Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଗିରଫ ମହିଳା ଫରେଷ୍ଟ ଗାର୍ଡ

ସମ୍ବଲପୁର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟ ଗାର୍ଡ । ବିଲ ପାସ କରିବା ପାଇଁ ଲାଞ୍ଚ ନେଉଥିଲେ ଉକ୍ତ ମହିଳା ଫରେଷ୍ଟ ଗାର୍ଡ। ତାଙ୍କ ନିକଟରୁ ୩୬ ହଜାର ଟଙ୍କା ଜବତ କରାଯାଇଛି।

ଗିରଫ ମହିଳା ଫରେଷ୍ଟ ଗାର୍ଡ ଯୁଯୁମୁରା ବନସୁରକ୍ଷା ସମିତିର ସଦସ୍ୟ ସଚିବ ମଧୁସ୍ମିତା ମହାପାତ୍ର । ଭିଜିଲାନ୍ସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ତାଙ୍କ ଅଫିସ କାର୍ଯ୍ୟାଳୟ ସମେତ ସମ୍ବଲପୁର ସହରରେ ଥିବା ଭଡ଼ା ଘର ଏବଂ ବରଗଡ଼ଠାରେ ଥିବା ପୈତୃକ ଘରେ ଛାପା ମାରିଛି।

ସୂଚନା ଅନୁସାରେ ଯୁଯୁମୁରା ସ୍ଥିତ ବେବେରାଣୀ ବର୍ଷା ଗ୍ରାମରେ ରାଜ୍ୟ ସରକାରଙ୍କ ଓଏଫ୍‌ଏସ୍‌ଡିପି ସ୍କିମ୍‌ ଜରିଆରେ ବନ ସୁରକ୍ଷା ଯୋଜନାର ଏକ ଘରକାମ ତିଆରି ହୋଇଥିଲା। ୪ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ଅଟକଳ ଏବଂ ୧ ଲକ୍ଷ ଟଙ୍କାର ବନକାମର ବିଲ ପାସ୍‌ ପାଇଁ ସୁରକ୍ଷା ସମିତିର କୋଷାଧକ୍ଷ୍ୟ ପର୍ଶୁରାମ ମିର୍ଧା ସଂପୃକ୍ତ ମହିଳା ଫରେଷ୍ଟ ଗାର୍ଡଙ୍କ ପାଖକୁ ଫାଇଲ ନେଇଥିଲେ ।

ତେବେ ବାରମ୍ବାର ମଧୁସ୍ମିତା ବିଭିନ୍ନ ଆଳ ଦେଖାଇ ତାଙ୍କ ବିଲ୍‌ ପାସ କରାଇନଥିଲେ। ପ୍ରାୟ ୨ ମାସ ଧରି ଏପରି ଭାବେ ପର୍ଶୁରାମ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସଂପୃକ୍ତ ଫରେଷ୍ଟ ଗାର୍ଡ ତାଙ୍କ କଥା ଶୁଣିନଥିଲେ । ପରେ ତାଙ୍କୁ ବିଲ୍‌ ପାସ୍‌ ବାବଦକୁ ୩୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଆଜି ଟଙ୍କା ଦେବା ପାଇଁ ଡିଲ ଚୂଡାନ୍ତ ହୋଇଥିଲା ।

ପର୍ଶୁରାମ ଆଜି ଭିଜିଲାନ୍ସ ଅଫିସର ଦ୍ୱାରସ୍ଥ ହେବା ସହ ଫରେଷ୍ଟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ଆରମ୍ଭ ହୋଇଥିଲା ଅପରେଶନ । ଆଜି ପର୍ଶୁରାମ ମହିଳା ଫରେଷ୍ଟ ଗାର୍ଡଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଅଫିସ ପରିସରରେ ଛକି ରହିଥିବା ଭିଜିଲାନ୍ସର ୧୦ ଜଣିଆ ଟିମ୍‌ ତାଙ୍କୁ ରଙ୍ଗେହାତ ଧରିଥିଲା ।

ଭିଜିଲାନ୍ସ ତାଙ୍କ ପାଖରୁ ୩୬ ହଜାର ଲାଞ୍ଚ ଟଙ୍କା ସହ ବ୍ୟାଗ୍‌ରେ ଥିବା ଅନ୍ୟ ୩୦ ହଜାର ଟଙ୍କା ଜବତ କରିଛି ।ସେପଟେ ତାଙ୍କ ବିରୋଧରେ କେସ ନଂ ୨୮/୨୦ ରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

Comments are closed.