Odisha Link
Bridging the Missing Links in Odisha

ରାଜନୈତିକ ଚକ୍ରବ୍ୟୁହରେ ନୟାଗଡ଼ର ନଥା

ନୟାଗଡ଼: ପୁଲିସ ଈଶ୍ବର ନୁହେଁ। ଅତୀତରେ ଏଭଳି ବହୁ ଘଟଣା ଘଟିଛି, ଯେଉଁଠି ସ୍ଥାନୀୟ ପୁଲିସ ଏପରିକି ରାଜ୍ୟ ପୁଲିସ ମଧ୍ୟ ଦୋଷୀକୁ ଧରିବାରେ ବିଫଳ ହୋଇଛନ୍ତି। କିଛି କ୍ଷେତ୍ରରେ ଅପରାଧୀ ଅଚିରେ ଲୁଚିଯାଇଛି ଏବଂ କ୍ରାଇମ୍‌ ବ୍ରାଞ୍ଚ୍‌ ଏପରିକି ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥାନ ସିବିଆଇକୁ ମଧ୍ୟ ଖାଲିହାତରେ ଫେରିବାକୁ ପଡ଼ିଛି। ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନିଷ୍ପାପ ବାଳିକା ପରୀର ହତ୍ୟାକାଣ୍ଡକୁ ଇତିମଧ୍ୟରେ ୪ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ସ୍ଥାନୀୟ ପୁଲିସ ଏ ବର୍ବର କାଣ୍ଡ ପଛରେ ଥିବା ଚେହେରାକୁ ସାମନାକୁ ଆଣିବାରେ ବିଫଳ ହୋଇଛି। ପୁଲିସର ଏହି ବିଫଳତାକୁ ହୃଦୟଙ୍ଗମ କରି ସରକାର କ୍ରାଇମ୍‌ ବ୍ରାଞ୍ଚକୁ ଏହାର ତଦନ୍ତ ଭାର ଅର୍ପଣ କରିଛନ୍ତି।

ଯଦି ପୁଲିସ ଏ ଘଟଣାରେ ଚେଷ୍ଟା କରି ମଧ୍ୟ କାଣିଚାଏ ଖିଅ ପାଇପାରିନାହିଁ ତେବେ ଜିଲ୍ଲା ପୁଲିସ ଦୟାର ପାତ୍ର କେବଳ। ଯଦି ଅପରାଧୀ କିଏ ଜାଣି ସୁଦ୍ଧା ପୁଲିସ ଏହାକୁ ଆଜିଯାଏ ଘଣ୍ଟଘୋଡ଼ାଇ ଆସିଥାଏ ତେବେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ନିକଟରେ ଗୋଟିଏ ମାମଲାକୁ ପ୍ରମାଣ ନଥିବା ଦର୍ଶାଇ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି ଦେଇଥିବା ଜଣେ ପୁଲିସ ଅଧିକାରୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଯଦି ଏଭଳି କିଛି ଷଡ଼ଯନ୍ତ୍ରର ଗନ୍ଧ କ୍ରାଇମ ବ୍ରାଞ୍ଚ୍‌ ହାତରେ ପଡ଼େ, ତେବେ ନୟାଗଡ଼ ପୁଲିସ ଉପରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରିବା।

ତେବେ ଏ ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନାମକୁ ଯୋଡ଼ାଯାଇ ବିଧାନସଭା ଅଧିବେଶନ ସମୟରେ ଯେଉଁଭଳି ଢଙ୍ଗରେ ତାଙ୍କୁ ବଦନାମ କରିବା ପାଇଁ ଏକ ବ୍ୟୁହ ରଚନାର ଆଭାସ ମିଳୁଛି ତାହା ଅସହାୟ ପରୀର ମୃତ୍ୟୁଭୋଜିରେ କିଛି ବ୍ୟକ୍ତିଙ୍କ ରାଜନୈତିକ ଭୁରିଭୋଜନ ଭଳି ମନେହେଉଛି। ନିଜର ସନ୍ତାନ ହରାଇବାର ଦୁଃଖରେ ମ୍ରିୟମାଣ ପରୀର ପରିବାର କତିପୟ ବ୍ୟକ୍ତିଙ୍କ ରାଜନୈତିକ ଭୋକ ମେଣ୍ଟାଇବା ପାଇଁ ସାଧନ ପାଲଟି ନଯିବେ ସେଥିଲାଗି ସଚେତନ ହେବା ଆବଶ୍ୟକ ରହିଛି।

