Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ପରିଚାଳନା ବିପର୍ଯ୍ୟସ୍ତ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବିଜୁ ଜନତା ଦଳରୁ ବିଦା ହେବା ପରେ ବିଷ ଉଦ୍‌ଗାରିଛନ୍ତି ପୂର୍ବତନ ମନ୍ତ୍ରୀ, ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ତଥା ବର୍ତ୍ତମାନ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ରାଜ୍ୟରେ କରୋପା ପରିଚାଳନା ବିପର୍ଯ୍ୟସ୍ତ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ କଥା ଦୂରେ ଥାଉ ଶାସକ ଦଳର ଜଣେ ବିଧାୟକ କରୋନା କାଳରେ କିଭଳି ଅସୁବିଧାରେ ପଡ଼ି ବିକଳରେ ସହଯୋଗ ଭିକ୍ଷା କରିଛନ୍ତି ଏହାର ଉଦାହରଣ ରଖିଛନ୍ତି ଶ୍ରୀ ପାଣିଗ୍ରାହୀ। ଏ ବାବଦରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସେ ଆକ୍ରୋଶର ଶିକାର ହୋଇଥିବା କହିଛନ୍ତି।

ଗତକାଲି ଅପରାହ୍ଣରେ ଗଣମାଧ୍ୟମକୁ ବିବୃତି ଦେଇ ପ୍ରଦୀପ କହିଥିଲେ ଯେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ତାଙ୍କ ପାକକୁ ଆସିଥିଲେ। କାହିଁକି ସେ ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି ଉଭୟେ ପ୍ରଦୀପଙ୍କୁ ପଚାରିଥିଲେ। ଏପରିକି “ଡିସେମ୍ବର ୧୧ରେ ଆପଣଙ୍କ ଝିଅ ବାହାଘର ଅଛି ତ, ଦେଖିବା” ବୋଲି ତାଙ୍କୁ ପରୋକ୍ଷରେ ଧମକ ଦିଆଯାଇଥିବା କହିଛନ୍ତି ପ୍ରଦୀପ।

ରାଜ୍ୟରେ କରୋନା ପରିଚାଳନା ନେଇ ପ୍ରଦୀପ କହିଛନ୍ତି- ଗଞ୍ଜାମ ଜିଲ୍ଲା ସୁରଡ଼ା ନିର୍ବାଚନ ମଣ୍ଡଳିର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ବାପା କରୋନା‌ ଆକ୍ରାନ୍ତ ହେଲେ। ସେ କେୟାର ହସ୍ପିଟାଲରେ ଥିଲେ। ରାତି ଗୋଟାଏରେ ତାଙ୍କର ପଜିଟିଭ୍‌ ରିପୋର୍ଟ ଆସିଥିବା ବେଳେ ପରଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ତାଙ୍କୁ କୋଭିଡ୍‌ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସଟିଏ ମିଳିପାରିଲା ନାହିଁ। ଦିନ ଦଶଟାରେ ଫୋନ୍‌ ପାଇ ମୁଁ ନିଜେ କେୟାର ହସ୍ପିଟାଲ ଗଲି। ଆମ୍ବୁଲାନ୍ସ ଟିଏ ଯୋଗାଡ଼ ପାଇଁ ମୁଁ ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ ମହାପାତ୍ର ଓ ଦିଲୀପ ମହାନ୍ତିଙ୍କୁ ଫୋନ ଲଗାଇଲି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଫୋନ କଲି। ସଚିବ ଉପଲ୍ଧ ନହେବାରୁ ତାଙ୍କ ସହକାରୀଙ୍କୁ ସୂଚନା ଦେଲି। ଦିଲ୍ଲୀପ ମହାନ୍ତି, ପ୍ରଦୀପ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଷଡ଼ଙ୍ଗୀ ବାବୁ ପ୍ରଭୃତି କହିଲେ ଯେ ଘଣ୍ଟାଏ ଭିତରେ ଆମ୍ବୁଲାନ୍ସ ପହଞ୍ଚିବ। ୧୨ଟା ହୋଇଗଲା ଆମ୍ବୁଲାନ୍ସ ଆସିଲାନି। ପୂର୍ଣ୍ଣ ତିନି ତିନି ଥର ବିଧାୟକ। ମୁଁ ତାକୁ ବଝାଇଲି ଆମ୍ବୁଲାନ୍ସ ଆସିବ। କିନ୍ତୁ ସଂଧ୍ୟା ୫ଟା ହୋଇଗଲା ଆମ୍ବୁଲାନ୍ସ ଆସିଲାନାହିଁ। ମୁଁ ବିକଳ ହୋଇ ପୁଣି ଦିଲୀପ ମହାନ୍ତିଙ୍କୁ କହିଲି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚେଷ୍ଟା କରି ପାଇପାରିଲିନାହିଁ।

