Odisha Link
Bridging the Missing Links in Odisha

ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ହେବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ହେବ। ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ସଂଗୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଜାତୀୟତାର ଭାବକୁ ସୁଦୃଢ କରିବା ସହିତ ଓଡିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସରକାର ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମଇ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡିଆ ଭାଇ ଭଉଣୀମାନେ ଏହି ସଂଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ଚଳିତ ବର୍ଷ ଜୁନ ୭ରେ ଅନୁଷ୍ଠିତ ହେଇଥିବା କ୍ୟାବିନେଟ ବୈଠକରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.