ପରୀର ବାପା ମା’ ନଭେମ୍ବର ୨୪ ତାରିଖରେ ଭୁବନେଶ୍ବର ଆସି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବାର ଠିକ ଗୋଟିଏ ଦିନ ଆଗରୁ ଅପରାହ୍ଣରେ ଉଠାଯାଇଥିବା ଏକ ଫଟୋ ଓ ଏହା ସହ ସଂଶ୍ଲିଷ୍ଟ କିଛି ଘଟଣାକ୍ରମ ପରୀର ମୃତ୍ୟୁଭୋଜିରେ ଯେ କିଛି ଲୋକ ନିଜ ଉଦର ଭରିବାକୁ ଅପଚେଷ୍ଟା କରୁଛନ୍ତି ତାହା ସ୍ପଷ୍ଟ ହୋଇଛି।

ଫଟୋରେ ଥିବା ଜଣେ ବ୍ୟକ୍ତି ଏହାକୁ ନିଜର ସାମାଜିକ ଗଣମାଧ୍ୟମରେ ଛାଡ଼ବା ପରେ ତାହା ଭାଇରାଲ ହେବାରେ ଲାଗିଛି ଓ ସ୍ଥାନୀୟ ବିଧାୟକଙ୍କୁ ଫାନ୍ଦରେ ପକାଇବାର ମନ୍ଦ ଉଦ୍ୟମ ଉପରୁ ପରଦା ଧୀରେ ଧୀରେ ଅପସରିଯାଉଛି। ନଭେମ୍ବର ୨୩ ତାରିଖ ଅପରାହ୍ଣରେ ନୟାଗଡ଼ ସହର ଖଣ୍ଡପଡ଼ା ମାର୍ଗରେ ଥିବା ନୂଆ ନ୍ୟାୟାଳୟ କୋଠା ପାଖରେ ଏକ ଚା’ ଦୋକାନ ସମ୍ମୁଖରେ ଏ ଫଟୋଟି ଉଠିଛି। ଫଟୋରେ ପରୀକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବା କଥା ଫଟୋ ଛାଡ଼ିଥିବା ବ୍ୟକ୍ତି ଉଲ୍ଲେଖ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ପରୀର ମୃତ୍ୟୁ ଓ ତାକୁ ନ୍ୟାୟ ନମିଳିବାର ଦୁଃଖ କାହା ମୁହଁରେ ଟିକେ ବି ଦିଶୁନାହିଁ। ବରଂ ସେମାନେ ବେଶ୍‌ ଉତ୍ସାହରେ ଗଡ଼ ଜିଣିବା ଶୈଳୀରେ ସହାସ୍ୟ ଚେହେରାରେ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି।

ନୟାଗଡ଼ ଜିଲ୍ଲାରେ ବିଜେପି ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଥିବା ବେଳେ ଦଳୀୟ ଶୃଙ୍ଖଳରେ ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କୁ ଜିଲ୍ଲାରୁ ତଡ଼ିବା ପାଇଁ ଦଳର ଆଉ ଏକ ଗୋଷ୍ଠୀ ବେଶ୍‌ କିଛି ମାସ ଧରି ନିଜର ପାରମ୍ପରିକ ବିରୋଧୀ କଂଗ୍ରେସ ସହ ହାତ ମିଳାଇଛି। ଚାଷୀ ଆନ୍ଦୋଳନ ଠାରୁ ବିଭିନ୍ନ ପ୍ରସଙ୍ଗ ଦେଇ ପରୀ ମାମଲା ପର୍ଯ୍ୟନ୍ତ ତାହା ବେଶ୍‌ ସ୍ପଷ୍ଟ ହୋଇଛି। ଉପରୋକ୍ତ ଫଟୋରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ପୂର୍ବରୁ ବିଜେପିରୁ ତଡ଼ାଖାଇ ପୁଣି ବିଦ୍ରୋହୀ ବିଜେପିରେ ସାମିଲ ହୋଇଥିବା କିଛି କର୍ମୀ, ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ନିକଟତର ହେଉଥିବା ଜଣେ ଯୁବ ସରପଞ୍ଚ, ଗୋଟିଏ ଟିଭି ଚ୍ୟାନେଲର ସ୍ଥାନୀୟ ପ୍ରତିନିଧି ଓ ସ୍ବୟଂ ପରୀର ବାପା ଅଛନ୍ତି।