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ ସେ ୫ଟା ୧୫-୨୦ ବେଳକୁ ବାଧ୍ୟ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଲଗାଇଲେ। “ମୁଖ୍ୟମନ୍ତ୍ରୀ ନିଜେ ଫୋନ ଧରିଲେ। ମୁଁ କହିଲି ଜଣେ ବିଧାୟକଙ୍କ ବାପାଙ୍କ ପାଇଁ ଯଦି ୧୬ ଘଣ୍ଟା ଯାଏଁ ଆମ୍ବୁଲାନ୍ସ ମିଳିପାରୁନାହିଁ ସାଧାରଣ ଲୋକଙ୍କ କଥା ଭାବନ୍ତୁ। ସାଧାରଣ ଲୋକଙ୍କ ପ୍ରତି ଆମ ପ୍ରଶାସନର ତତ୍ପରତା କେତେ ଦେଖନ୍ତୁ। ମୁଖ୍ୟମନ୍ତ୍ରୀ ବ୍ୟଥିତ ହେଲେ। ସବୁ ଯୋଗାଡ଼ କରି ସଂଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନିଜେ ମୋତେ ଫୋନ କରି କହିଲେ। ପୂର୍ଣ୍ଣଙ୍କ ବାପା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇ ସାରିଛନ୍ତି ଓ ସର୍ବୋତ୍ତମ ଚିକିତ୍ସା ତଥା ଯତ୍ନ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋତେ କହିଲେ।

ତେବେ କୌଣସି କାରଣବଶତଃ ପୂର୍ଣ୍ଣଚନ୍ଦ୍ରଙ୍କ ବାପାଙ୍କର ମୃତ୍ୟୁ ହେଲା। ତାଙ୍କୁ ପୁରୀରେ ଦାହ କରିବା ପାଇଁ ପରିବାର ଚାହିଁଲେ ବି ଅନୁମତି ମିଳିଲାନାହିଁ। ସତ୍ୟନଗର ଶ୍ମଶାନରେ ଦାହ ହେଲା। ପୂର୍ଣ୍ଣ ସ୍ବାଇଁଙ୍କ ପରିବାରକୁ ମୃତଶରୀର ଦେଖିବାକୁ ସୁଯୋଗ ମିଳିଲାନି। ଅଥଚ ସେଇ ସ୍ଥାନରେ ଆଉ ଜଣଙ୍କ ଶବ ଦାହହେଲା, ତାଙ୍କୁ ଖୋଲି ବସ୍ତ୍ର ବିନ୍ଧାଗଲା ଓ ପରିବାର ଲୋକଙ୍କୁ ଦେଖିବାର ସୁଯୋଗ ଦିଆଯିବା ବେଳେ ପୂର୍ଣ୍ଣ ସ୍ବାଇଁଙ୍କ ପରିବାରକୁ ସୁଯୋଗ ମିଳିଲାନି। ବିଡ଼ମ୍ବନାର କଥା ମୃତ୍ୟୁର କିଛିଦିନ ପରେ ବି “ବାପା ଭଲ ଅଛନ୍ତି କି” ବୋଲି ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି କର୍ତୃପକ୍ଷ ପୂର୍ଣ୍ଣଙ୍କୁ ବାରମ୍ବାର ଫୋନ୍‌ କରି ପଚାରୁଥିଲେ ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି।

ଏ ଘଟଣା ପରେ ମୋ ଉପରେ ରାଗ ବଢ଼ିଲା ବୋଲି ପରୋକ୍ଷରେ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପ୍ରଦୀପ।

Comments are closed.