Odisha Link
Bridging the Missing Links in Odisha

ଉପନିର୍ବାଚନ: ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩% ମତଦାନ

ଭୁବନେଶ୍ବର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା।

ହେଲେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ୱରେ ଆରମ୍ଭ ହୋଇଥିଲା। ପରେ ୭ ଇଭିଏମ୍ ମେସିନ ବଦଳାଯିବା ପରେ ଏବେ ଭୋଟ ଗ୍ରହଣ ସ୍ୱାଭାବିକ ଚାଲିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା। ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ। ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି। ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରୁଛନ୍ତି ଭୋଟର। ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି।

ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ। ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ଏହା ସହିତ ଓ୍ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି। ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ। ୩୭ ବୁଥରେ ଓ୍ବେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି। ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି।

Comments are closed.