି ତାଜା ଅଛି ସେଦିନର ଘଟଣା। ଏହାରି ଭିତରେ ୨୧ ବର୍ଷ ବିତିଗଲାଣି। ଅନେକ ପରିମାଣରେ ବଦଳି ଗଲାଣି ଏରସମାର ଦୃଶ୍ୟପଟ୍ଟ। ହେଲେ ତଥାପି ଲିଭିନି ପ୍ରଳୟର ଚିହ୍ନ। ସେ ଦିନର କଥା ମନେ ପଡିଲେ ଆଖିରୁ ଲୁହ ଗଡାଉଛନ୍ତି ଏରସମା ଅଞ୍ଚଳର ଲୋକେ। ହେଲେ ଅନେକ ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି ବିକାଶର ପାଦଚିହ୍ନ।

ସମୁଦ୍ର ଠାରୁ ୨ କିଲୋମିଟର ଦୂରରେ ଏରସମା ବ୍ଲକ ଡିଗିରୀ ଓ ସାହାଙ୍ଗା ଗାଁରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ହେଲେ ଏବେବି ଏହି ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି। ଗାଁ ଭିତରେ ବସିଥତ୍ ନଳକୂପରୁ ଲୁଣି ପାଣି ବାହାରୁଥିବାରୁ ଲୋକେ ୫ କିମି ଦୂରରୁ ପ୍ରତି ଦିନ ପାଣି ଟୋପାଏ ଆଣିବାକୁ ଯାଇ ନୟାନ୍ତ ହେଉଛଛନ୍ତି। ବର୍ଷା ଦିନ ହେଲେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଗାଁ ନିକଟରେ କୌଣସି ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଯେତେବେଳେ ବାତ୍ୟା ଆସେ ଲୋକେ ସେଥିପାଇଁ ଭୟଭୀତ ହୋଇପଡ଼ନ୍ତି। ଦିନ ବିତିଛି କିନ୍ତୁ ଦୁଃଖ କମିନି।

Comments are closed.