ଏ ଘଟଣା ପରେ ପରୀର ମୃତ୍ୟୁ ପାଇଁ ତା’ର ବାପାମା’ ସିଧାସଳଖ ମନ୍ତ୍ରୀଙ୍କୁ ଦାୟୀ କରି ବିବୃତି ଦେଉଛନ୍ତି ଓ ଫଟୋରେ ଥିବା ବ୍ୟକ୍ତିମାନଙ୍କର ବାଇଟ୍‌ ଘନ ଘନ ଟିଭି ପରଦାରେ ଦୃଶ୍ୟମାନ ହେଉଛି। ଗୋଟିଏ ନିଷ୍ପାପ ଛୁଆର ହତ୍ୟା ଯେତିକି ନିନ୍ଦନୀୟ ତାହାର ମୃତ୍ୟୁ ପାଇଁ ଜଣେ ରାଜନେତାଙ୍କୁ ଦାୟୀ କରିବା ତତୋଧିକ ହାସ୍ୟାସ୍ପଦ। ୫ ବର୍ଷର ପରୀ ଓ ତା’ର ବାପାମା’ଙ୍କର ଆଦୌ ରାଜନୈତିକ ସଂପୃକ୍ତି ନଥିବା ବେଳେ କେଉଁ ଗରଜରେ ଜଣେ ରାଜନେତାଙ୍କୁ ଏଭଳି ଆରୋପିତ କରାଯାଉଛି ତାହା ବେଶ୍‌ ଅନୁମେୟ।

ଚାରିମାସ ଭିତରେ ପରୀକୁ ନ୍ୟାୟ ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିବା ବେଳେ ଓ ପୁଲିସର ଅପାରଗତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଠିକ ବିଧାନସଭା ଅଧିବେଶନ ବେଳେ ବିଭିନ୍ନ ଦଳର ବ୍ୟକ୍ତି ଓ ମନ୍ତ୍ରୀଙ୍କ ବିରୋଧୀ ଏକାଠି ହୋଇ ଏ ମୃତ୍ୟୁଭୋଜିରେ ନିଜର ଉଦର ଭରିବା ପାଇଁ ହୀନ ଉଦ୍ୟମ କରୁଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ମନ୍ତ୍ରୀ ଡ. ସାହୁଙ୍କୁ ଖୋଲାଖୋଲି ନିଜର ଶତ୍ରୁ ଘୋଷଣା କରିଥିବା ଓ ତାଙ୍କ ନାମରେ ପୂର୍ବରୁ ମାମଲା ଦେଇଥିବା ଯୁବ ସରପଞ୍ଚ ଜଣକ ମନ୍ତ୍ରୀଙ୍କ ସହ ଅତ୍ୟନ୍ତ ବିନୟୀ ଭାବେ କଥା ହେଉଥିବାର ଏକ ଅଡିଓ କ୍ଲିପ୍‌ ଭାଇରାଲ ହେବା ପରେ ଏ ବ୍ୟୁହ ସଂରଚନା ପଛରେ ଥିବା ମିଳିତ ପ୍ରୟାସ ସ୍ପଷ୍ଟ ହେଉଛି। ଅଡିଓ କ୍ଲିପ୍‌ରେ ‘ତୁ କାହିଁକି ଏମିତି କରୁଛୁ’ ଓ ‘ଏସବୁ କ’ଣ ଠିକ ହେଉଛି’ ବୋଲି ମନ୍ତ୍ରୀ ପଚାରୁଥିବା ବେଳେ “ପରୀର ବାପାମା’ଙ୍କୁ ନେଇ ଆପଣଙ୍କ ପାଖକୁ ଆସିବି” ବୋଲି ସରପଞ୍ଚ ଜଣକ କାହିଁକି ବାରମ୍ବାର କହୁଛନ୍ତି ଓ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ରହିଛି ତାହା ସେ ଅଥବା ପରୀର ପିତାମାତା ହିଁ ଜାଣିଥାଇପାରନ୍ତି।

