Odisha Link
Bridging the Missing Links in Odisha

ଆଳୁ ଓ ପିଆଜ ଦର ବୃଦ୍ଧି, ହନ୍ତ ସନ୍ତ ସାଧାରଣ ଲୋକ

ଭୁବନେଶ୍ୱର: କରୋନା ଯେତିକି କନ୍ଦଉଛି ତାଠୁ ଅଧିକ ଦାଉ ସାଜୁଛି ପନିପରିିବା । ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଆଳୁ ଓ ପିଆଜ ଦର। ସାଧାରଣ ଲୋକଙ୍କୁ ଆଳୁ ଦର କିଲୋ ପିଛା ୪୫ଟଙ୍କା ଅତିଷ୍ଠ କରୁଥିବାବେଳେ ସରକାର କେବଳ ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଦୀପାବଳି ବେଳକୁ ଆଳୁ କିଲୋ ପିଛା ଦର ୫୦ଟଙ୍କା ଛୁଇଁବାର ଆଶଙ୍କା କରାଯାଉଛି।

କରୋନା ମହାମାରୀ ସଂକ୍ରମଣ ଆରମ୍ଭବେଳେ ବଜାରରେ ଆଳୁ ଦର କିଲୋପିଛା ୨୦ରୁ ୨୫ଟଙ୍କାରେ ବିକ୍ରି ହେଉଥିବାବେଳେ ତାହା ବଢ଼ି ୪୫ଟଙ୍କାରେ ପହଂଚିଲାଣି। ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁଥିବାବେଳେ ରେଟ୍ ଚଢ଼ା ରହିଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆଳୁ ଓଡ଼ିଶାକୁ ଆମଦାନୀ ହୋଇଥାଏ।

ଚଳିତଥର ବନ୍ୟା ଯୋଗୁ ଦେଶର କେତେକ ଅଂଚଳରେ ଆଳୁ ଫସଲ ପ୍ରଭାବିତ ହୋଇଛି। ତଥାପି ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ମହଜୁଦ୍ ଥିବାବେଳେ ଓଡ଼ିଶାକୁ ଆବଶ୍ୟକ ଅନୁପାତରେ ଆଳୁ ଆସୁଛି। କିନ୍ତୁ ଦର ଚଢ଼ା ଥିବାରୁ ବ୍ୟବସାୟୀମାନେ ମଧ୍ୟ ଅଧିକ ଦରରେ ଖୁଚୁରା ବିକ୍ରି କରୁଛନ୍ତି।

କାର୍ତ୍ତିକ ମାସରେ ରାଜ୍ୟରେ ଆଳୁର ଚାହିଦା ଅଧିକ ରହୁଥିବାବେଳେ ଉଦବେଗଜନକ ଭାବେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାର ଉଦ୍ୟମ ନକରିବା ପରିତାପର ବିଷୟ। ରାଜ୍ୟ ସରକାର ଚାହିଁଲେ ନାଫେଡଠୁ ଆଳୁ କିଣି ରାଜ୍ୟବ୍ୟାପୀ ଏହାର ସୁବିତରଣ କରିପାରନ୍ତେ। କିନ୍ତୁ ତା’ ନକରି ସରକାର ଚୁପ୍ ବସିଥିବାବେଳେ ଆଳୁ ଅଦ୍ୟାବଧିର ସବୁ ରେକର୍ଡ ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି।

Comments are closed.