Odisha Link
Bridging the Missing Links in Odisha

କମିସନରେଟ୍‌ ପୁଲିସରେ ୮୦ ପେଟୁଆ କର୍ମଚାରୀ

ଭୁବନେଶ୍ବର: ସାବାଡ଼ ହେବେ ପେଟୁଆ ପୁଲିସ୍‌ କର୍ମୀ। ଏକଥା ଆମେ କହୁ ନାହୁଁ ଖୋଦ୍‌ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ଏନେଇ ମଧ୍ୟ ଗତ ଜୁଲାଇ ମାସରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ପୁଲିସ କମିଶନର। ନିର୍ଦ୍ଦେଶନାମା ଅନୁଯାୟୀ ଶାରୀରିକ ଫିଟ୍‌ ନଥିବା ପୁଲିସ କର୍ମୀଙ୍କୁ କମିସନରେଟ୍‌ ପୁଲିସରେ ଜାଗା ମିଳିବନି ବୋଲି ଉଲ୍ଲେଖ ଥିଲା। ନଭେମ୍ବର ମାସ ସୁଦ୍ଧା ସମ‌ସ୍ତେ ବ୍ୟାୟାମ କରି ନିଜର ପେଟ କମାଇବେ। ବୟସ ଓ ଉଚ୍ଚତା ଅନୁସାରେ ଓଜନ (ବିଏମ୍‌ଆଇ) ସ୍ତର ସଠିକ୍‌ ରଖିବାକୁ ନିଜକୁ ପ୍ରସ୍ତୁତ କରିବେ। ନ ହେଲେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପଦୋନ୍ନତି ମିଳିବନି କିମ୍ବା ବାଧ୍ୟତାମୂଳକ ଅବସର ଦିଆଯିବବୋଲିି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ ପୁଲିସ କମିଶନର। ଏଥିସହିତ ନିଜ ହିତ ଦୃଷ୍ଟିରୁ ପେଟୁଆ କର୍ମଚାରୀମାନେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିସନର୍‌ ପରାମର୍ଶ ଦେଇଥିଲେ। ଇତି ମଧ୍ୟରେ ଏହି ଅବଧି ଶେଷ ହୋଇଥିଲେ ସୁଦ୍ଧା ଜଣେ ହେଲେ ପେଟୁଆ ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସୂଚନାଥାଉକି, ଜୁଲାଇ ପ୍ରଥମ ସପ୍ତାହରେ ସମସ୍ତଙ୍କର ବିଏମ୍‌ଆଇ ମାପ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କର ବିଏମ୍‌ଆଇ ସ୍ତର ସାଧାରଣରୁ ଅଧିକ ଅର୍ଥାତ୍‌ ୨୫ରୁ ବେଶି ଥିଲା। ଏଣୁ ସେମାନଙ୍କୁ ବ୍ୟାୟାମ କରି ବିଏମ୍‌ଆଇ ସ୍ତର ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରିଜର୍ଭ ପୁଲିସ ପରିସରରେ ୬ ସପ୍ତାହର ରିଫ୍ରେସର୍‌ କୋର୍ସ କରାଯାଇଥିଲା। ୬ ସପ୍ତାହ ପରେ ଅର୍ଥାତ୍‌ ସେପ୍ଟେମ୍ବରରେ ପୁନଶ୍ଚ ଏହି ବିଏମ୍‌ଆଇ ମାପ ହେବାର ଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲେ ବା ବିଏମ୍‌ଆଇ ପୂର୍ବବତ୍‌ ଥିଲେ ସେମାନଙ୍କର ଇନ୍‌କ୍ରିମେଣ୍ଟ ବନ୍ଦ କିମ୍ବା ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି କଡ଼ା ଚେତାବନୀ ଦିଆଯାଇଥିଲା। ହେଲେ ୪ ମାସ ବିତି ଯାଇଥିଲେ ହେଁ ଏହି କର୍ମଚାରୀଙ୍କର ବିଏମ୍‌ଆଇ ଦ୍ବିତୀୟଥର ମାପ କରାଯାଇନାହିଁ।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ନିର୍ଦ୍ଦେଶନାମା ପରେ ସମସ୍ତ କର୍ମଚାରୀଙ୍କର ବିଏମ୍‌ଆଇ ପରୀକ୍ଷା କରାଯାଇ ରେକର୍ଡ କରାଯାଇଛି। ପରୀକ୍ଷା ବେଳେ ୮୦ଜଣ କର୍ମଚାରୀ ବିଏମ୍‌ଆଇ ସ୍ତରର ଉପରେ ଥିବା ଜଣାପଡ଼ିଥିଲା। ଏଣୁ ସେମାନେ ରିଜର୍ଭରେ ନିୟମିତ ବ୍ୟାୟାମ କରୁଛନ୍ତି। କିନ୍ତୁ କରୋନା ପାଇଁ ଦ୍ବିତୀୟଥର ସେମାନଙ୍କର ପରୀକ୍ଷା ହୋଇପାରିନାହିଁ ବୋଲି କହିଛନ୍ତି।

‌ତେବେ ଭୁବନେଶ୍ବରରେ ସମସ୍ତ ଥାନାରେ ପୁଲିସ କର୍ମଚାରୀଙ୍କ ଉପରେ ଚାପ ରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଆଇନଶୃଙ୍ଖଳା ଓ କ୍ରମବର୍ଦ୍ଧିଷ୍ଣୁ ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ଆହ୍ବାନ ପାଲଟିଛି। ଏଭଳି ସ୍ଥିତିରେ ବ୍ୟାୟାମ କରି ପେଟ ନ କମାଇଲେ କାର୍ଯ୍ୟାନୁଷ୍ଠାନ ହେବା ଘୋଷଣା ନେଇ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା।

ସୂଚନାଥାଉକି, ୨୦୧୮ ମସିହାରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ପେଟୁଆ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ପେଟ ନ କମାଇଲେ, ପଦୋନ୍ନତି ବନ୍ଦ ରଖିବାକୁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଥିଲା। ହେଲେ କର୍ମଚାରୀଙ୍କ ପ୍ରବଳ ଅସନ୍ତୋଷ ଯୋଗୁଁ ଏହା ସଫଳ ହୋଇ ନଥିଲା।

Comments are closed.