ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି। ଅର୍ଥ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କ ଜାମିନ ଆବେଦନ ଉପରେ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଙ୍କ କୋର୍ଟରେ ଶୁଣାଣି ହେବ।
ପୂର୍ବରୁ ଜାମିନ ପାଇଁ ପ୍ରଦୀପ ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଏହା ଖାରଜ ହୋଇଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା। ଆଇପିସି ଧାରା ୪୧୯, ୪୨୦, ୪୬୭, ୪୬୯, ୪୭୧ ଓ ଧାରା ୧୨୦-ବି ଲାଗିଛି ପ୍ରଦୀପଙ୍କ ବିରୋଧରେ।
ଏଥିସହ ଆଜି ଅଭୟକାନ୍ତ ପାଠକଙ୍କ ଜାମିନ୍ ଆବେଦନର ଶୁଣାଣି ହେବ। ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ସେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଆଜି ଅଭୟଙ୍କ ଜାମିନ ଆବେଦନର ଶୁଣାଣି ହେବ।
ସେପଟେ ଆକାଶ ପାଠକଙ୍କ ପିଏ ଡେଭିଡ ପିଟରଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ। ଆକାଶଙ୍କ କାରବାର ସଂପର୍କରେ ଅନେକ କିଛି ତଥ୍ୟ ପିଟର ମାନିଯାଇଥିବା ଜଣାଯାଇଛି। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ସାମ୍ନାସାମ୍ନି ଜେରା କରିପାରେ। ଆଜି କ୍ରାଇମବ୍ରାଞ୍ଚ ସାଇବର ସେଲ ଅକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇ ପାରେ।
ତେବେ ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ବେଲ ଆବେଦନର ଶୁଣାଣି ରହିଛି। ମାତ୍ର ପ୍ରଦୀପଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ତାଙ୍କ ବେଲ ପାଇଁ ଅନ୍ତରାୟ ହୋଇପାରେ ବୋଲି ଆଇନ୍ ଜୀବୀ କହିଛନ୍ତି। ସେପଟେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଇଡି ଓ ଆୟକର ବିଭାଗର ସ୍କାନରରେ ପାଠକ ପରିବାର।