ଆଜି ନିଜେ ମନ୍ତ୍ରୀ ଡ. ସାହୁ ଗଣମାଧ୍ୟମ ଆଗରେ ବିବୃତି ରଖି ସ୍ପଷ୍ଟ କରିଛନ୍ତି ଯେ ପରୀର ହତ୍ୟା ପଛରେ ଯେ କେହି ବି ସଂପୃକ୍ତ ଥିବେ ତାଙ୍କୁ ଦଣ୍ଡଦିଆଯାଉ ଓ ପରୀକୁ ନ୍ୟାୟ ମିଳୁ। ବହୁ ଘଟଣା ଅସମାହିତ ଓ ତଦନ୍ତାଧୀନ ଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଓ ରାଜନୈତିକ ଦାବିକୁ ସମ୍ମାନ ଜଣାଇ ସରକାର ତୁରନ୍ତ ଏ ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ପରୀର ମଡ଼ାନିଆଁରେ ନିଜ ରାଜନୈତିକ ରୁଟି ସେକୁଥିବା ବ୍ୟକ୍ତିମାନେ ପୁଣି ଏ ଘଟଣାକୁ ନୂଆ ରୂପ ଦେଇ ନିଆଁ ବଞ୍ଚାଇ ରଖିବାକୁ ଅପଚେଷ୍ଟା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ପରୀର ପିତାମାତା ଯେଉଁ ପୀଡ଼ା ଭୋଗୁଛନ୍ତି, ତାହା ଅନ୍ୟ କେଉଁ ବାପାମା’ଙ୍କୁ ନମଳିୁ। କିନ୍ତୁ ପରିବାରର ଜଣକୁ ହରାଇ ଦୁଃଖ ଓ ଅଭାବରେ ଥିବା ବ୍ୟକ୍ତି ଗାଁବାସୀଙ୍କୁ ମୃତ୍ୟୁଭୋଜି ଦେଇ ଅଧିକ ତଳିତଳାନ୍ତ ହେବା ଭଳି ନିରୀହ ବାପାମା’ ଅନ୍ୟର ଭୋକ ମେଣ୍ଟାିବା ପାଇଁ ଆଉ ଏ ରାଜନୈତିକ ମୃତ୍ୟୁଭୋଜିରେ ସାମିଲ ନ ହେବା ଉଚିତ। “ପିପଲି ଲାଇଭ୍” ସିନେମାର ନଥା ଭଳି ତାଙ୍କର ଅବସ୍ଥା ନ ହେଉ- ରାଜନେତାଙ୍କ ଠାରୁ ସାମ୍ବାଦିକ ଯାଏଁ ସମସ୍ତେ ନିଜ ନିଜ ଫାଇଦା ପାଇଗଲା ପରେ ବି ନଥାକୁ ନ୍ୟାୟ ନ ମିଳିବା ଭଳି ପରାଭବ ପରୀର ପିତାମାତାଙ୍କୁ ନମିଳୁ।

ଅବେଳରେ ମଉଳି ପଡ଼ିଥିବା ନିଷ୍ପାପ କଢ଼ି ଅମୃତାସ୍ନେହା ସାହୁ ଓରଫ୍‌ ପରୀକୁ ନ୍ୟାୟ ମିଳୁ, ଏତିକି କାମନା।

Comments are closed.