Odisha Link
Bridging the Missing Links in Odisha

କରୋନା ଖର୍ଚ୍ଚର ହିସାବ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଖର୍ଚ୍ଚର ହିସାବ ଦେଇଛନ୍ତି ସରକାର। କରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ଦେଇଛନ୍ତି ରାଜ୍ୟ ସରକାର। କରୋନା ରୋଗୀଙ୍କ ପାଇଁ ରାଜ୍ୟର ୨୩ଟି ଜିଲ୍ଲାରେ କରୋନା ଚିକିତ୍ସାରେ ମୋଟ ୨୨୩.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କୋଭିଡ-୧୯ ମହାମାରୀର ନମୂନା ପରୀକ୍ଷା, ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ଓ ଏହାର ମୁକାବିଲା ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ୨୨୩ କୋଟି ୮୭ ଲକ୍ଷ ୮୭୬ ଟଙ୍କ ଖର୍ଚ୍ଚ ହୋଇଛି।

ବିଧାୟକ ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩ଟି ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ ସରକାର ଓ ବେସରକାରୀ ହସ୍ପିଟାଲରେ ହୋଇଥିବା କୋଭିଡ୍ ପରୀକ୍ଷା, ଏହାର ମୁକାବିଲା ଓ ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ବାବଦରେ ୨୨୩ କୋଟି ୮୭ଲକ୍ଷ ୮୧ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ଜଗତସିଂହପୁର, ବାଲେଶ୍ୱର, ବରଗଡ଼, ଅନୁଗୋଳ, ରାୟଗଡ଼ା, ଦେବଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ଏବାବଦରେ କୌଣସି ତଥ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ। ଖୋର୍ଦ୍ଧା ଜିଲ୍ଲାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିଲେ ମଧ୍ୟ କେବଳ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୧୮.୫୬ କୋଟି ଟଙ୍କା କରୋନା ମୁକାବିଲା ଓ ଚିକିତ୍ସାରେ ଖର୍ଚ୍ଚ ହୋଇଛି।

ଯେଉଁ ୨୩ଟି ଜିଲ୍ଲାରୁ ଖର୍ଚ୍ଚ ବିବରଣୀ ମିଳିଛି ସେଥିରେ ସର୍ବାଧିକ ୨୬.୪୪କୋଟି ଟଙ୍କା ଗଞ୍ଜାମ ଜିଲ୍ଲାରେ ଖର୍ଚ୍ଚ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ୨୩.୯୯କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ରାପଡ଼ାରେ ୧୦.୦୮କୋଟି, ମୟୂରଭଞ୍ଜରେ ୧୭.୦୩କୋଟି, ପୁରୀରେ ୧୫.୦୧ କୋଟି ଟଙ୍କା. ବଲାଙ୍ଗିରରେ ୧୪.୯୨କୋଟି ଟଙ୍କା, କଳାହାଣ୍ଡିରେ ୧୧.୫୬କୋଟି ଟଙ୍କା, ନୟାଗଡ଼ରେ ୭.୪୧କୋଟି ଟଙ୍କା, ନୂଆପଡ଼ାରେ ୫.୫୧ କୋଟି ଟଙ୍କା, ସମ୍ବଲପୁରରେ ୮.୬୪କୋଟି ଟଙ୍କା, ସୁନ୍ଦରଗଡ଼ରେ ୭.୬୭କୋଟି ଟଙ୍କା, କନ୍ଧମାଳରେ ୭.୫୫କୋଟି ଟଙ୍କା, ଭଦ୍ରକରେ ୪.୦୭କୋଟି ଟଙ୍କା, ଗଜପତିରେ ୪.୧୭କୋଟି ଟଙ୍କା କରୋନା ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି।

ସେହିପରି କରୋନା ସଂକ୍ରମଣ କାଳରେ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ବ୍ୟାହତ ହୋଇଥିବା ଅଭିଯୋଗକୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଖାରଜ କରି ଏହା ସତ୍ୟ ନୁହେଁ ବୋଲି କହିଛନ୍ତି। ୨୦୨୦ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟରେ ୧ଲକ୍ଷ ୪୧ହଜାର ୮୭୪ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଏହି ସମସ୍ତ ରୋଗୀ କରୋନାରେ ପୀଡ଼ିତ ନଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Comments are closed.